Advertisment

ବିଭିନ୍ନ ମଡେଲ ଅନୁଧ୍ୟାନ ପରେ ବାତ୍ୟା ଆଶଙ୍କା !

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ।

ଅଦ୍ୟତନ ହୋଇଛି
Cyclone Alert

Cyclone Alert

Advertisment

ବାତ୍ୟା ହବ କି ନାହିଁ ? ଯଦି ହେବ, କୁଆଡ଼େ ମୁହାଁଇବ ? କେଉଁଠି ମାଡ଼ ହେବ ? କେତେ ଜୋରରେ ପବନ ବୋହିବ ? ଏସବୁ କିଛି ସ୍ପଷ୍ଟ ହୋଇନି, ତଥାପି ବଢୁଛି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା। କାହିଁକି ନା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ସାରିଛି ଘୂର୍ଣ୍ଣିବଳୟ ଯାହା କାଳକ୍ରମେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁମାନ କରୁଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ-ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ। ଲୋ-ପ୍ରେସର ସୃଷ୍ଟିର ୪୮ ଘଣ୍ଟା ପରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ତେବେ ଏହା ଦ୍ୱାରା ବାତ୍ୟା ହେବ କି ନାହିଁ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି। ୨୦ରେ ଲଘୁଚାପ ସୃଷ୍ଟି ପରେ ବାତ୍ୟା କଥା ସ୍ପଷ୍ଟ ହୋଇଯିବ।

Advertisment

ଅଧିକ ପଢ଼ନ୍ତୁ: ଉତ୍ତର ଦିଗକୁ ମୁହାଁଉଛି ଘୂର୍ଣ୍ଣିବଳୟ, ଆସିବ କି ବାତ୍ୟା ?

ସେପଟେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ ମଧ୍ୟ ବାତ୍ୟା ଆଶଙ୍କାକୁ ଏଡ଼ାଇ ଯାଇ ନାହାନ୍ତି GFS, WINDY ଓ INCOIS ଭଳି ବିଭିନ୍ନ ପାଣିପାଗ ପୂର୍ବାନୁମାନ ସଂସ୍ଥାଙ୍କ ମଡେଲକୁ ଅନୁଧ୍ୟାନ କରି ସାଇକ୍ଲୋନର ସମ୍ଭାବନା ଅଧିକ ବୋଲି ସେ ଦେଇଛନ୍ତି। ତାସହ କହିଛନ୍ତି ଆସନ୍ତା ୨୨ ତାରିଖରେ ବାତ୍ୟାର ରୂପରେଖ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ଯଦି ବାତ୍ୟା ଆସେ ତାହାଲେ ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ରହିପାରେ ବୋଲି ସେ ଅନୁମାନ କରିଛନ୍ତି। ତେବେ ୨୪ରୁ ଓଡ଼ିଶାରେ ବର୍ଷାର କୋପ ଆରମ୍ଭ ହୋଇଯିବ ଓ ୨୪ରୁ ୨୬, ତିନି ଦିନ ଧରି ସାରା ରାଜ୍ୟରେ ବର୍ଷିବ ବୋଲି ସେ କରିଛନ୍ତି ପୂର୍ବନୁମାନ।

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟକଣି ଗାଁ ସମୁଦ୍ରଠୁ ମାତ୍ର ୫୦ ମିଟର ଦୂରରେ ହୋଇଛି ଧାନ ଚାଷ। ଛନ ଛନିଆ ଧାନ ଗଛରେ କେଣ୍ଡା ଧରି ଫୁଲ ଉଡୁଛି। ହେଲେ ଯଦି ବାତ୍ୟା ମାଡ଼ ଖାଏ, ତାହାଲେ ଉଜୁଡିଯିବ ବର୍ଷକର ଦାନା ସବୁ ଥର ସିଧା ବାତ୍ୟା ମୁହଁରେ ପଡୁଥିବା ଅସ୍ତରଙ୍ଗ ଭଳି କୋଣାର୍କ, କାକଟପୁର ଆଦି ଅଞ୍ଚଳର ଚାଷୀ ବି ସାଇକ୍ଲୋନ କଥା ଶୁଣି ପ୍ରମାଦ ଗଣିଲେଣି। ସେମିତି ବାତ୍ୟା କଥା ଶୁଣୁ ଶୁଣୁ ଆଉ ସମୁଦ୍ରକୁ ଡଙ୍ଗା ଧରି ଯିବାକୁ ମନ କରୁନାହାନ୍ତି ବାଲେଶ୍ୱର ଜିଲ୍ଲା ତାଳସାରୀ ଅଞ୍ଚଳରେ  ଯାହାଙ୍କ ଡଙ୍ଗା ଚାଲିଲେ, ଘରେ ଚୂଲି ଜଳେ  ସେଭଳି ବହୁ ସଂଖ୍ୟକ ମତ୍ସଜୀବୀ ଏବେଠୁ ଡଙ୍ଗା ବାନ୍ଧି ଦେଲେଣି  ଯେହେତୁ ସମୁଦ୍ର ଅଶାନ୍ତ ରହିବ ତେଣୁ କାହିଁକି ମରଣ ମୁହଁକୁ ଯିବୁ ବୋଲି କହୁଛନ୍ତି।

Advertisment

ସାଧାରଣତଃ ମୌସୁମୀ ବାୟୁ ଫେରୁଥିବା ମାସ ଅକ୍ଟୋବର ଓଡ଼ିଶାରେ ବାତ୍ୟା ସମ୍ପର୍କ ବେଶ୍ ନିବିଡ଼। ତେବେ ସମୁଦ୍ର ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଥିଲେ ବି ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନକୁ କିନ୍ତୁ ସମସ୍ତେ ଅପେକ୍ଷା କରିଛନ୍ତି।

(ରିପୋର୍ଟ: ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା, କୋଣାର୍କରୁ ସଞ୍ଜୟ ପତି ଓ ଜଳେଶ୍ୱରରୁ ଅଜିତ୍ ଦାସ)

Advertisment
Weather Update Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ