• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଓଡ଼ିଶାକୁ ନଛୁଇଁଲେ ବି ଉପକୂଳ ଜିଲ୍ଲା ଗୁଡିକରେ ଦାଉ ସାଧିବ ବାତ୍ୟା ସିତ୍ରାଙ୍ଗର ପ୍ରଭାବ। ପ୍ରବଳ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହେବ ଉତ୍ତର ଉପକୂଳ। ଆଇଏମଡିର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ ଅପବପାତର ରୂପ ନେବା ପରେ ୨୩ରେ ଗଭୀର ଅବପାତର ରୂପ ନେବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୁତ ଲଘୁଚାପ। ୨୪ରେ ବାତ୍ୟାର ରୂପ ନେବା ପରେ ଆନ୍ଧ୍ର ଉପକୂଳରୁ ରିକର୍ଭ କରି ବାଲାଂଦେଶ ମୁହାଁ ହେବ। ଆକଳନ ଅନୁଯାୟୀ, ୨୫ ସୁଦ୍ଧା ଓଡିଶା ଉପକୂଳ ନିକଟ ଦେଇ ବାତ୍ୟା ଅତିକ୍ରମ କରିବାକୁ ଥିବାରୁ ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ତେଣୁ ଏଇ ଦିନ ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ପ୍ରବଳ ବର୍ଷା ଲାଗି ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ୨୪ରୁ ୨୫ ତାରିଖ ଭିତରେ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳରେ ବର୍ଷାର ପରିମାଣ ବଢିବା ସହ ପବନ ବି ବଢିବ। ତେଣୁ ୨୪ରେ ୫ ଜିଲ୍ଲା ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଦିନ ଏହିସବୁ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ଯାଏଁ ହେବାର ପୂର୍ବାନୁମାନ କରାଯାଇଛି। ଏହାସହ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ପାଇଁ ବି ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୫ରେ ଉତ୍ତର ଉପକୂଳର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରାଯାଇଛି। ସେହିପରି ସ୍ବତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ସମ୍ଭାବ୍ୟ ବର୍ଷା ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ ବାତ୍ୟା ଓଡିଶା ଉପକୂଳ ଠାରୁ ମାତ୍ର ୭୫ କିଲୋମିଟର ଦୂରରେ ଯାଉଥିବାରୁ ଉତ୍ତର ଉପକୂଳର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ଏହାର ସର୍ବାଧିକ ପ୍ରଭାବ ପଡ଼ିପାରେ। ଏପରିକି ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ବେଗ ୮୦ରୁ ୧୦୦ କିଲୋମିଟର ହୋଇପାରେ। ତେଣୁ ସ୍ଥିତିକୁ ଦେଖି ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗକୁ ବର୍ଷା ଭୟ ଭିତରେ, ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରିଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ର, ବାଲେଶ୍ୱରରୁ ରଣଜିତ ପାକଳ ଓ ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ)