• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, କ୍ରମେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବାକୁ ଯାଉଛି। ପାଣିପାଗ ବିଭାଗର ପୂର୍ବନୁମାନ, ଏହା ଭୟଙ୍କର ରୂପ ଧାରଣ କରିପାରେ । ପ୍ରଭାବରେ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହିପାରେ । ଆସନ୍ତା ୧୦ ତାରିଖ ସୁଦ୍ଧା ଅବପାତଟି ବାତ୍ୟାର ରୂପ ନେବ ଏବଂ ୧୨ ତାରିଖ ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।

୧୨ ତାରିଖ ପରେ ବାତ୍ୟାର ଗତିପଥ ବଦଳି କ୍ରମେ ଉତ୍ତର-ଉତ୍ତର ପୂର୍ବ ମୁହାଁ ହେବା ସହ କ୍ରମେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ବର୍ତ୍ତମାନ ପାଇଁ କୌଣସି ଆକଳନ କରାଯାଇନାହିଁ । ତେବେ ବାତ୍ୟାଟି ବାଂଲାଦେଶ, ମିଆଁମାର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ବର୍ତ୍ତମାନ କୋହଲା ପାଗ ସହ ବର୍ଷା ଲାଗିରହିଛି । ପବନର ବେଗ ବି ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିଛି । ଆଉ ଦୁଇଦିନ ଏଭଳି ସ୍ଥିତି ଲାଗିରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ପାଇଁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନି ବରଂ ତାପମାତ୍ରା ବଢ଼ିବ ବୋଲି କହିଛି ପାଣିପାଗ ବିଜ୍ଞାନ ବିଭାଗ । କାରଣ ବାୟୁମଣ୍ଡଳରେ ଏବେ ଉତ୍ତର-ପଶ୍ଚିମ ଦିଗରୁ ଉଷ୍ଣ ତଥା ଶୁଷ୍କ ବାୟୁ ପ୍ରବାହିତ ହେଉଛି । ତା’ସହ ଲଘୁଚାପଟି ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବାକୁ ଯାଉଥିବାରୁ ଏହାର ପ୍ରଭାବରେ ତାତି ସହ ଗୁଳୁଗୁଳି ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ। 

ସେପଟେ ରାଜ୍ୟରେ ଉପର ମୁହାଁ ହେବାରେ ଲାଗିଛି ପାରଦ । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୧.୨ ଏବଂ ଝାରସୁଗୁଡ଼ାରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗକୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଦେଖି SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରି ଦିଆଯାଇଛି ।

  • Reported by:
  • SIBANANDA ROUT , BIBARTAN PANDA