Advertisment

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍, କାଲିଠୁ ଓଡ଼ିଶାରେ ବର୍ଷା ଆଶଙ୍କା

ଅଦିନିଆ ବାତ୍ୟା, ଅଜଣା ଭୟ। କେଉଁଠି ବର୍ଷିବ, କେଉଁଠି ଭସାଇବ? କାରଣ ଚେନ୍ନାଇ ଉପକୂଳଠାରୁ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍।

author-image
Kausik Mohapatra
ଅଦ୍ୟତନ ହୋଇଛି
Cyclone Michaung

Cyclone Michaung

ଅଦିନିଆ ବାତ୍ୟା, ଅଜଣା ଭୟ। କେଉଁଠି ବର୍ଷିବ, କେଉଁଠି ଭସାଇବ? କାରଣ ଚେନ୍ନାଇ ଉପକୂଳଠାରୁ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍। ଏହା ଦକ୍ଷିଣ ଆନ୍ଧ୍ରରେ ମାଡ଼ ହେବା ପରେ କ୍ରମଶଃ ଦୁର୍ବଳ ହୋଇ ୫ତାରିଖରୁ ଓଡ଼ିଶା ଆଡ଼କୁ ମୁହାଁଇବ। ପରିଣାମ ସ୍ୱରୂପ କାଲିଠୁ ୩ ଦିନ ବ୍ୟାପି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ। ଏଭଳି ସୂଚନା ପରେ ଚିନ୍ତାରେ ଥିବା ଚାଷୀ ଅମଳକ୍ଷମ ଫସଲର ସୁରକ୍ଷା ଓ ସଂଗ୍ରହ ପାଇଁ ଅଣ୍ଟା ଭିଡ଼ିଛି।

Advertisment

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍ । ଦେଖିଲେ ଲାଗୁଛି ପଡ଼ୋଶୀ ଆନ୍ଧ୍ର ଦେଇ ଦକ୍ଷିଣ ଓଡ଼ିଶା ଆଡ଼କୁ ଅନାଇ ମାଡ଼ି ଆସୁଛି ଅଦିନିଆ ବାତ୍ୟା ମିଗଜୋମ୍। ଏହାକ୍ରମେ ଘନୀଭୂତ ହେବ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୫ ତାରିଖ ପୂର୍ବାହ୍ନରେ ଭୀଷଣବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଝିରେ ସ୍ଥଳ ଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ସର୍ବାଧିକ ବେଗ ରହିବ ଘଣ୍ଟାକୁ ୧୧୦ କିଲୋମିଟର। ଯଦିଓ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ୫ରୁ ୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ୫ ତାରିଖ ଦିନ ଏହି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷାର ଖବର ଶୁଣି ଚିନ୍ତାରେ ଚାଷୀ। କାରଣ ଏବେ ଚାଲିଛି ଅମଳ ୠତୁ। କାହା କ୍ଷେତରେ ପାଚିଲା ଧାନ କଟା ନହୋଇ ପଡ଼ିରହିଛି ତ ଆଉ କାହା ଖଳାରେ ପଡ଼ିଛି ଅମଳ ଧାନ। ତେଣୁ ବର୍ଷକର ଫସଲ ନଷ୍ଟ ହୋଇଯିବା ଆଶଙ୍କାରେ ତରତର ହୋଇ ଧାନ ଅମଳ ପାଇଁ ବ୍ୟସ୍ତ ଚାଷୀକୂଳ। ଏବଠୁ ଘୋଟିଆସିଥିବା ମେଘୁଆ ପାଗକୁ ଦେଖି ବର୍ଷକର ଦାନା ପାଣିକୁ ସୁରକ୍ଷିତ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛି ଚଷା ପୁଅ। ଏମିତି କିଛି ଦୃଶ୍ୟ ରାୟଗଡା ଓ ମାଲକାନଗିର ଜିଲ୍ଲାରେ ଦେଖିବାକୁ ମିଳିଥିଲା। କାରଣ ସମ୍ଭାବ୍ୟ ବାତ୍ୟାର ରାଡାରରେ ଆସୁଥିବା ୫ ଜିଲ୍ଲା ମଧ୍ୟରେ ଏହି ୨ ଜିଲ୍ଲା ବି ରହିଛି। ତେଣୁ ପ୍ରଶାସନର ସତର୍କତା ପରେ ଯେନ ତେନ ପ୍ରକାରେ ଧାନ କାଟି ଘରକୁ ନେଉଛନ୍ତି ଚାଷୀ।

Advertisment

ଆସୁଥିବା ବାତ୍ୟା ମିଗଜୋମର ନାମକରଣ କରିଛି ମିଆଁମ୍ୟାର। ମିଗଜୋମର ଅର୍ଥ ସହ୍ୟଶକ୍ତି। ବାତ୍ୟା ମିଗଜୋମ ପ୍ରଭାବରେ ପଡ଼ୋଶୀ ଆନ୍ଧ୍ର ଏବଂ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଆସନ୍ତାକାଲି(ସୋମବାର) ପାଇଁ ତାମିଲନାଡୁରେ ଛୁଟି ଘୋଷଣା କରାଯାଇଛି।

Advertisment
Advertisment