• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭୀଷଣ ବାତ୍ୟା ଯେତିକି ତାଣ୍ଡବ ରଚିବ, ଏହା ସ୍ଥଳ ଭାଗ ଛୁଇଁବା ପରେ ପ୍ରବଳ ବର୍ଷା ତାଠାରୁ ଅଧିକ କୋପ ଦେଖାଇବ। ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ଉତ୍ତରରୁ ପଶ୍ଚିମ ଓଡ଼ିଶା ଯାଏଁ ବର୍ଷା ଚେତାବନୀ ଜାରି କରିଛି। ଏଥିଯୋଗୁଁ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହେଲାଣି । ଯେହେତୁ ସମୁଦ୍ର ଜୁଆର ଅଧିକାଂଶ ନଦୀରେ ପଶିବ, ତେଣୁ ବନ୍ୟା ପାଣି ନିଷ୍କାସନ ନହୋଇ ଗାଁ ଗଣ୍ଡାକୁ ମାଡ଼ି ଯିବାର ଆଶଙ୍କା ରହିଛି ।  

ଖାଲି ଅଣଚାଶ ପବନ ନୁହେଁ । ନିର୍ଘାତ ବର୍ଷାକୁ ବି ସାଙ୍ଗରେ ଧରି ଆସୁଛି ଭୀଷଣ ବାତ୍ୟା ଦାନା । ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ। ଯଦିଓ ପବନର କୋପ କମିଯିବ ହେଲେ ବର୍ଷା ତାଉ ଦେଖାଇବ। ଖାଲି ଉପକୂଳ କି ଉତ୍ତର ନୁହେଁ ପଶ୍ଚିମ ଓଡ଼ିଶାରେ ବି କାଚିବ ବର୍ଷା । ଏହାର ପ୍ରଭାବରେ ନଦୀ-ନାଳ ଫୁଲିବ, ଏପରିକି ବନ୍ୟା ସ୍ଥିତି ବି ଉପୁଜିପାରେ।

Also Read

ସୂଚନା ଅନୁସାରେ-ଆସନ୍ତାକାଲି ସକାଳୁ ୨୬ ତାରିଖ ସକାଳ ଯାଏଁ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାକୁ ଦିଆଯାଇଛି ରେଡ୍ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେମିତି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବୌଦ୍ଦ, ସୋନପୁର ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଗଂଜାମ, କନ୍ଧମାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ଲ୍ୟାଣ୍ଡଫଲ୍ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ । ଏହା ପଶ୍ଚିମ-ଉତ୍ତର ଏବଂ  ପଶ୍ଚିମକୁ ଗତି କରିବ। ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଆଗରୁ ସୂଚନା ଦେଇ ସାରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। କେଉଁ କେଉଁ ନଦୀ ସବୁ ଫୁଲି ଉଠିବ ଓ ଉଛୁଳିବ ? କେଉଁଠି ସୃଷ୍ଟି ହେବ ବନ୍ୟା ? କୁହାଯାଉଛି ଉତ୍ତର ଓ ଉପକୂଳ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ, ଯେମିତିକି ବୁଢାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ନଦୀ ଫୁଲିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢାବଳଙ୍ଗ ନଦୀରେ ପଶିବ। 

ଅନ୍ୟପକ୍ଷରେ ବାତ୍ୟା ପ୍ରକୋପରେ ୧ରୁ ୨ ମିଟର ଉଚ୍ଚର ଜୁଆର ଉଠିବା ଯୋଗୁଁ, ନଦୀ ବାଟେ ପ୍ରାୟ ୧ କିଲୋମିଟରରୁ ୩ କିଲୋମିଟର ଯାଏଁ ଲୁଣାପାଣି ପଶିଆସିବ। ଆଉ ଏଥିଯୋଗୁଁ ବଙ୍ଗୋପସାଗରରେ ମିଶୁଥିବା ଅଧିକାଂଶ ନଦୀର ପାଣି ଶୀଘ୍ର ସମୁଦ୍ରକୁ ଯାଇପାରିବ ନାହିଁ। ଫଳରେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିବା ଆଶଙ୍କା ଉପୁଜିଛି। ସେପଟେ ବାତ୍ୟା ଓ ପ୍ରବଳ ବର୍ଷା ଭଳି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିକା ପାଇଁ ଜିଲ୍ଲା ପ୍ରଶାସନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଗଲାଣି।