• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’ । ଗୋଆଠୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ରହିଛି । ଏବେ ଏହା ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବା କୁହାଯାଉଛି । ଆଗାମୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’ ।

ଗତକାଲି ଆରବ ସାଗରରେ ସୃଷ୍ଟ ଏହି ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ସୃଷ୍ଟି ହୋଇଥିବା ଲଘୁଚାପଟି ଗତକାଲି ସକାଳେ ଅବପାତର ରୂପ ନେଇଥିଲା । କାଳକ୍ରମେ ଏହା ଘନୀଭୂତ ହୋଇ ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇଛି । ହେଲେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନି । 

ବିପର୍ଯ୍ୟୟ, ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି । ଅନେକ ମଡେଲରେ ଦେଶର ପଶ୍ଚିମ ଉପକୂଳ ଯିବା ନେଇ ସୂଚନା ଦେଉଛି । ସ୍କାଏ ମେଟ୍‌ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍‌କୁ ଯିବାର ସମ୍ଭାବନା ରହିଛି ।  

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଶ୍ରୀରାମପୁର ପଂଚାୟତ ଏବଂ ଡି.ପି ପୁର ପଂଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ବଡ ବଡ଼ ଗଛ ଭାଙ୍ଗିବା ସହ ଚାଳ ଛପର ଘର ନଷ୍ଟ ହୋଇଯାଇଛି। ବିଦ୍ୟୁତ ଖୁଣ୍ଟି ଉପୁଡ଼ିଛି । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ହୋଇଛି । ନରଣପୁର, ବେହେରା ସାହି, ତୋଟାପଡା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛ କାଟି ରାସ୍ତା ସଫା କରିଛନ୍ତି ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଟିମ୍ ।