• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଙ୍ଗୋପସାଗରରେ ସୃଷ୍ଚ ବାତ୍ୟା ଅସାନି ଆସନ୍ତା ୨୪ ଘଣ୍ଚା ଭିତରେ ପ୍ରବଳ ବାତ୍ୟାର ରୂପ ନେବ । ହେଲେ ଏହା ଉପକୂଳ ଅତିକ୍ରମ କରୁ ନଥିବାରୁ ବାତ୍ୟା ଭୟ ତ ଟଳିଛି, କିନ୍ତୁ ଏହାର ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ଚାଷୀକୂଳ ।

ହେଲେ ପୂର୍ବ ଭଳି ଆଜି ବି ଆଇଏମଡିର ଆକଳନ କହୁଛି, ସମୁଦ୍ରରେ ଯେତେ ବଳ ଗୋଟାଇଲେ ବି ଏହା ପ୍ରବଳ ବାତ୍ୟାରେ ହିଁ ସୀମିତ ରହିବ । ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ । ୧୦ ତାରିଖରେ ଏହା ବଙ୍ଗୋପସାଗରର ପଶ୍ଚିମରେ କେନ୍ଦ୍ରୀଭୂତ ହେବା ପରେ କ୍ରମଶଃ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ । ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଅତି ବେଶିରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ତେବେ ଆସନ୍ତାକାଲିଠୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି ।

ବାତ୍ୟା ଅସାନୀର ଟିକିନିଖି ଖବର: ଲ୍ୟାଣ୍ଡଫଲ୍ କରିବନି ବାତ୍ୟା

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅସାନି ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ହେବ, ୧୧ ତାରିଖରେ ଗଞ୍ଜାମ, ପୁରୀ ସହ ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ବି ବର୍ଷା ହେବ। ୧୨ ତାରିଖରେ ପୁରୀ, ଜଗତ୍ସିଂହପୁର, କଟକ ଓ କେନ୍ଦ୍ରାପଡ଼ା ସହ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବି ବର୍ଷା ହେବ । ଏପରିକି ବାତ୍ୟା ପ୍ରଭାବରେ ଏଇସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି ।

ବାତ୍ୟା ଉପକୂଳ ଛୁଉଁ ନଥିବାରୁ ପବନ ଡର ତ ନାହିଁ, ହେଲେ ଅଦିନିଆ ବର୍ଷା ପ୍ରଭାବରେ ଅମଳ ଅପେକ୍ଷାରେ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚିନ୍ତାରେ ଉପକୂଳ ଅଞ୍ଚଳର ଚାଷୀକୂଳ । ତେଣୁ କିଛି କିଛି ସ୍ଥାନରେ ଧାନ ଓ ମୁଗ ଅମଳ ଉପଯୋଗୀ ନହେଉଣୁ ଚାଷୀ ତର ତରରେ ଅମଳ କରି ଘରକୁ ଆଣିବାକୁ ଉଦ୍ୟମ କରୁଛି ।