• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆହୁରି ବଢ଼ିବ ଶୀତ । କିଛି ଦିନ ଉଭାନ ହୋଇଯିବା ପରେ ରାଜ୍ୟକୁ ପୁଣି ଲେଉଟିଲା ଶୀତ । ଆଗାମୀ ୨ ଦିନ ଯାଏଁ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ବୃଦ୍ଧି ସମ୍ଭାବନା ରହିଛି । ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ଶୀତ ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହର ବଢିବ । ଏସବୁ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୪.୫ ଡିଗ୍ରୀ କମ୍ ରହିବା ସମ୍ଭାବନା ରହିଛି । ଗତକାଲି ୧୦ ଡିଗ୍ରୀ ତଳେ ୨୦ ସହର ଥିବା ବେଳେ ୫.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ଥିଲା । 

ସେପଟେ ସୁନ୍ଦରଗଡ଼ରେ ମଧ୍ୟ ୭ ଡିଗ୍ରୀକୁ ଖସିଆସିଛି ପାରଦ । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ତିନି ଦିନ ହେଲା କୋହଲା ପାଗ ସହ ପାରଦ ଖସିବାରେ ଲାଗିଛି । ଶୀତ ପାଇଁ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳିଛି ।

ସୁନ୍ଦରଗଡ଼ ବଣାଇରେ ମଧ୍ୟ ଶୀତ ଲହରୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ପ୍ରକୋପ ବଢ଼ୁଥିବାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି ।

ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ୪ ଦିନ ହେଲାଣି ପାରଦ ଖସିବା ସହିତ ହାଡ଼ ଭଙ୍ଗା ଶୀତ ପଡୁଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହଇଇପଡିଛି । ପ୍ରବଳ ଶୀତ ଯୋଗୁଁ ସଂଧ୍ୟା ସମୟରେ ଜନଶୂନ୍ୟ ହେଇପଡୁଛି । ରାସ୍ତାଘାଟ ଓ ବଜାର ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ମଧ୍ୟ ରହୁଛି । ଅଧିକାଂଶ ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ବସିରହୁଛନ୍ତି ଲୋକେ । କିଛି ଦିନ ପରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ।

ଆଜି ଶିମିଳିପାଳର କୁମାରୀରେ ତୁଷାରର ହାଲ୍‌କା ଆସ୍ତରଣ ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଶିମିଳିପାଳରେ ଥିବା ଉପର ବାର୍ହା କାମୁଡ଼ା, ଦେବସ୍ତଳୀ, ଜେନାବିଲ, ତାରାଣୀବିଲାରେ ପ୍ରବଳ ମାତ୍ରରେ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ବିଭିନ୍ନ ଗାଁର ଅନେକ ସ୍ଥାନରେ ମଧ୍ୟ ତୁଷାରର ହାଲ୍‌କା ଆସ୍ତରଣ ଦେଖିବାକୁ ମିଳିଛି । ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି । ହାଡ଼ ଭଙ୍ଗା ଶୀତ ସତ୍ୱେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି ବନଭିଭାଗ କର୍ମଚାରୀ ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ସକାଳୁ ସକାଳୁ ତୁଷାରପାତ ଦେଖିବାକୁ ମିଳିଛି । ଏହା ହେଉଛି ଚଳିତ ବର୍ଷର ପ୍ରଥମ ତୁଷାରପାତ । ଦାରିଙ୍ଗବାଡ଼ି ସମେତ ଗ୍ରୀନବାଡ଼ି, କୁତୁବାଡି, କିଲାବାଡ଼ି, କଫି ବଗିଚା ଆଦି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଏହି ସବୁ ଅଂଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଏହି ହାଡ଼ ଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ତେବେ ପର୍ଯ୍ୟଟକମାନେ ତୁଷାରପାତ ଦେଖି ଖୁସି ହୋଇଛନ୍ତି ।