• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ ପାଇଁ । ସେଥିପାଇଁ ତ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଅନେକ ।

କିଏ ଗଛ ମୂଳେ ତ ଆଉ କିଏ ମୋ ବସ୍ ଷ୍ଟପ୍ ରେ । କିଏ ଚାଦର ଘୋଡ଼େଇ ଶୋଇଥାଏ ତ କିଏ ଖୋଲା ଆକାଶକୁ ପିଠି କରି ରାତି କାଟୁଥାଏ । ନୂଆ ନୂଆ ଶୀତ, ପତଳା କୁହୁଡ଼ି ସାଙ୍ଗକୁ ଷ୍ଟ୍ରିଟ୍ ଲାଇଟର ତୋଫା ଆଲୁଅରେ ରାତ୍ରି ଯାପନ କରୁଛନ୍ତି । ଏ ୨ ଦିନ ହେବ କିଛି ସହରର ତାପମାତ୍ରା ୧୨ ଡିଗ୍ରୀ ପାଖାପାଖି ରହୁଛି ।

ଏମିତି ହାଡ଼ ଭଙ୍ଗା ଶୀତରେ କେମିତି କଟୁଛି ନିରାଶ୍ରୟଙ୍କ ଜୀବନ । ନିକୋ ପାର୍କର ମୋ ବସ୍ ଷ୍ଟପ୍ ଅଞ୍ଚଳ । ଦିନରେ ଚଳ ଚଞ୍ଚଳ ଥିବା ଏହି ରାସ୍ତା ସତେ ଯେପରି ଶୀତୁଆ ରାତିର ମଜା ନେଉଥିଲା । କିନ୍ତୁ ତା’ରି କଡ଼ରେ ଥରିଥରି ରାତି ବିତାଉ ଥିଲେ ଅନେକ ନିରାଶ୍ରୟ । କିଏ ଅଖା ଭିତରେ ତ ଆଉ କିଏ କମ୍ବଳ ଭିତରେ ପଶିଥିଲା ।

ସେହିପରି ଭୁବନେଶ୍ୱର ରେଲୱେ ଷ୍ଟେସନ ସାମ୍ନାରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ଲୋକେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥାନ୍ତି । ଯେମିତି ପେଟ ପାଟଣା ପାଇଁ ହାଇଦ୍ରାବାଦରୁ ଆସିଥିବା ଜୟ ସିଂ । ରାତି ପାହିଲେ ବ୍ୟବସାୟ କରିବେ । ଏ ଗୋଟେ ରାତିର ହାଡ଼ ଭଙ୍ଗା ଶୀତ ଯେ କେତେ କଷ୍ଟ ଦିଏ ସେ କଥା କେବଳ ଅନୁଭବୀ ହିଁ ଜାଣେ ।

ରାଜମହଲ ଫୁଟ୍‌ପାଥ୍ ସାମ୍ନା । ରାତି ପ୍ରାୟ ୨ଟା ଟପିବ । ଏଠି ବି ମୁକୁଳା ଆକାଶକୁ ପିଠି କରି ରାତି କାଟୁଥାନ୍ତି ବାସହରା । ଆଉ କିଛି ରିକ୍ସା ବାଲା ଗ୍ରାହକ ପାଇବା ଆଶାରେ ରିକ୍ସାରେ ହିଁ ଶୋଇ ପଡ଼ିଥାନ୍ତି । ଆଉ ଦୁଇଜଣ ହେଉଛନ୍ତି ଆସିକା ବାଲିପଦରରୁ ଆସିଥିବା ସୁବ୍ରତ ଓ ତାଙ୍କ ବାପା । ମେଡ଼ିକାଲ କାମ ସାରିବା ପରେ ରାତିରେ ବସ୍ ନ ମିଳିବାରୁ ରାତି ସାରା ଅନିଦ୍ରା ବସିଛନ୍ତି ବାପା ଆଉ ପୁଅ ।

ଭୁବନେଶ୍ୱରରେ ଆଶ୍ରୟସ୍ଥଳୀ ଅଛି ସତ କିନ୍ତୁ ରାତି ଅଧରେ ପଚାରେ କିଏ । ଆଶ୍ରୟସ୍ଥଳୀ ବିଷୟରେ ପଚାରିବାରୁ ଅନେକ ବାସହରା ଜାଣି ନଥିବା ମଧ୍ୟ କହିଛନ୍ତି ।