• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମ’ ୪ ତାରିଖରେ ଘୂର୍ଣ୍ଣିବଳୟ, ୬ ତାରିଖରେ ଲଘୁଚାପ । ହେଲେ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ନାହିଁ, ତାହା ଏଯାଏଁ ଅସ୍ପଷ୍ଟ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ବାତ୍ୟା ବାବଦରେ ସ୍ପଷ୍ଟ ସୂଚନା ମିଳିପାରିବ l ତେବେ ବାତ୍ୟା କେଉଁ ଦିଗରେ ଯିବ ? ପବନର ବେଗ କେତେ ହେବ? କଣ ରହିବ ଏହାର ପ୍ରଭାବ ? ଓଡ଼ିଶା ପ୍ରଭାବିତ ହେବ ନା ନାହିଁ । ୪ରୁ ୫ ଦିନ ପରେ ହିଁ ଜଣାପଡିବ ବୋଲି ସେ କହିଛନ୍ତି । ତେଣୁ ଏବେଠୁ କିଛି କହିବା ଠିକ୍ ହେବନି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ଏବଂ ସ୍ଥିତି ଅନୁକୂଳ ରହିଲେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ୧୦ ତାରିଖ ବେଳକୁ ଏହା ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୁଳ ଦେଇ ଗତି କରିପାରେ । ବାତ୍ୟା ଯଦି ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଏହାର ପ୍ରଭାବ ପଡିପାରେ । ତେବେ ୫ କିମ୍ବା ୬ ତାରିଖ ବେଳକୁ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିିଛନ୍ତି ।

ଏପଟେ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ କ୍ରମାଗତ ସାମୁଦ୍ରିକ ବାୟୁ ପ୍ରବେଶ କରୁଥିବାରୁ ସକ୍ରିୟ ହୋଇଛି କାଳବୈଶାଖୀ । ଖଡିଆଳରେ କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବର୍ଷା ହୋଇଛି । ପବନ ଯୋଗୁଁ କିଛି ସ୍ଥାନରେ ଗଛ ଭାଙ୍ଗିଯାଇଛି । ଉପକୂଳ ଓଡ଼ିଶାରେ ବି ବଦଳିଛି ପାଗର ମିଜାଜ୍ । କଟକ-ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଧିକାଂଶ ଜିଲ୍ଲାରେ ମେଘାଛନ୍ନ ରହିଛି ଆକାଶ । କିଛି ସ୍ଥାନରେ ଝିପ୍ ଝିପ୍ ବର୍ଷା ବି ହୋଇଛି । ଫଳରେ ଗଲା କିଛି ଦିନ ଧରି ଲାଗିରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।