• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।

ଏଥିସହ ୨୫ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଗତ କିଛି ଦିନ ଧରି ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିଛି । କଲବଲ କରୁଛି କାଲୁଆ ପବନ । କେନ୍ଦୁଝରରୁ କନ୍ଧମାଳ, ସୁନ୍ଦରଗଡ଼ଠୁ ଭୁବନେଶ୍ୱର, ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ରାଜ୍ୟବାସୀ । ସକାଳ ହେଉ କି ରାତି ବିନା ଶୀତବସ୍ତ୍ରରେ ଘରୁ ପଦାକୁ ବାହରିବା ମୁସ୍କିଲ ହୋଇ ଯାଉଛି ।

ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତି ପାରଦ ୧୫ ଡିଗ୍ରୀ ତଳକୁ ଚାଲିଯାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଜି. ଉଦୟଗିରିରେ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଛି । ସିମିଳିଗୁଡାରେ ୫.୭ , ଫୁଲବାଣୀ ୬.୫, କିରେଇ ୬.୬, କୋରାପୁଟ ୭.୬, ଅନୁଗୁଳ ୮ ଡିଗ୍ରୀ ସମେତ ୧୬ ସ୍ଥାନର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ଟ୍ୱିନସିଟିରେ ମଧ୍ୟ ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । ଗତ ୫ ବର୍ଷର ତଥ୍ୟକୁ ନଜର ପକାଇଲେ ୨୦୧୮ରେ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ୨୦୧୯ରେ ୯.୮ ଡିଗ୍ରୀ, ୨୦୨୦ରେ ୧୧.୭, ୨୦୨୧ରେ ୧୦ ଡିଗ୍ରୀ ଓ ୨୦୨୨ରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରହିଥିଲା ।