ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ପ୍ରବଳ ବରଫ ଝଡ଼ ଯୋଗୁଁ କଲବଲ ଆମେରିକାବାସୀ । ଯେଉଁଯାଏ ଆଖି ପାଉଛି, ଚାରିଆଡ଼େ ଖାଲି ବରଫ ହିଁ ବରଫ । ଗାଡ଼ି, ଘର, ରାସ୍ତାଘାଟ ଉପରେ ବରଫର ବହଳ ଆସ୍ତରଣ ଦେଖିବାକୁ ମିଳୁଛି । ସଡ଼କରେ ଅନେକ ଟ୍ରକ୍, ବସ୍, କାର୍ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। କେତେକ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ପ୍ରବଳ ତୁଷାରପାତ ଯୋଗୁଁ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ସମୟରେ ଏକ ବିରାଟ ଶୀତକାଳୀନ ଝଡ଼ ଆସିବାର ଆଶଙ୍କା ରହିଛି, ଯାହାକୁ ଦଶନ୍ଧିର ସବୁଠାରୁ ଭୟଙ୍କର ଝଡ଼ ସହ ତୁଳନା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାର ଅଧିକାଂଶ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।
ଏକାଧିକ ରାଜ୍ୟରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ଏବଂ ଅନେକ ଅଞ୍ଚଳରେ ଶୂନ୍ୟ ଦୃଶ୍ୟମାନତା ଜଟିଳ ସ୍ଥିତି ସୃଷ୍ଟି କରିଛି । ଆମେରିକାର ଆବାସିକ ଅଞ୍ଚଳ ତଥା ପରିବହନ ମାର୍ଗରେ ପ୍ରବଳ ତୁଷାରପାତ ଏବଂ ଥଣ୍ଡା ପବନ ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଦିନ ରାତି ହିଟର ଜାଳି ବସି ରହିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଘନ କୁହୁଡ଼ି ଯୋଗୁଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟିଛି । କାନସାସ୍, ପଶ୍ଚିମ ନେବରାସ୍କା ଏବଂ ଇଣ୍ଡିଆନା ଆଦି ସହରର ପ୍ରମୁଖ ରାସ୍ତାକୁ ଆଚ୍ଛାଦିତ କରି ରଖିଛି ବରଫ ଚାଦର । ସେଠାରେ ଫସି ରହିଥିବା ମୋଟର ଚାଳକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ନ୍ୟାସନାଲ ଗାର୍ଡ ମୁତୟନ କରାଯାଇଛି ।
Also Read
ଜାତୀୟ ପାଣିପାଗ ସେବା ପକ୍ଷରୁ, ସୋମବାର ଓ ମଙ୍ଗଳବାର ପାଇଁ କାନସାସ ଓ ମିସୋରୀରୁ ନ୍ୟୁ ଜର୍ସି ପର୍ଯ୍ୟନ୍ତ ଶୀତ ଝଡ଼ର ସତର୍କ ସୂଚନା ଜାରି କରିଛି । ଏହି ଅଞ୍ଚଳରେ ରେକର୍ଡ ଭଙ୍ଗ କରୁଥିବା ତୁଷାରପାତର ଆଶଙ୍କା ରହିଛି । ମିସୋରୀ ଓ ଆରକାନ୍ସ ସହର ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଏହି ଶକ୍ତିଶାଳୀ ଝଡ଼ କେନ୍ଦ୍ରୀୟ ଆମେରିକାରେ ଆରମ୍ଭ ହୋଇ ଆଗାମୀ କିଛି ଦିନ ମଧ୍ୟରେ ପୂର୍ବ ଦିଗକୁ ଗତି କରିବ । ଏହି ସମୟରେ ୪୦ ମାଇଲ ବେଗରେ ଶୀତୁଆ ପବନ ବହିବ । ଫଳରେ ଚାରିଆଡ଼େ ବିଦ୍ୟୁତ ଚାଲିଯିବାର ଅନେକ ସମ୍ଭାବନା ରହିଛି । ଭୟଙ୍କର ଝଡ଼ ଦ୍ୱାରା ୬୩ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହୋଇପାରନ୍ତି ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଅଞ୍ଚଳରୁ ମଧ୍ୟ-ଆଟଲାଣ୍ଟିକ୍ ରାଜ୍ୟ ପର୍ଯ୍ୟନ୍ତ ତୁଷାର ଓ ବରଫ ଝଡ଼କୁ ନେଇ ଚେତାବନୀ ଦେଇଛି ଏନଡବ୍ଲୁଏସ । ଲୋକଙ୍କୁ ଗାଡି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମ କାନସାସରୁ ମେରିଲ୍ୟାଣ୍ଡ, ଡେଲାୱେର୍ ଏବଂ ଭର୍ଜିନିଆର ତଟୀୟ ରାଜ୍ୟ ପର୍ଯ୍ୟନ୍ତ ଶୀତକାଳୀନ ଝଡ଼ର ସତର୍କ ସୂଚନା ଜାରି ହୋଇଛି । ୨୪୦୦ କିଲୋମିଟର ଅଞ୍ଚଳକୁ ତୁରନ୍ତ ବିପଦରେ ପକାଇବାର ଅନେକ ଆଶଙ୍କା ରହିଛି । ଏହା ପୂର୍ବରୁ ଭର୍ଜିନିଆ, କାନସାସ୍, କେଣ୍ଟୁକି, ମେରିଲ୍ୟାଣ୍ଡ ଏବଂ ସେଣ୍ଟ୍ରାଲ୍ ଇଲିନୋଇସରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।
ରବିବାର ସେଣ୍ଟ ଲୁଇସ ଲାମବର୍ଟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରାୟ ୨୦୦ ବିମାନ ବାତିଲ କରାଯାଇଥିଲା । ତୁଷାରପାତ ହେତୁ ଶନିବାର ଅପରାହ୍ନରେ କାନସାସ ସିଟି ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଏହି କାରଣରୁ ୧୨ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ରାଷ୍ଟ୍ରିୟ ସମୂଦ୍ରୀ ବାୟୁମଣ୍ଡଳ ପ୍ରଶାସନ ପକ୍ଷରୁ କୁହାଯାଉଛି, ଏକ ଦଶନ୍ଧି ପରେ ଏଭଳି ଭୟଙ୍କର ଝଡ଼ର ଆଶଙ୍କା ରହିଛି । ଆମେରିକାର ଅନେକ ଅଞ୍ଚଳରେ ସବୁଠାରୁ ବଡ ତୁଷାରପାତ ଏବଂ ଝଡ଼ ଦେଖାଯିବ । ବିଭ ଅଧିକାରୀ କହିଛନ୍ତି, ୨୦୧୧ ପର ଠାରୁ ଏହା ଆମେରିକା ପାଇଁ ସବୁଠାରୁ ଶୀତଳ ତଥା ହାଡ଼ଥରା ଜାନୁଆରୀ ହୋଇପାରେ । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଅନୁଭୂତ ହେବ ।
କିଛି ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରବଳ ପବନ ବହିବା ଦ୍ୱାରା ବିପଦ ବଢ଼ିବ । ଆମେରିକାର ଗଲ୍ଫ୍ କୋଷ୍ଟରେ ସ୍ୱାଭାବିକ ଠାରୁ ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିପାରେ ତାପମାତ୍ରା । ସେହିପରି ନିମ୍ନ ମିସିସିପି ଉପତ୍ୟକାରେ ପ୍ରବଳ ଝଡ଼ ହେବାର ପୂର୍ବାନୁମାନ କରିଛି NWS ( National Weather Service ) ।