/odishatv-khabar/media/post_attachments/uploadimage/library/16_9/16_9_0/Heavy_Rain_1660129115.jpg)
Heavy Rain
ପୁଣି ବର୍ଷିବ । ଆହୁରି ବର୍ଷିବ । ଆସନ୍ତା ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା । ଲଘୁଚାପ ସୃଷ୍ଟି ହେବା ପରେ ଏହା ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ସେପଟେ ଲଘୁଚାପ ଫଳରେ ୧୩ ତାରିଖରୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ଆଶଙ୍କା କରାଯାଇଛି । ତେଣୁ ୧୩ ତାରିଖରେ ଅତିପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲା ଏଥିରେ ସାମିଲ ।
ଅନ୍ୟପଟେ ଏବେ ବି ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେଉଛି । କ୍ରମେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡେ ମୁହାଁଇବ । ଏଥିପାଇଁ ଓଡ଼ିଶାର ସମସ୍ତ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯିବା ସହ ୪ ଜିଲା ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
୧୨ ତାରିଖ ବେଳକୁ ବର୍ଷାର ପରିମାଣ ସାମାନ୍ୟ କମି ୧୩ରୁ ପୁଣି ବଢିବ ଅବପାତ । ଛତିଶଗଡ଼ ଆଡକୁ ଗତି କରିବା ସମୟରେ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତାକାଲି ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ସେପଟେ ବର୍ଷାର ପରିମାଣ ବଢ଼ିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଣି ଜମି ରହିଛି । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ଟିକିଏ ଅଧିକ ବିଗିଡ଼ିଛି । ମାଲକାନଗିରି ଝାପ୍ରା ପୋଲ ଉପରେ ୮ରୁ ୧୦ ଫୁଟର୍ ପାଣି ଚାଲିଛି । ଏକାକାର ହୋଇଯାଇଛି ରାସ୍ତାଘାଟ ଓ ବିଲବାଡ଼ି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)