• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଥିବା ବେଳେ ଆଉ ଏକ ଲଘୁଚାପକୁ ନେଇ ଛନ୍‌କା । ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ଓ ଏହାର ପ୍ରଭାବରେ ଦୁଇ ତିନି ଦିନ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟ ସରକାର ହୀରାକୁଦ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାରି ଭିତରେ ଆଜି ହୀରାକୁଦ ଡ୍ୟାମ୍‌ର ୧୨ଟି ଗେଟ୍ ବନ୍ଦ କରିଦିଆଯିବା ପରେ ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

ରାଜ୍ୟରେ ଭୟଙ୍କର ବନ୍ୟାସ୍ଥିତି । ୧୨ଟି ଜିଲ୍ଲା ବନ୍ୟାର ଆଁ ଭିତରେ । ବିଶେଷ କରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏବେବି ଗାଁ ଦାଣ୍ଡରୁ ପାଣି ଛାଡିନି । ଏଭଳି ସ୍ଥିତିରେ ଡରାଇଲାଣି ଆଉ ଏକ ଲଘୁଚାପ । ଆଜି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପରେ ଏହା ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତାକାଲି ଓ ତା ପରଦିନ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷ କରି ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ । ସେହିପରି ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ଆସନ୍ତାକାଲି ପାଇଁ ଓଡ଼ିଶାକୁ ରେଡ୍ ଓ୍ୱାର୍ଣ୍ଣଂ ଦିଆଯାଇଛି । ସେହିପରି ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ୍ ଓ୍ୱାର୍ଣ୍ଣିଂ । ବର୍ଷାର ପରିମାଣ ଅଧିକ ରହିଲେ ଏହା ବନ୍ୟା ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ବନ୍ୟା ବିପନ୍ନଙ୍କ ମଧ୍ୟରେ ଛନ୍‌କା ପସିଛି ।

ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ବନ୍ୟା ସ୍ଥିତି ସୁଧୁରି ନଥିବା ବେଳେ ଆସୁଥିବା ବର୍ଷାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହାର କେମିତି ମୁକାବିଲା କରାଯିବ ସେନେଇ ପ୍ରସ୍ତୁତ ହୋଇଛି ପ୍ଲାନ୍ । ଏବେ ହୀରାକୁଦ ଜଳଭଣ୍ଡାରରେ ୬୨୪ ଫୁଟ୍ ପାଣି ଅଛି । ଏହାକୁ ୬୨୨ ଫୁଟ୍‌ରେ ରଖିବାକୁ ଜଳସଂପଦ ବିଭାଗ ନିଷ୍ପତ୍ତି ନେଇଛି । ଯେହେତୁ ଦୁଇଦିନ ବର୍ଷା ହେବ ଓ ଛତିଶଗଡ଼ରେ ସର୍ବାଧିକ ପ୍ରାୟ ୫୦ ମିଲିମିଟର ବର୍ଷା ହେବାର ଆକଳନ କରାଯାଉଛି, ସେ ଦୃଷ୍ଟିରୁ ହୀରାକୁଦକୁ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ପାଣି ଆସିପାରେ । ତେଣୁ ଡ୍ୟାମ୍‌ରୁ ମଧ୍ୟ ସେତିକି ଜଳ ଛଡାଯିବ ବୋଲି SRC କହିଛନ୍ତି । ଯଦ୍ୱାରା ମୁଣ୍ଡଳିଠାରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ ଏବଂ ମହାନଦୀ ସିଷ୍ଟମରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ସରକାର ଚିନ୍ତା କରୁଛନ୍ତି । ସେପଟେ ଲଘୁଚାପ ଓ ବର୍ଷାକୁ ଆଖି ଆଗରେ ଖୋଲାଯାଇଥିବା ୪୦ଟି ଗେଟ୍ ମଧ୍ୟରୁ ଆଜି ୧୨ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି ।