/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697120976.jpg)
Temperture High In October
ଅକ୍ଟୋବରରେ ଶୀତ ଆସିବ କଣ, ଓଲଟା ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ। ଦିନରେ ଟାଣ ଖରା, ଅପରାହଣରେ ଗରମ ଓ ଗୁଳୁଗୁଳି। ପ୍ରାୟ ସପ୍ତାହେ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଏପରି ସ୍ଥିତି। ଏମିତିକି କିଛି କିଛି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି। ଏଥିପାଇଁ ପଶ୍ଚିମା ପବନ, ସ୍ୱଳ୍ପବୃଷ୍ଟି, ଜଳବାୟୁରେ ପରିବର୍ତ୍ତନକୁ ବିଶେଷଜ୍ଞ ଦାୟୀ କରିଛନ୍ତି।
ଦିନ ବଢିଲେ ଚିନ୍ତା ବଢୁଛି। ଆଶ୍ୱିନ ମାସ ଖରା ଟାଇଁ ଟାଇଁ ଲାଗୁଛି। ଦିନରେ ଖରା, ସଞ୍ଜ ନଇଁଲେ ଗୁଳୁଗୁଳି। ଠିକ ଏମିତି ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଲାଗି ରହିଛି। ଚଳିତ ମାସର ପ୍ରଥମ ସପ୍ତାହରେ ଉତ୍ତର ଓଡିଶା ସମେତ ଉତ୍ତର-ପଶ୍ଚିମ ଓଡିଶାର କେତେକ ସ୍ଥାନରେ ବର୍ଷା ଦେଖିବାକୁ ମିଳିଥିଲା। ଏହାପରେ ରାଜ୍ୟରେ ବର୍ଷା ଗାଏବ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ। କାଁ ଭାଁ ସ୍ଥାନରେ ସ୍ୱଳ୍ପବୃଷ୍ଟିର ସମ୍ଭାବନା ରହିଛି।
ସେହିପରି ଲଗାତାର ଭାବେ ପାଗ ଶୁଖିଲା ରହିଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବାର ଅଧିକ ଆଶଙ୍କା ରହିଛି। ଦିନେ କି ଦୁଇ ଦିନ ଭିତରେ ଏହା ସମ୍ପୁର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଯାଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ମୌସୁମୀ ଫେରିବା ଏବଂ ଶୀତ ଆସିବା ମଝି ସମୟରେ ସାଧାରଣତ ଗରମ ଅନୁଭବ ହୋଇଥାଏ ବୋଲି କହିଛି ପାଣିପାଗ ବିଭାଗ।
ଗତ ପାଞ୍ଚ ବର୍ଷର ତଥ୍ୟ ଦେଖିଲେ ଚଳିତବର୍ଷରେ ଅକ୍ଟୋବର ମାସର ଖରା ବା ତାପମାତ୍ରା ସର୍ବାଧିକ ରହିଛି। ପାଞ୍ଚ ବର୍ଷରେ ରାଜ୍ୟରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ କିଛି ସ୍ଥାନରେ ଏହା ୩୬ ଡିଗ୍ରୀ ଯାଏଁ ରହିଛି। ପୂର୍ବରୁ ଏହା ସାଧରଣତ ୩୨ ରୁ ୩୩ ଡିଗ୍ରୀ ମଧ୍ୟରେ ରହିଥାଏ। କେବଳ ଯେ ସେତିକି ନୁହେଁ ବର୍ଂ ବାୟୁ ମଣ୍ଡଳ ଆଦ୍ରତା ବା ହ୍ୟୁମିଡିଟି ୩୫ ପ୍ରତିଶତ କିମ୍ବା ଏହାଠୁ ଅଧିକ ରହୁଥିବାରୁ ଗରମ ଗୁଳୁଗୁଳି ଅନୁଭୁତ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ।
ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ଅକ୍ଟୋବର ମାସର ତୃତୀୟ ସପ୍ତାହ ଯାଏଁ ରାଜ୍ୟରେ ସାଧରଣତ ବର୍ଷା କିମ୍ବା ଲଘୁଚାପ କ୍ଷେତ୍ର ଦେଖିବାକୁ ମିଳିଥାଏ, ଯାହାର ପ୍ରଭାବରେ ଗରମ ଗୁଳୁଗୁଳି ଟିକେ କମ୍ ରହିଥାଏ। କିନ୍ତୁ ଚଳିତବର୍ଷ ଏହା ଭିନ୍ନ ହୋଇଛି। କାଁ ଭାଁ କୋଚିତ କୁ ଛାଡିଲେ, ବିସ୍ତାରିତ ପରିସର ଆକଳନ ଅନୁସାରେ ଶେଷ ସପ୍ତାହ ଯାଏଁ ରାଜ୍ୟରେ ବର୍ଷାର ପ୍ରଭାବ ରହିବ ନାହିଁ ବୋଲି ଆଶଙ୍କା କରାଯାଉଛି। ଏହା ସହ ପଶ୍ଚିମା ପବନ, କମ ବର୍ଷା ଏବଂ ଏଲନିନୋ ପ୍ରଭାବ ରହିଥିବାରୁ ଅକ୍ଟୋବରରେ ଗରମ ବଢିବା ଏବଂ ଶୀତ କମିବାର ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)