• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଖିରେ ଜକେଇ ଆସୁଛି ଲୁହ । ମନରେ ଅସମ୍ଭାଳ କୋହ । କାରଣ ସର୍ବଗିଳା ବନ୍ୟା ପାଣି ଧସେଇ ପଶିଛି ଏମାନଙ୍କ ଘର ଭିତରେ । ଉଜାଡ଼ି ଦେଇଛି ସବୁକିଛି । ନଦୀ ବନ୍ଧରେ ଦୁର୍ଦଶାରେ ରାତି କଟୁଛି, ଦିନ ବିତୁଛି । ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।

ବୋଧହୁଏ ଏମାନଙ୍କ ଏଭଳି ଦୁର୍ଦ୍ଦଶା ହୋଇନଥାନ୍ତା, ଯଦି ଗୋପ ବେଦପୁର ପଞ୍ଚାୟତର ଖଣ୍ଡିଆକୁଦ କୁଶଭଦ୍ରା ନଦୀରେ ଘାଇ ହୋଇନଥାନ୍ତା । କିନ୍ତୁ ବନ୍ୟାର ପ୍ରଖର ସ୍ରୋତ ଭାଙ୍ଗିଦେଲା ସବୁକିଛି । ବନ୍ୟା ପାଣି ଧସେଇ ପଶିଛି ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଗୋରଡ଼ା, ଡଭାର, ନୂଆଖୋଲମରା ଆଦି ପଞ୍ଚାୟତର ଶହ ଶହ ଗାଁକୁ । ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ପରେ ଘାଇ ସ୍ଥଳରେ ପହଞ୍ଚିଥିଲେ ମନ୍ତ୍ରୀ, ଜିଲ୍ଲାପାଳ ।

ପୁରୀ ଜିଲ୍ଲାର ପିପିଲି ଏବଂ କୋଣାର୍କ ଇଲାକା ବି ଉବୁଟୁବୁ । ଜଳବନ୍ଦୀ ପିପିଲି, ଡେଲାଙ୍ଗ ଓ କଣାସ ଅଞ୍ଚଳର ବହୁ ଗାଁ । କଣାସର ମକରା ଓ ରାଜୁଆ ନଦୀରେ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ରାଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦିଆପଡ଼ାରେ ହୋଇଥିବା ଘାଇ କ୍ରମେ ମେଲିବାରେ ଲାଗିଛି ।  ଫଳରେ ୭ରୁ ଅଧିକ ଗାଁରେ ବନ୍ୟା ପାଣି ମାଡ଼ିଯାଇଛି ।

ଘର ଭିତରେ ରୋଗାକ୍ରାନ୍ତ ଅବସ୍ଥାରେ ପଡ଼ି ରହିଛନ୍ତି ଘରର ମୂରବୀ । ତଳେ ଲହଡ଼ି ଭାଙ୍ଗୁଛି ୪ ଫୁଟ୍ ଉଚ୍ଚର ପାଣି । ଘର ଭିତର ବି ଉବୁଟୁବୁ । ତାରି ଭିତରେ କାଳ କାଟିବାକୁ ପଡୁଛି ସମସ୍ତଙ୍କୁ । ଏପଟେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଭାରତୀପୁର ଜମ୍ବିଲା ।ଧନୁଆ ନଦୀର ବନ୍ୟାଜଳ ନିମାପଡା-ଭୁବନେଶ୍ୱର ମୁଖ୍ୟରାସ୍ତା ଗରପଦା ଠାରେ ଚାଲୁଥିବାରୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । 

ଏପଟେ ଖୋର୍ଦ୍ଧା ଜିଲ୍ଲାର ଏନ୍ଏଚ୍ ଉପରେ ପାଣି । ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି, ବିଲବାଡ଼ିରେ ବି ପାଣି । ରାଜୁଆ ନଦୀର ତିରିମଲ ପାଖରେ ଶହେ ଫୁଟ୍‌ର ଘାଇ ବର୍ତ୍ତମାନ ଚିନ୍ତା ବଢ଼ାଇଛି ନଦୀକୁଳିଆ ଲୋକଙ୍କର । ଏହି ଘାଇ ଯୋଗୁ ଖୋର୍ଦ୍ଧା ଜିଲ୍ଲାର ୧୦ରୁ ୧୨ଟି ଗାଁ ଜଳବନ୍ଦୀ ଅବସ୍ଥାରେ । ଦୟା ଓ ରାଜୁଆ ନଦୀର ବିଭିନ୍ନ ସ୍ଥାନରେ ଘଳିଆ ପଡ଼ିବାରେ ଲାଗିଛି ।

ସେପଟେ ନରଣଗଡ଼, ଓରବରସିଂହ ଏବଂ ବ୍ରଜମୋହନପୁର ପଞ୍ଚାୟତରେ ବି ପାଣି ବଢ଼ିବାରେ ଲାଗିଛି । ମଳିପଡ଼ା ପଞ୍ଚାୟତ ମାନପୁର ଗାଁର ଜଣେ ବ୍ୟକ୍ତି ସାପ କାମୁଡ଼ାର ଶିକାର ହୋଇଛନ୍ତି । କିନ୍ତୁ ବନ୍ୟା ଯୋଗୁ ମେଡ଼ିକାଲ୍ ଯାଇପାରୁନାହାଁନ୍ତି । ତେଣେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବନ୍ଦ । ମହାନଦୀର ଶାଖାନଦୀ ରଣନଦୀର ପାଣି ଏନ୍ଏଚ ଉପରେ ଚାଲୁଥିବାରୁ ବାଘମାରୀଠାରେ ଏହି ରାସ୍ତାକୁ ସିଲ୍ କରିଦିଆଯାଇଛି । ଆଉ ଅଟ୍ରି ଉଷ୍ଣପ୍ରସବଣରେ ବି ସ୍ଥିତି ସଙ୍ଗୀନ । ରଣନଦୀର ପାଣି ମାଡ଼ିଆସି ୬ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଛି ।

ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ବାଲିଅନ୍ତା ଓ ବାଲିପାଟଣା ବ୍ଳକ୍‌ର ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।