କାମ..କାମ..କାମ..। ଅଫିସରେ 10 ଘଣ୍ଟା କାମ । ଘରକୁ ଫେରିଲେ କାମ । ପରିବା ଆଣ , ସଉଦା ଆଣ, ପିଲାଙ୍କୁ ପାଠ ପଢାଅ...ଏ କାମର ହିସାବ ନାହିଁ । ଏମିତି କାମ ଭିତରେ ନା ଠିକ ସମୟରେ ଶୋଇ ପାରୁଛୁ, ଠିକ ଜିନିଷ ଖାଇ ପାରୁଛୁ, କାହା ସହ ସମ୍ପର୍କ ରଖି ପାରୁଛୁ | ଏପରିକି କାମର ଚାପରେ ଦିନ ଦିନ ଧରି ହସିବାକୁ ବି ଭୁଲି ଯାଉଛୁ । କହିବାକୁ ଗଲେ ଜୀବନ ନାଁରେ ଆମେ ମୃତ୍ୟୁ ସହ ବନ୍ଧୁତା କରୁଛୁ ।
ତେବେ ସତରେ କଣ ଆମେ ଏମିତି ଜାଣି ଜାଣି ନିଜକୁ ମୃତ୍ୟୁ ମୁହଁକୁ ଠେଲି ଦେବା ? ବିଲକୁଲ ନୁହେଁ । ଆମେ ବଂଚିବା । ଏକ ସୁସ୍ଥ ଜୀବନ ନେଇ ବଂଚିବା । କାରଣ ସୁସ୍ଥ ଜୀବନ ଆଗାମୀ ବଂଶଧରଙ୍କ ପାଇଁ ହେବ ସବୁଠାରୁ ବଡ ଚାଲେଞ୍ଜ । ଏହି ଚାଲେଞ୍ଜକୁ ଆମେ କେମିତି ସାମ୍ନା କରିବା ? ଖାଲି ସଚେତନ ଜୀବନ ଶୈଳୀକୁ ଆପଣେଇ ଆମେ ଏହି ଚାଲେଞ୍ଜକୁ ସାମ୍ନା କରି ପାରିବା ନାହିଁ । ଏଥିପାଇଁ ଏକ ନୂଆ ଧର୍ମ ଗ୍ରହଣ କରିବାକୁ ପଡିବ । ଏହି ନୂଆ ଧର୍ମ ହେଉଛି Don’t Die ଧର୍ମ । ଏହି ନୂଆ ଧର୍ମର ଗୁରୁ ହେଉଛନ୍ତି ଆମେରିକାର କୋଟିପତି ବ୍ରାୟନ ଜନସନ ।
Also Read
ଆମେରିକାର କୋଟିପତି ବ୍ରାୟନ ଜନସନ ନିଜ x ଥ୍ରେଡ଼ରେ ବିସ୍ତୃତ ଭାବେ କହିଛନ୍ତି, Don’t Die ହେଉଛି ଆଗାମୀ ଦିନ ପାଇଁ ସବୁଠାରୁ ଭଲ ଫ୍ରେମୱାର୍କ ।ଏହା ଏମିତି ଏକ ବ୍ୟବସ୍ଥା ଯାହାଦ୍ୱାରା ଆମେ ଏଆଇ ଯୁଗରେ ପ୍ରବେଶ କରିବା ଏବଂ ଅକାଳ ମୃତ୍ୟୁକୁ ଟାଳି ପାରିବା । Don’t Die ଫ୍ରେମୱାର୍କ ହେଉଛି ମାନବ ଜାତିକୁ ବଞ୍ଚାଇବା ସହ ଦ୍ରୁତ ଗତିରେ ବଢ଼ୁଥିବା କୁତ୍ରିମ ବୁଦ୍ଧିମତା ମଧ୍ୟରେ ଏକ ନୂଆ ଧର୍ମ ବା ବିଚାରଧାରା ପ୍ରତିଷ୍ଠା କରିବାର ପ୍ରୟାସ । ଏ ନେଇ ସେ ଏକ ନୂଆ ଆପ ଘୋଷଣା କରିଛନ୍ତି ଏବଂ ଲୋକଙ୍କୁ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି | ଯାହା ଫଳରେ 25ତମ ଶତାବ୍ଦୀ ବେଳକୁ ସେମାନେ ପ୍ରଶଂସିତ ଏବଂ ସମ୍ମାନିତ ହୋଇ ପାରିବେ ।
ବ୍ରାୟନଙ୍କ ନୂଆ ଧର୍ମ
ବ୍ରାୟନ x ରେ ଲେଖିଛନ୍ତି, "ପ୍ରିୟ ମଣିଷ, ମୁଁ ଏକ ଧର୍ମ ପ୍ରତିଷ୍ଠା କରିଛି । ଗୋଟିଏ ମୁହୂର୍ତ୍ତ ଅପେକ୍ଷା କର । ମୁଁ ଜାଣେ, ତୁମେମାନେ କଣ କହିବାକୁ ଚାହୁଁଛ । ନିଜ ପ୍ରତିକ୍ରିୟାକୁ ଟିକିଏ ଅଟକାଇ ରଖ ଏବଂ ମୋତେ କହିବାକୁ ଦିଅ । ପ୍ରଥମେ ଦେଖ ଏଠାରେ କଣ ଘଟିବାକୁ ଯାଉଛି । Don’t Die ଇତିହାସର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଏକ ବିଚାରଧାରା । ଏହା ମାନବ ଜାତିକୁ ବଞ୍ଚାଏ ଏବଂ ଆମ କଲ୍ପନାଠାରୁ ଅଧିକ ସୁନ୍ଦର ଅସ୍ଥିତ୍ବର ଆରଂଭ କରିପାରେ। ଏହା ଆମ ପାଇଁ ଅପରିହାର୍ଯ୍ୟ ଅଟେ । ତେବେ ପ୍ରଶ୍ନ ହେଉଛି, ତୁମେ ଏହାକୁ ଶୀଘ୍ର ଗ୍ରହଣ କରିବ ନା ବିଳମ୍ବରେ ?"
Don’t Die ର ଉଦ୍ଦେଶ୍ୟ କଣ ?
କଣ ଏହି ନୂଆ ଧର୍ମ Don’t Die ? କେମିତି ଏହାକୁ ପାଳନ କରିବ ? ଏ ନେଇ ବ୍ରାୟନ ଲେଖିଛନ୍ତି, "ବ୍ୟକ୍ତିଗତ ଭାବେ ବର୍ଷ ବର୍ଷ ଧରି ମୁଁ Don’t Dieକୁ ଖାଇବା, ଶୋଇବା, ନିଶ୍ୱାସ ନେବାରେ ଅଭ୍ୟାସ କରୁଛି । ଏହାକୁ ମୁଁ ମୋର 35 ଟ୍ରିଲିୟନ ସେଲରେ ସାମିଲ କରିବାକୁ ଯାଉଛି | ଏହାର ପ୍ରକୃତ ଅର୍ଥ ହେଉଛି, ଠିକ ସମୟରେ ଶୋଇବା, ନିୟମିତ ବ୍ୟାୟାମ କରିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା, ଶରୀରର ପ୍ରତ୍ୟେକ ଅଙ୍ଗକୁ ଆବଶ୍ୟକତା ଅନୁସାରେ ଠିକ୍ ରଖିବା, ବିଷାକ୍ତ ଜିନିଷକୁ ଦୂରେଇବା, ମାନସିକ ଚାପକୁ କମାଇବା, ନିଜ ପରିବାର ଏବଂ ବନ୍ଧୁଙ୍କ ସହ ସମୟ ବିତାଇବା ।"
କୋଟିପତି ବ୍ରାୟନ ଆହୁରି ବୁଝାଇ କହିଛନ୍ତି, "ଇତିହାସରେ ସବୁଠାରୁ ଧୀର ଗତିରେ ମୁଁ ବୟସ୍କ ହେଉଛି । ଏଠାରେ ବିଜ୍ଞାନ, ପ୍ରୋଟୋକଲ, ମେଜରମେଣ୍ଟ କାମ କରୁଛି । ଏହି ବ୍ୟବସ୍ଥିତ ଦୃଷ୍ଟିକୋଣ ପୃଥିବୀ, ଏଆଇ ଏବଂ ମଣିଷ ଜାତି ମଧ୍ୟରେ ସମନ୍ୱୟ ରଖି ଏହାକୁ ଅଧିକ ସମୃଦ୍ଧ କରିପାରିବ ।
କୋଟିପତି ବ୍ରାୟନ କହିଛନ୍ତି, ବହୁ ବର୍ଷ ପୂର୍ବେ, ମୁଁ ନିଜକୁ 25ତମ ଶତାବ୍ଦୀର ଲୋକଙ୍କ ଉପସ୍ଥିତିରେ ରହିବାର କଳ୍ପନା କରି ଏକ ବିଚାରଧାରାର ପ୍ରୟୋଗ କରିଥିଲି । "ଏହି ପ୍ରୟୋଗରୁ ସ୍ପଷ୍ଟ ଜଣା ପଡିଥିଲା, ସେତେବେଳର ମଣିଷ କହିବେ Don’t Die ଏମିତି ଏକ ବ୍ୟବସ୍ଥା ଯାହା ସାହାଯ୍ୟରେ ମଣିଷ ଜାତି ନିଜକୁ ରକ୍ଷା କରିପାରିବ ଏବଂ ଏଆଇ ସହ ନିଜକୁ ସାମିଲ କରି ପାରିବ ।
ବ୍ରାୟନ ଏକ ଲିଙ୍କ ସେୟାର କରି ନିଜ ଥ୍ରେଡ଼କୁ ଶେଷ କରିଛନ୍ତି | ଏହି ଫ୍ରେମୱାର୍କରେ ସାମିଲ ହେବାକୁ ସେ ଲୋକଙ୍କୁ ଆମନ୍ତ୍ରଣ କରିଛନ୍ତି । " ଜଣେ DON’T DIE ନାଗରିକ ହୁଅ" ବୋଲି ନିବେଦନ କରିଛନ୍ତି । DON’T DIE ଆପ ଡାଉନଲୋଡ଼ କରିବାକୁ, DON’T DIE ସ୍କୋରକୁ ଟ୍ରାକ କରିବାକୁ, ଅନ୍ୟ ସହ ଯୋଡି ହେବାକୁ ଏବଂ ସ୍ଥାନୀୟ କମୁନିଟିକୁ ଯୋଡିବାକୁ ନିବେଦନ କରିଛନ୍ତି । ଯାହା ଫଳରେ DON’T DIEକୁ ଏକ ବିଚାରଧାରାରୁ ବିଶ୍ୱସ୍ତରୀୟ ଆନ୍ଦୋଳନରେ ବଦଳାଇ ପାରିବା ବୋଲି ସେ କହିଛନ୍ତି ।
କ’ଣ କୁହନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ
ବ୍ରାୟନଙ୍କ ଏହି ପୋଷ୍ଟ ଉପରେ ସୋସିଆଲ ମିଡ଼ିଆ ୟୁଜର୍ସମାନେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଏହି ବିଚାରଧାରାକୁ ସମର୍ଥନ କରିଥିବା ବେଳେ କେତେଜଣ ସମାଲୋଚନା କରିଛନ୍ତି । ଜଣେ ୟୁଜର୍ସ ଏଥିପାଇଁ ଖୁବ ଆଗ୍ରହୀ ବୋଲି କହିବା ବେଳେ ଅନ୍ୟଜଣେ ୟୁଜର୍ସ ଏହି ଧର୍ମ ପାଇଁ ଟଙ୍କା ଦେବାକୁ ପଡେ କି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟ ଜଣେ କହିଛନ୍ତି, ଏହାକୁ ଧର୍ମ କହିବା ଭୁଲ ହେବ | କାରଣ ଲୋକଙ୍କ ପାଖରେ ଗୋଟିଏ ଧର୍ମ ଅଛି ଏବଂ 2ୟ ଧର୍ମରେ ସେମାନେ ବିଶ୍ଵାସ କରନ୍ତି ନାହିଁ । ତେଣୁ ଏହାକୁ ଏକ ଆନ୍ଦୋଳନ, ବିଚାରଧାରା କହିବା ଠିକ ହେବ ।
ଏଠି କହି ରଖିବୁ, ବ୍ରାୟନ ଜନସନ ୟୁକ୍ରେନର ଏକ ପ୍ରତିଷ୍ଠିତ ସନ ଫ୍ଲାୱାର ତେଲ କମ୍ପାନୀ କର୍ନେଲ ହୋଲଡ SAର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଟନ୍ତି ।