• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ପଡ଼ିବ। 

ବାସ୍ତବ ଆଡ଼କୁ ମୁହାଁଉଛି କି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ? ଟୁଇନ ସିଟିବାସୀଙ୍କୁ ମିଳିବ ତ’ ମେଟ୍ରୋ ଯାତାୟତର ସୁବିଧା ? କାରଣ ଏ ଭିତରେ ଆଉ ପାଦେ ଆଗେଇଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ। ଡିପିଆର୍ ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ- DMRC ପକ୍ଷରୁ ଆରମ୍ଭ ହୋଇଛି ପ୍ରାରମ୍ଭିକ ସର୍ଭେ । DMRCର ଏକ ଟେକ୍ନିକାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚି ତ୍ରିଶୁଳିଆଠାରୁ ନନ୍ଦନକାନନ ମଧ୍ୟରେ ୪ଟି ସ୍ଥାନରେ ଆରମ୍ଭ କରିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ । ପ୍ରତି ୧ କିଲୋମିଟର ବ୍ୟବଧାନରେ ସଂଗ୍ରହ ହେଉଛି ମାଟି ନମୁନା ।

ରାଜସ୍ଥାନରୁ ଆସିଥିବା ଏହି ଟିମ୍ ସ୍ବତନ୍ତ୍ର ମେସିନ ଜରିଆରେ ପ୍ରତି ଦେଢ଼ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୁନା ସଂଗ୍ରହ କରୁଛନ୍ତି । ମେଟ୍ରୋ ପ୍ରକଳ୍ପ ପିଲାର ଧରି ରଖିବାରେ ଏହି ମାଟି କେତେ ସମର୍ଥ ହେବ, ତାହା ପରୀକ୍ଷା ହେବ। ସେଥିପାଇଁ ମାଟି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଉଛନ୍ତି ।

ଯୋଜନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଡ଼ିହେବ ମେଟ୍ରୋ ଲାଇନ । ପ୍ରାୟ ୨୬ କିଲୋମିଟର ମେଟ୍ରୋ ଲାଇନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପାଖାପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ ମେଟ୍ରୋ ଟ୍ରାକ୍ । ବିମାନ ବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ରୁ ୮ଟି ଷ୍ଟେସନ ରହିବ । ମେଟ୍ରୋ ପ୍ରକଳ୍ପ ବାସ୍ତବ ରୂପ ନେଲେ ଭୁବନେଶ୍ବରରୁ କଟକ ମାତ୍ର ୧୫ ମିନିଟ ଓ ପୁରୀକୁ ୩୦ ମିନିଟରେ ପହଞ୍ଚି ହେବ । ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର୍ ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର ।

 

 

  • Reported by:
  • KAPILENDRA PRADHAN , BIBARTAN PANDA