ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ତେବେ ଗତ ୧୯୯୯ରୁ ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ହାଇଦ୍ରାବାଦର ମହିଳା ବୈଜ୍ଞାନିକ ଶିନା ରାଣୀ ଏହି ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।
ଏକାଧିକ ସ୍ୱାଧୀନ ଟାର୍ଗେଟ୍ ଯୋଗ୍ୟ ରି-ଏଣ୍ଟ୍ରି (MIRV) ଟେକ୍ନୋଲୋଜି ଯୁକ୍ତ ଅଗ୍ନି-୫ କ୍ଷେପଣାସ୍ତ୍ରକୁ ଶିନା ରାଣୀଙ୍କର ପଚିଶ ବର୍ଷର ଗୌରବମୟ ଉପଲବ୍ଧି ବୋଲି କୁହାଯାଉଛି । ପ୍ରତିରକ୍ଷା ଅନୁସନ୍ଧାନ ଏଜେନ୍ସିର ଦିବ୍ୟ ପୁତ୍ରୀ ଭାବେ ତାଙ୍କୁ ବର୍ତ୍ତମାନ ସମ୍ବୋଧନ କରାଯାଉଛି ।
ଏନେଇ ସିନା ରାଣୀ କହିଛନ୍ତି DRDO ର ଜଣେ ସଦସ୍ୟ ଭାବେ ମୁଁ ଗର୍ବିତ । ଦେଶ ପାଇଁ କାମ କରିବା ମୋର ପରମ ସୌଭାଗ୍ୟ । ସେ ଭାରତର କିମ୍ବଦନ୍ତୀ ମିସାଇଲ ପୁତ୍ରୀ ଟେସି ଥୋମାସଙ୍କର ପଥ ଅନୁକରଣ କରିଛନ୍ତି । ଟେସି ଥୋମାସ ବିଗତଦିନରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Also Read
ଅଧିକ ପଢ଼ନ୍ତୁ: ଇସ୍ରୋର ବଡ଼ ଯୋଜନା...ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍; ଚନ୍ଦ୍ରପୃଷ୍ଠରୁ ଆଣିବ ମାଟି ଓ ପଥର
ପାୱାର ହାଉସ ଅଫ୍ ଏନର୍ଜି ଭାବେ ଜଣାଶୁଣା 57 ବର୍ଷିୟା ବୈଜ୍ଞାନିକ ହାଇଦ୍ରାବାଦର ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO) ର ଆଡଭାନ୍ସ ସିଷ୍ଟମ୍ ଲାବୋରେଟୋରୀରେ କାର୍ଯ୍ୟ କରନ୍ତି । କମ୍ପ୍ୟୁଟର ବିଜ୍ଞାନରେ ପାରଦର୍ଶୀ ଥିବା ଜଣେ ତାଲିମପ୍ରାପ୍ତ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଞ୍ଜିନିୟର ଶିନା ରାଣୀ ଥିରୁବନନ୍ତପୁରମରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରିଛନ୍ତି । ସେ ଭାରତର ଅଗ୍ରଣୀ ରକେଟ୍ରି ଲ୍ୟାବ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟରରେ ଆଠ ବର୍ଷ ଧରି କାର୍ଯ୍ୟ କରିଥିଲେ ।
1998 ରେ ହୋଇଥିବା ନ୍ୟୁକ୍ଲିୟର ଟେଷ୍ଟ ପରେ ସେ DRDO ଜଏନ କରିଥିଲେ । 1999 ପରଠାରୁ, ରାଣୀ ଅଗ୍ନି ସିରିଜ୍ ଉପରେ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି । ରାଣୀଙ୍କ କହିବା ଅନୁସାରେ ସେ ଭାରତର 'ମିସାଇଲ୍ ମ୍ୟାନ୍' ଭୂତପୂର୍ବ ରାଷ୍ଟ୍ରପତି ତଥା DRDO ର ପୂର୍ବତନ ମୁଖ୍ୟ ଡାକ୍ତର ଏପିଜେ ଅବଦୁଲ କଲାମଙ୍କଠାରୁ ପ୍ରେରିତ ।
ତେବେ ତାଙ୍କ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ମିସାଇଲ୍ ଟେକ୍ନୋଲୋଜିଷ୍ଟ ଡାକ୍ତର ଅବିନାଶ ଚାଣ୍ଡର । ସେ ମଧ୍ୟ ବିଗତ ଦିନରେ DRDO ର ନେତୃତ୍ୱ ନେଇଥିଲେ । ରାଣୀଙ୍କର ସ୍ୱାମୀ ପି.ଏସ.ଆର୍.ଏସ ଶାସ୍ତ୍ରୀ ମଧ୍ୟ DRDO ପାଇଁ କାର୍ଯ୍ୟ କରିଛନ୍ତି ।
DRDO ଦ୍ୱାରା ବିକଶିତ ଅଗ୍ନି-୫ ମିସାଇଲ MIRV ଟେକ୍ନୋଲୋଜିସମ୍ପନ୍ନ । ଅର୍ଥାତ୍ ଏହା ଏକାଧିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏବଂ ବିଭିନ୍ନ ସ୍ଥାନକୁ ଟାର୍ଗେଟ ମଧ୍ୟ କରି ପାରିବ । ଆଣ୍ଟି ବାଲିଷ୍ଟିକ ମିସାଇଲ ସିଷ୍ଟମରୁ ମଧ୍ୟ ଏହା ନିଜକୁ ସୁରକ୍ଷା ପ୍ରଦାନ କରିପାରିବ । ଏହି କ୍ଷମତାସମ୍ପନ୍ନ ମିସାଇଲ ନିର୍ମାଣରେ ବିଶ୍ୱରେ ଷଷ୍ଠ ଦେଶ ହୋଇଛି ଭାରତ । ପୂର୍ବରୁ ଆମେରିକା, ଚୀନ, ଋଷ, ଫ୍ରାନ୍ସ, ବ୍ରିଟେନ ପାଖରେ ଏହି କ୍ଷମତା ଥିଲା । ଅନ୍ୟପଟେ DRDOର ବୈଜ୍ଞାନିକମାନଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।