• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଗୋଟିଏ ମିଶନ, କିନ୍ତୁ ୨ଟି ପର୍ଯ୍ୟାୟ ପାଇଁ ବ୍ୟବହୃତ ହେବ ୨ଟି ଭିନ୍ନ ଭିନ୍ନ ରକେଟ୍ । ଚତୁର୍ଥ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୪ ପାଇଁ ଏଭଳି ଯୋଜନା କରିଛି ଇସ୍ରୋ । ପୂର୍ବରୁ ସରିଥିବା ୩ଟି ଚନ୍ଦ୍ରଯାନ ମିଶନରେ ଗୋଟିଏ ରକେଟ୍ ବ୍ୟବହାର ହୋଇଥିଲା । ତେବେ ଚତୁର୍ଥ ମିଶନ ପାଇଁ ପ୍ରଥମ ଥର ଏଭଳି ଜଟିଳ ପ୍ରକ୍ରିୟାକୁ ସଫଳ କରି, ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 ସୂଚନା ଅନୁସାରେ, ଚନ୍ଦ୍ରଯାନ-୪ କେବଳ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବନି, ବରଂ ସେଠୁ ମାଟିର ନମୁନା ଧରି ପୁଣି ଭାରତକୁ ଫେରିବ। ଏଥିପାଇଁ ସେଥିରେ ୫ଟି ମୁଖ୍ୟ ଅଂଶ ବା ମଡ୍ୟୁଲ ରହିବ । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲ୍ସନ ମଡ୍ୟୁଲ ଥିଲା । 

ତେବେ ଚନ୍ଦ୍ରଯାନ-୪ରେ ରହିବ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ, ଆସେଣ୍ଡର୍ ମଡ୍ୟୁଲ, ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ। ପ୍ରଥମ ପର୍ଯ୍ୟାୟରେ ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ LVM-3 ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ । 

ଏହାର କିଛି ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ PSLV ରକେଟରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ ପଠାଇବ ଇସ୍ରୋ। ଏହା ସଫଳ ହେଲେ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ ।