କେହି ଜଣେ ହାତ ପାଆନ୍ତାରେ ଥିବ, ମନ ବୁଝି ସହାୟତାର ହାତଟିଏ ବଢାଇ ଦେଉଥିବ । ଅବୁଝା ହୃଦୟକୁ ବୁଝାଇ ଦେଉଥିବ । ତା ପାଖରେ ନ ଥିବ ପକ୍ଷପାତିତା, ସ୍ୱାର୍ଥପରତା । ଏ ସମସ୍ୟା ବହୁଳ ଜୀବନକୁ ବୋହିବା ଭାରି କଷ୍ଟ, କିଏ ଟିକିଏ ହାଲୁକା କରି ଦିଅନ୍ତାନି ? ହେଲେ କିଏ କରିବ ? ଏମିତି ଅନେକ ଭାବନା ମନକୁ ଆସେ । ହେଲେ ଏ ଅବାସ୍ତବ ଭାବନା କ’ଣ କେବେ ବାସ୍ତବ ରୂପ ନେଇପାରେ ? ଏସବୁ ସିନା ପରୀରାଇଜର କାହାଣୀ ପାଇଁ ସତ ! ହେଲେ ବାସ୍ତବରେ .. ।
ହଁ, ବାସ୍ତବ ଜୀବନରେ ବି ଏମିତି କାହାଣୀ ସତ ହେବାକୁ ଯାଉଛି । ଆାର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ୱାରା ଏହି ସ୍ୱପ୍ନ ସତ ହେବାକୁ ବୋଧହୁଏ ଆଉ ବେଶି ଡେରି ଲାଗିବନି ।
ଆଜିକାଲି ଏଆଇ ଟେକନିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି କର୍ପୋରେଟ ସେକ୍ଟରରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହେଲେ ଏଆଇ ବି ମନର କଥା ବୁଝି ପାରିବ, ହୃଦୟ ଆବେଗ, ଭାବପ୍ରବଣତାକୁ ପଢି ପାରିବ ଏବଂ ସେହି ଅନୁସାରେ କାମ କରିବ ଏକଥା ସହଜରେ ବିଶ୍ୱାସ କରି ହୁଏନି । କାରଣ ଯନ୍ତ୍ର ମଣିଷ ଯାହାର ହୃଦୟ ନାହିଁ ସେ କ’ଣ ହୃଦୟର କଥା ବୁଝିବ ? ହେଲେ ନା, ଏଆଇ ମନର କଥା ବି ବୁଝି ପାରୁଛି ।
Also Read
ସମ୍ପର୍କର ମୂଲ୍ୟକୁ ଅନୁଭବ କରି ତାକୁ ବଞ୍ଚାଇବାରେ ସହଯୋଗ କରୁଛି । ଆଉ ଏ କାମ ସାଧାରଣ ମଣିଷଙ୍କଠାରୁ ଢେର ଭଲଭାବେ ଯନ୍ତ୍ରମଣିଷ କରିପାରୁଛି । କାରଣ ମଣିଷ ପାଖରେ ପକ୍ଷପାତିତା ଥାଏ, କିନ୍ତୁ ଏଆଇ ପାଖରେ ନ ଥାଏ । ତେଣୁ ସମ୍ପର୍କ ରକ୍ଷା କରିବା କାମରେ ଏଆଇ ବେଶ ନିଖୁଣତାର ସହ ତାର ଭୂମିକା ନିଭାଇ ପାରୁଛି । ଏହାର ଏକ ଉଦାହରଣ ଆମେ ଏଠାରେ ଦେବୁ ଯାହା ପଢିଲେ ଆପଣ ଆଶ୍ଚର୍ଯ୍ୟ ତ ନିଶ୍ଚୟ ହେବେ, ଏଆଇର ମୂଲ୍ୟ ବି ବୁଝି ପାରିବେ ।
ଘଟଣାଟି ଆମେରିକାର । ଏଠିକାର ଏକ ଯୁବ ଦମ୍ପତିଙ୍କ କହିଛନ୍ତି ChatGPT ଉପଯୋଗ କରି ସେମାନେ ତାଙ୍କର ଉଜୁଡା ସଂସାରକୁ ସଜାଡି ପାରିଛନ୍ତି । ChatGPT ସହାୟତାରେ ତାଙ୍କ ଦୁହିଁଙ୍କ ମଧ୍ୟରେ ଥିବା ମତାନ୍ତର ଓ ମନାନ୍ତରକୁ ସେ ଦୂର କରି ପାରିଛନ୍ତି । ଏଆଇ ତାଙ୍କ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ଫାଟକୁ ଯୋଡି ଦେଇଛି । ଏହି ଦୁହିଁଙ୍କ ପାଇଁ ଏଆଇ ଯେମିତି ଗେମ ଚେଞ୍ଜର ପ୍ରମାଣିତ ହୋଇଛି ।
ନ୍ୟୁୟର୍କ ପୋଷ୍ଟରେ ବାହାରିଥିବା ଏକ ଖବର ଅନୁଯାୟୀ, ଲସ ଏଞ୍ଜଲ୍ସର ୩୬ ବର୍ଷୀୟ ଏବେଲା ବାଲା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ୬ ମାସ ଧରି ସେ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ଏଆଇକୁ ବ୍ୟବହାର କରିଥିଲେ । ଆଉ ଶେଷରେ ସେମାନେ ଏଥିରେ ସଫଳ ମଧ୍ୟ ହୋଇଥିଲେ ।
ବାଲାଙ୍କ କହିବା ଅନୁଯାୟୀ, ChatGPT ସେମାନଙ୍କ ମଧ୍ୟରେ ଥିବା ଝଗଡାକୁ କମ କରିବା ପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲା । ଠିକ ଜଣେ ହୃଦୟବାନ ନିରପେକ୍ଷ ମଣିଷ ପରି ଉଭୟଙ୍କ ମଧ୍ୟରେ ସମ୍ପର୍କର ନିବିଡତା ବଢାଇବା ପାଇଁ ଉପାୟମାନ ବତାଇଥିଲା । ଅନ୍ୟପକ୍ଷେ ତାଙ୍କ ପାର୍ଟନର ଡମ ବର୍ସାସୀ ଲେଖିଛନ୍ତି, ଯଦି ସମ୍ପର୍କ ଭିତରେ ବୁଝାମଣା ଆଣିବା ପାଇଁ ଆମେ କୌଣସି ମନସ୍ତତ୍ୱବିଦ ବା ମନୋବିଜ୍ଞାନୀଙ୍କ ପାଖକୁ ଯାଇଥାନ୍ତୁ ତେବେ ଏହା ତାଙ୍କ ପାଇଁ ଖୁବ ବ୍ୟୟବହୁଳ ହୋଇଥାନ୍ତା ।
୨ୟତଃ ଜଣେ ତୃତୀୟ ବ୍ୟକ୍ତିଙ୍କ ସାମ୍ନାରେ ନିଜ ପରିବାରର ସବୁକଥା କହିବାକୁ ସଙ୍କୋଚ ବି ଲାଗିଥାନ୍ତା । ହେଲେ ChatGPT ପାଖରେ ଏହି ସମସ୍ୟା ତାଙ୍କର ନ ଥିଲା । ଖୁବ ଖୋଲାଖୋଲି ଭାବେ ତାଙ୍କ ସମସ୍ୟା ସେ କହି ପାରିଥିଲେ ଏବଂ ସଠିକ ସମାଧାନର ବାଟ ବି ChatGPT ଦେଖାଇ ପାରିଥିଲା ।
ଏଥିପାଇଁ ମାସକୁ ମାତ୍ର ୨୦ ଡଲାର ପ୍ରିମିୟମ ପ୍ୟାକେଜରେ ChatGPT ଆଣିଥିଲେ ଏହି ଦମ୍ପତି । ଏହା ସେମାନଙ୍କ ସମସ୍ୟାକୁ ଜାଣିବା ପରେ ଉଭୟଙ୍କୁ ଟିପ୍ସ ଦେଇଥିଲା । ଏମିତି ଟିପ୍ସ ଦେଇଥିଲା ଯଦ୍ୱାରା ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଥିବା ନକାରାତ୍ମକ ଚିନ୍ତାଧାରା ଖୁବ ସହଜରେ ଦୂର ହୋଇ ପାରିଥିଲା । ଏଥିସହିତ ଉଭୟ ଉଭୟଙ୍କୁ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିଥିଲେ ।
ବାଲା ଆହୁରି କହିଛନ୍ତି, ଆମ ଭିତରେ ଲାଗି ରହିଥିବା ଝଗଡାକୁ ଦୂର କରିବାରେ ChatGPT ଅଦ୍ଭୂତ ଭାବେ ସାହାଯ୍ୟ କରିଥିଲା । ଏଥିପାଇଁ ରୋବର୍ଟ ସାମ୍ନାରେ ଆମକୁ କୌଣସି ଯୁକ୍ତି କରିବାକୁ ପଡି ନ ଥିଲା, ଯାହା ସାଧାରଣତଃ ମନୋବିଜ୍ଞାନୀଙ୍କ ସାମ୍ନାରେ ଅନେକ ସମୟରେ କରିବାକୁ ପଡ଼ିଥାଏ ।
ଆମେରିକାରେ ବଢୁଛି ChatGPT ବ୍ୟବହାର
କହିବାକୁ ଗଲେ ଆମେରିକାରେ ChatGPTର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ନିଜ ସମ୍ପର୍କକୁ ରକ୍ଷା କରିବା ପାଇଁ ଏଠିକାର ଲୋକେ ବେଶି ଏହାର ସହାୟତା ନେଉଛନ୍ତି । ଏହା ପୂର୍ବରୁ ଲୋକେ ସମ୍ପର୍କକୁ ସୁଧାରିବା ପାଇଁ ପାରମ୍ପରିକ ଥେରାପି ଅର୍ଥାତ ମନସ୍ତତ୍ୱବିଦଙ୍କ ସହାୟତା ନେଉଥିଲେ । ଏଥିପାଇଁ ସେମାନଙ୍କୁ ପାଖାପାଖି ୪୦୦ ଡଲାର ବା ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିଲା ।
ଏପରି ସ୍ଥିତିରେ ChatGPT ଏକ ସହଜ ବିକଳ୍ପ ଭାବେ ଉଭା ହୋଇଛି । ଅବଶ୍ୟ ଏ କ୍ଷେତ୍ରରେ ChatGPT ଦକ୍ଷତା ଏକଦମ ପ୍ରାରମ୍ଭିକ ସ୍ଥିତିରେ ଅଛି । ତେଣୁ ChatGPT ଦେଉଥିବା ପରାମର୍ଶ ଅନେକ ସମୟରେ ସାମାନ୍ୟ ଏବଂ ସୀମିତ ମନେହୁଏ । ତଥାପି ସମ୍ପର୍କ ସୁଧାରିବାରେ ଏହାର ଭୂମିକା ପ୍ରଶଂସାଯୋଗ୍ୟ ।
ନ୍ୟୁୟର୍କର ଲାଇସେନ୍ସ ପ୍ରାପ୍ତ ଜଣେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ଏଶଲେ ୱିଲିୟମ୍ସଙ୍କ କହିବା ଅନୁସାରେ, ChatGPT ଛୋଟ ଛୋଟ ସମସ୍ୟା ସହ ଲଢୁଥିବା ଦମ୍ପତିଙ୍କ ପାଇଁ ଏକ ମୂଲ୍ୟବାନ ମାଧ୍ୟମ ହୋଇପାରେ । ତେବେ ବଡ ବଡ ସମସ୍ୟାର ସମାଧାନ ଏହା ଦ୍ୱାରା ହୋଇ ପାରିବ ନାହିଁ ବା ଦକ୍ଷ ମାନସିକ ରୋଗ ବିଶେଷଜ୍ଞଙ୍କ ସ୍ଥାନ ChatGPT ନେଇ ପାରିବ ନାହିଁ ।
ହ୍ୟାଚ ଡାଟା ଆଣ୍ଡ ମେଣ୍ଟାଲ ହେଲ୍ଥ ଦ୍ୱାରା ୨୦୨୫ ଫେବୃଆରୀରେ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାଯାଇଥିଲା, ଅଧିକାଂଶ ଲୋକ ମନୋବିଜ୍ଞାନୀଙ୍କ ଲିଖିତ ପରାମର୍ଶ ତୁଳନାରେ ଚାଟଜିପିଟିଠାରୁ ପାଉଥିବା ମାର୍ଗଦର୍ଶନକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ସେତିକି ନୁହେଁ, ମନୋବିଜ୍ଞାନୀଙ୍କ ତୁଳନାରେ ଯନ୍ତ୍ରବିଜ୍ଞାନୀ ଅର୍ଥାତ ଏଆଇ ସଞ୍ଚାଳିତ ‘ବଟ୍’ର ପ୍ରତିକ୍ରିୟାକୁ ଅଧିକ ସକାରାତ୍ମକ ଏବଂ ପ୍ରଭାବଶାଳୀ ବୋଲି ଅଧ୍ୟୟନରେ ସାମିଲ ହୋଇଥିବା ବ୍ୟକ୍ତିମାନେ କହିଥିଲେ ।
ଅନ୍ୟପକ୍ଷେ ଅନ୍ୟଜଣେ ମନୋବିଜ୍ଞାନୀ ସୁସାନ ଆଲବର୍ସଙ୍କ କହିବା ଅନୁଯାୟୀ, ‘ଚାଟବଟ’ ଥେରାପି ତୁମ ସମ୍ପର୍କକୁ ନେଇ ସଚେତନ କରାଇବା ସହ ତୁମ ଦାୟିତ୍ୱବୋଧ ବିଷୟରେ ଭାବିବା ଲାଗି ସାହାଯ୍ୟ କରିପାରେ । ବିପରୀତ ପକ୍ଷ କହୁଥିବା କଥାର କି ଉତ୍ତର ଦେବ ଯଦି ଜାଣି ପାରୁ ନ ଥିବେ ଏ କ୍ଷେତ୍ରରେ ଚାଟବଟ ତୁମକୁ ସାହାଯ୍ୟ କରିପାରେ । କିନ୍ତୁ ଏହା ଯୁକ୍ତିଯୁକ୍ତ ବା ନ୍ୟାୟସଙ୍ଗତ ହୋଇପାରିବ ନାହିଁ ।