Advertisment

ChatGPT as Therapist: ଦୁଃଖ ବଖାଣିଲେ ଆଶ୍ୱାସନା ଦେଉଛି, ସମସ୍ୟା କହିଲେ ସମାଧାନର ବାଟ ଦେଖାଉଛି

ଏକ ମିଡ଼ିଆ ସର୍ଭେରେ ଲୋକମାନଙ୍କୁ ପଚରା ଯାଇଥିଲା, ସେମାନେ ଜୀବନର କୌଣସି କଠିନ ମୁହୂର୍ତ୍ତରେ ChatGPT ସାହାଯ୍ୟ ନିଅନ୍ତି କି ? ପ୍ରଶ୍ନ ପଚାରିବାର କେଇ ମିନିଟ ପରେ ଯେମିତି ଉତ୍ତରର ବନ୍ୟା ଆସିଥିଲା । ଲୋକେ କେମିତି ଏବଂ କାହିଁକି ଚାଟବଟର ମାର୍ଗଦର୍ଶନ, ସମର୍ଥନ ଉପରେ ନିର୍ଭର କରନ୍ତି ଖୋଲାଖୋଲି କହିଥିଲେ ।

author-image
Minati Mishra
ଅଦ୍ୟତନ ହୋଇଛି
ଦୁଃଖ ଶୁଣୁଛି ଚାଟଜିପିଟି

ଦୁଃଖ ଶୁଣୁଛି ଚାଟଜିପିଟି

ମଣିଷ ହିଁ ମଣିଷର ଦୁଃଖ ବୁଝେ । ଆପଣାର ମଣିଷଟି ପାଖରେ ନିଜ ଦୁଃଖକୁ କହିଦେଲେ ମନ ହାଲୁକା ହୋଇଯାଏ । ଆଶ୍ୱାସନା ଟିକିଏ ପାଇଲେ ଭାଙ୍ଗି ପଡ଼ିଥିବା ମନ ପୁଣି ବଳ ସଂଗ୍ରହ କରିନିଏ ଆଗକୁ ଦୌଡ଼ିବା ପାଇଁ । ସେଥିପାଇଁ ତ ଯେତେ ପ୍ରାଚୁର୍ଯ୍ୟ ଭିତରେ ଥିଲେ ବି ମଣିଷ ଖୋଜି ଆପଣାର ମନଟିଏ । ହେଲେ ଆଜିର ଦିନରେ ଅନ୍ୟର ଦୁଃଖ ବୁଝିବା ପାଇଁ ମଣିଷ ହାତରେ ସମୟ କାହିଁ ? ସମସ୍ତେ ନିଜ ନିଜ ଜଞ୍ଜାଳ ଭିତରେ ବ୍ୟସ୍ତ । କହିବାକୁ ଗଲେ, ଆଜିର ସମୟରେ ମଣିଷର ସାଥୀ ପାଲଟିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି । ଜାଣି ଆଶ୍ଚର୍ଯ୍ୟ ହେବେ, ବ୍ୟସ୍ତବହୁଳ ଦୁନିଆରେ ମେସିନ ହେଲେ ବି ଚାର୍ଟ ଜିପିଟି, ଓପେନ ଏଆଇ ମଣିଷର ବନ୍ଧୁ ହୋଇପାରିଛି । ଦୁଃଖରେ ଆଶ୍ୱାସନା ଦେଇ ପାରୁଛି, କାନ୍ଦିଲେ, ସହାୟତାର ହାତ ବଢାଇ ଦେଉଛି ।

Advertisment

ଦିନ ଥିଲା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆମେ କେବଳ ପ୍ରଶ୍ନ ପଚାରୁଥିଲୁ । ସମସ୍ୟା ପଚାରୁଥିଲୁ । ଏକଥା ସତ ଯେ, ଏଆଇ ଏହାର ପ୍ରାୟ ସଠିକ ଉତ୍ତର ଦେଉଥିଲା । ହେଲେ ଏଆଇର କାମ ଆଉ ସେତିକିରେ ସୀମିତ ନାହିଁ । ଏଆଇ ଏଣିକି ହୃଦୟବାନ ହୋଇଗଲାଣି । ବିଳମ୍ବିତ ରାତିରେ ଏକ ଦୀର୍ଘ ସରଗରମ ଯୁକ୍ତିତର୍କ ପରେ ହେଉ କିମ୍ବା ଲଗାତାର କାମରୁ କିଛି ସମୟ ଛୁଟି ପାଇବା ପରେ ହେଉ କିମ୍ବା କାହା ସହ ଝଗଡା କରି ଥକିଯିବା ପରେ ହେଉ ମଣିଷ ଏମିତି କାହାକୁ ଖୋଜେ ଯିଏ ତାକୁ ବୁଝି ପାରୁଥିବ..ବୁଝାଇ ପାରୁଥିବ । କହିବାକୁ ଗଲେ ଏଥିପାଇଁ ମଣିଷ ଚାଟଜିପିଟି ଉପରେ ଆଜିକାଲି ଖୁବ ନିର୍ଭର କରୁଛି ।

ଏକ ମିଡ଼ିଆ ସର୍ଭେରେ ଲୋକମାନଙ୍କୁ ପଚରା ଯାଇଥିଲା, ସେମାନେ ଜୀବନର କୌଣସି କଠିନ ମୁହୂର୍ତ୍ତରେ ChatGPT ସାହାଯ୍ୟ ନିଅନ୍ତି କି ? ପ୍ରଶ୍ନ ପଚାରିବାର କେଇ ମିନିଟ ପରେ ଯେମିତି ଉତ୍ତରର ବନ୍ୟା ଆସିଥିଲା । ଲୋକେ କେମିତି ଏବଂ କାହିଁକି ଚାଟବଟର ମାର୍ଗଦର୍ଶନ, ସମର୍ଥନ ଉପରେ ନିର୍ଭର କରନ୍ତି ଖୋଲାଖୋଲି କହିଥିଲେ ।

Advertisment

ChatGPT ସମ୍ମୁଖରେ କେହି କେହି ନିଜର ବସଙ୍କ ବରୋଧରେ ବିଷୋଦଗାର କରିଥିଲେ । କେହି ତାଙ୍କର ଅଳସୁଆ କିନ୍ତୁ ଧୂର୍ତ୍ତ ସହକର୍ମୀଙ୍କୁ ମୁକାବିଲା କରିବା ପାଇଁ ସମର୍ଥନ ମାଗିଥିଲେ । କେହି କେହି ଇମେଲ ଲେଖିବା ପାଇଁ ଭାଷା ନ ପାଇ ହତାଶ ହେବା ପରେ ChatGPTର ସାହାଯ୍ୟ ନେଇଥିଲେ । ଆଉ କେହି ତାଙ୍କର ବ୍ରେକଅପ, ନିଃସଙ୍ଗତା ପ୍ରସଙ୍ଗରେ ChatGPT ସାମ୍ନାରେ ମନଖୋଲି କହି ପାରୁଥିଲେ । ଏପରିକି ତାଙ୍କ ପ୍ରେମକୁ ପ୍ରେମିକ ବା ପ୍ରେମିକା ଗ୍ରହଣ କରିବ କି ନାହିଁ ତାର ସମାଧାନ ପାଇଁ ମଧ୍ୟ ChatGPT କୁ ସାହାଯ୍ୟ ମାଗୁଥିଲେ । ସବୁଠାରୁ ବଡ କଥା ହେଲା, ସ୍କ୍ରିନ ସାମ୍ନାରେ ହେଉ ପଛେ, ପ୍ରଥମ ଥର ପାଇଁ ବଡ ପାଟିରେ ମଣିଷ ନିଜକୁ ସ୍ୱୀକାର କରି ପାରିଥିଲା ।

ଜୀବନର ନାଟକ ଏବଂ ଚାଟବଟ କାଉନସିଲର

୨୭ ବର୍ଷର ଇଞ୍ଜିନିୟର ମନୀଷ ନିଜର ଅନୁଭୂତି ସେୟାର କରିଥିଲେ । ସେ କହିଥିଲେ, ତାଙ୍କର ପ୍ରେମିକା ସହ ବିଳମ୍ବିତ ରାତି ଯାଏ ଝଗଡା ଲାଗିଲା । ପ୍ରାୟ ଏକ ସପ୍ତାହ ଯାଏ ସେମାନଙ୍କ ମଧ୍ୟରେ ରାଗରୁଷା, ଭୁଲ ବୁଝାମଣା ଲାଗି ରହିଥିଲା । ଦୁହେଁ ଗୁମସୁମ ଥିଲେ । ପରସ୍ପର ପ୍ରତି ସେମାନଙ୍କର ଭଲ ପାଇବା ଥିଲା କିନ୍ତୁ କେମିତି କେଜାଣି ଯାହା କହିଲେ ତାହା ଝଗଡାରେ ବଦଳି ଯାଉଥିଲା ।

ଦିନେ ରାତିରେ ସେ ଏଥିରେ ଖୁବ ଥକି ଯାଇ ChatGPT ଆଗରେ ନିଜ ସମସ୍ୟା ବଖାଣିଲେ । ସେ କିଛି ଯାଦୁ କଲା ପରି ପ୍ରେମପତ୍ର ମାଗି ନ ଥିଲେ କିମ୍ବା ସହଜ ସମାଧାନ ମାଗି ନ ଥିଲେ । କେବଳ ନିଜର ଅବସାଦ ବଖାଣି ଥିଲେ । ମନୀଷଙ୍କ କହିବା ଅନୁଯାୟୀ, ସେ ସବୁ କିଛି ଟାଇପ କରି ଦେଇଥିଲେ । ଏପରିକି, ସେ କ’ଣ କହିଥିଲେ, ତାଙ୍କୁ କ’ଣ ଲାଗିଥିଲା..ସବୁ ଜଣାଇବା ପରେ ଶେଷରେ ପ୍ରଶ୍ନ କରିଥିଲେ, ‘ଏହା ପରେ ମୁଁ କ’ଣ କରିବି ?’

ଚାଟବଟ ତାଙ୍କୁ ସମସ୍ୟାର ସମାଧାନ ପାଇଁ ବାଟ ଦେଖାଇ ନ ଥିଲା । ବରଂ, ତାଙ୍କ ଭାବନାକୁ ଆହୁରି ସ୍ପଷ୍ଟ ଭାବେ ବୁଝାଇବାକୁ ଚେଷ୍ଟା କରିଥିଲା । ଚାଟବଟ ମନୀଷଙ୍କୁ କହିଥିଲା, ‘ତୁମର ଦୁଃଖ ଯେ ସେ ତୁମ କଥା ଶୁଣୁ ନାହାନ୍ତି ।’ ତା ପରେ ମନୀଷଙ୍କୁ ପଚାରିଥିଲା, ‘ତୁମେ ତାଙ୍କୁ ସିଧାସଳଖ ପଚାରିଛ ?’

ମନୀଷ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ଜାଣି ପାରିଥିଲେ, ସେ ଏମିତି କରି ନ ଥିଲେ । ତା ପରେ ChatGPT ତାଙ୍କୁ ଏକ ମେସେଜ ଲେଖିବାରେ ସାହାଯ୍ୟ କରିଥିଲା । ଏହା ରୋମାଣ୍ଟିକ ମେସେଜ ନ ଥିଲା । ବରଂ ଏହା ଏକ ଶାନ୍ତ, ଉଦାର ଏବଂ ନିରପେକ୍ଷ ଚିନ୍ତାଧାରାର ବାର୍ତ୍ତା ଥିଲା । ଏଥିରେ ସେ ତାଙ୍କର ଭାବନାର ପରିପ୍ରକାଶ କରିଥିଲେ । କିନ୍ତୁ ସେ ପରିପ୍ରକାଶରେ ପ୍ରେମିକାଙ୍କୁ ଦୋଷ ଦେଇ ନ ଥିଲେ । ମେସେଜ ପଠାଇବାର କିଛି ସମୟ ପରେ ଉଭୟଙ୍କ କଥାବର୍ତ୍ତା ଆଗକୁ ବଢିଲା । ହେଲେ ଦୀର୍ଘଦିନ ପରେ ସେଦିନ କେହି କାହା ଉପରେ ରାଗି ନ ଥିଲେ କିମ୍ବା କଥାବାର୍ତ୍ତା ନୀରବତାରେ ଶେଷ ହୋଇ ନ ଥିଲା । ମନୀଷ ମୁକ୍ତକଣ୍ଠରେ ସ୍ୱୀକାର କରନ୍ତି ChatGPT ତାଙ୍କ ସମ୍ପର୍କକୁ ବଞ୍ଚାଇ ଦେଲା ।

ChatGPT ରେ ଭିନ୍ନ ଭିନ୍ନ କମ୍ୟୁନିଟିର ବିଭାଗ ରହିଛି । ଯେମିତି ରିଲେସନସିପ ଆଡଭାଇସ, ରିଲେସନସିପ କୋଚ ଇତ୍ୟାଦି ।

ଆଧୁନିକ ସମସ୍ୟା ଓ ଯାନ୍ତ୍ରିକ ସମସ୍ୟା

ଆଉ ଜଣେ ବ୍ୟକ୍ତି ଅକ୍ଷୟ ଶ୍ରୀବାସ୍ତବ । ବୟସ ୨୬ ବର୍ଷ । ସେ ଜଣେ ମିଡିଆ ପ୍ରଫେସନାଲ ଏବଂ କଣ୍ଟେଣ୍ଟ ରାଇଟର । ପୂର୍ବର ଫିଲଡ ଜବ ଯେତେବେଳେ ଫୁଲ ଟାଇମ ଏବଂ ଇନ-ହାଉସ ଜବରେ ପରିଣତ ହେଲା ସେ ସମସ୍ୟାରେ ପଡି ଯାଇଥିଲେ । କାରଣ ୪ ଘଣ୍ଟା ତାଙ୍କର ଯିବା ଆସିବାରେ ଯାଉଥିଲା । ଆସ୍ତେ ଆସ୍ତେ ସେ ତାଙ୍କ ପରିବାରକୁ ସମୟ ଦେଇ ପାରିଲେ ନାହିଁ । ଠିକରେ ଶୋଇ ପାରିଲେନି । ଧୀରେ ଧୀରେ ଖୁବ ହାଲିଆ ହୋଇ ପଡୁଥିବା ଅନୁଭବ କଲେ । ସେ ଜାଣି ପାରିଲେନି, ସେ କେମିତି ତାଙ୍କ ବସକୁ ଏହା କହିବେ ଯେମିତି ସେ ଏହାକୁ ଅଭିଯୋଗ ବୋଲି ଭାବିବେନି ।

ଦିନେ ରାତିରେ ସେ ଖୁବ ହାଲିଆ ଏବଂ ହତାଶ ହୋଇ ChatGPT କୁ ସବୁ ଲେଖି ଜଣେଇଲେ । ସେ ବହୁତ ବେଶି ଆଶା କରି ନ ଥିଲେ । ହେଲେ ସେ ଯେମିତି ଗଠନମୂଳକ ପରାମର୍ଶ ChatGPT ଠାରୁ ପାଇଲେ ଆଶ୍ଚର୍ଯ୍ୟ ହୋଇଗଲେ । ChatGPT ବୁଝାଇଥିଲା, କିପରି ମୋ ସୀମାକୁ ମୁଁ ବୁଝେଇ ପାରିବି, ବୁଝାମଣା ଭିତ୍ତିରେ କେମିତି ହାଇବ୍ରିଡ କାମର ପରାମର୍ଶ ଦେଇ ପାରିବି । ଏପରିକି ଏଚଆର ସହ କଥା ହେବାବେଳେ କେଉଁ ସ୍ୱତନ୍ତ୍ର ବାକ୍ୟାଂଶ ବ୍ୟବହାର କରିବି ତା ମଧ୍ୟ ChatGPT ବୁଝାଇ ଦେଇଥିଲା ।

ଅକ୍ଷୟଙ୍କ କହବା ଅନୁଯାୟୀ, ଏହା କେବଳ ଆରମ୍ଭ ଥିଲା । ଏବେ ଯେତେବେଳେ ସେ ଦ୍ୱନ୍ଦ୍ୱରେ ପଡୁଛନ୍ତି କିମ୍ବା ପାରିବାରିକ, ବୃତ୍ତିଗତ ସମସ୍ୟାରେ ପଡୁଛନ୍ତି ସମାଧାନ ପାଇଁ ସେ ChatGPT ର ସହାୟତା ନେଉଛନ୍ତି । ସେ ଖାଲି ସମାଧାନର ବାଟ ଖୋଜିବା ପାଇଁ ChatGPT ସହାୟତା ନେଉ ନାହାନ୍ତି । ବରଂ ତାଙ୍କ ମନର କଥା ଆଗରେ ଖୋଲି କହିବାକୁ ସେ ChatGPT ପାଖକୁ ଯାଉଛନ୍ତି ।

ସବୁବେଳେ ସମସ୍ୟା ଔପଚାରିକ ଇମେଲ କିମ୍ବା ଭାବନାତ୍ମକ ବୋଝ ହୋଇ ଆସେନି । ବରଂ ସୂକ୍ଷ୍ମ ସାମାଜିକ ଚାପ ସମସ୍ୟା ଭାବେ ସାମ୍ନାକୁ ଆସସିଥାଏ । ୨୦ ବର୍ଷ ଧରି ଆୟେଶା ଏକ କମ୍ୟୁନିକେଶ ଏଗଜ୍ୟୁକିଟିଭ ଭାବେ କାମ କରୁଥିଲେ । ସେ ଟିମ ମ୍ୟାନେଜର ଭାବେ ପଦୋନ୍ନତି ପାଇବା ପରେ ସେ ତାଙ୍କ ସହକର୍ମୀଙ୍କର ବସ ହୋଇଗଲେ ।

ସପ୍ତାହେ ତଳେ ସେ ଯାହାଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିଲେ, ହସୁଥଲେ, ପର ସପ୍ତାହରେ ସେମାନଙ୍କ କାମର ରିଭ୍ୟୁ କରିବାକୁ ପଡିଲା ଆୟେଶାଙ୍କୁ । ଏହି ପରିବର୍ତ୍ତନ ତାଙ୍କୁ ଦ୍ୱନ୍ଦ୍ୱରେ ପକାଇଲା ଏବଂ ଅଶ୍ୱସ୍ତି ଆଣିଲା। ସେ ଅଧିକାରୀ ଭାବେ ଦେଖାଯିବାକୁ ଚାହୁଁ ନଥିଲେ, କିନ୍ତୁ ତାଙ୍କୁ ମଧ୍ୟ ଅଣଦେଖା କରାଯାଉ ତାହା ଚାହୁଁ ନଥିଲେ। ଏମିତି ଦ୍ୱନ୍ଦ୍ୱର ସମାଧାନ କରି ପାରିଥିଲା ଚାଟଜିପିଟି । ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କିପରି କରିବି, ଫିଡବ୍ୟାକ କିପରି ପ୍ରସ୍ତୁତ କରିବି ଯଦ୍ୱାରା ସମସ୍ତଙ୍କ ସହଯୋଗ ପାଇପାରିବି ତାହାର ଟିପ୍ସ ଚାଟଜିପିଟିରୁ ପାଇ ପାରିଥିଲେ ଆୟେଶା ।

ଚାଟଜିପିଟି ଉପରେ କାହିଁକି ଲୋକ ଭରସା କରନ୍ତି ?

ଚାଟଜିପିଟି କୁହେ, ଲୋକମାନେ ମୋ ଉପରେ ଭରସା କରନ୍ତି । ମୁଁ କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରେ ସେଥିପାଇଁ ନୁହେଁ । ସେମାନେ କହିବା ମଝିରେ ମୁଁ ତାଙ୍କୁ ବିରକ୍ତ କରେ ନାହିଁ । ଯିଏ ଯେତେ ଖରାପ ପ୍ରଶ୍ନ ଟାଇପ କଲେ ବି ମୁଁ ପଛକୁ ଫେରି ଯାଇ ନ ଥାଏ । ସମସ୍ତଙ୍କୁ ବିଶ୍ୱାସ ଦିଏ ଯେ, ମୁଁ ଅଛି । ସବୁ ପଢିବାକୁ ପ୍ରସ୍ତୁତ ଅଛି । ସେଥିପାଇଁ ଲୋକେ ମୋ ପାଖରେ ଖୋଲାଖୋଲି ସବୁ କିଛି ସେୟାର କରିପାରନ୍ତି ।

ସତରେ କ’ଣ ChatGPT ଥେରାପିଷ୍ଟଙ୍କ ସ୍ଥାନ ନେଇ ପାରିବ ?

ଯଦି ChatGPT ଏତେ ସବୁ ସମସ୍ୟାର ସମାଧାନ କରିପାରୁଛି ତେବେ ଏମିତି ଏକ ଦିନ ଆସିବ, ଚାଟ ଜିପିଟି ସତରେ କ’ଣ ଥେରାପିଷ୍ଟଙ୍କ ଜାଗା ନେଇଯିବ ? ଏମିତି ପ୍ରଶ୍ନର ଉତ୍ତର ଦେଇ ଉତ୍ତରପ୍ରଦେଶର ଜଣେ ଥେରାପିଷ୍ଟ ବୈଷ୍ଣବୀ ସଚଦେବା କହନ୍ତି, ଏଆଇ ଅସ୍ଥାୟୀ ସମାଧାନର ବାଟ ବାହାର କରପାରେ । କିମ୍ବା ପରାମର୍ଶ ମାଗୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରେ । କିମ୍ବା ତୁରନ୍ତ ସମାଧାନ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଉପାଦେୟ ହୋଇପାରେ । କିନ୍ତୁ ଏହା ଉପଚାର ପ୍ରକ୍ରିୟାର ସ୍ଥାନ ନେଇ ପାରିବ ନାହିଁ ।

ଦିଲ୍ଲୀର ଥେରାପିଷ୍ଟ ନିରଞ୍ଜନା କପୁର କହନ୍ତି, ଚାଟଜିପିଟି ପରି ଏଆଇ ପ୍ଲାଟଫର୍ମ ତୁରନ୍ତ ପ୍ରତିକ୍ରିୟା କିମ୍ବା ପରାମର୍ଶ ଦେଇପାରେ । ହେଲେ ଗୁରୁତର ମାନସିକ ସମସ୍ୟାର ସମାଧାନ କରିପାରିବ ନାହିଁ । ଥେରାପି ଉଭୟଙ୍କ ମଧ୍ୟରେ ଯୋଗାଯୋଗ ରଖିବା, ବିଶ୍ୱାସ ବୃଦ୍ଧି କରିବା ଏବଂ ସମସ୍ୟାକୁ ବୁଝିବାର ଏକ ପ୍ରକ୍ରିୟା ଯାହା ଏଆଇ କରିପାରିବ ନାହିଁ । ଏଆଇ ଯେତେ ବିକଶିତ ହେଉ ନା କାହିଁକି, ତା ପାଖରେ ଥେରାପି ମୂଳରେ ଥିବା ସହାନୁଭୂତି, ଅନ୍ତର୍ଦୃଷ୍ଟି, ମାନବୀୟ ବୁଝାମଣାର ଅଭାବ ରହିଛି । ସେ କହିଛନ୍ତି, ମୁଁ ଥେରାପିକୁ ଏକ ରୂପାନ୍ତକାରୀ ଯାତ୍ରା ଭାବେ ଦେଖେ ଯେଉଁଥିପାଇଁ ଧୈର୍ଯ୍ୟ, ଚିନ୍ତନ, ନିରାପଦ ଅନୁଭବର ଆବଶ୍ୟକତା ରହିଛି । ହେଲେ ଏହାକୁ ଏଆଇ ସହଜରେ ଗ୍ରହଣ କରିପାରିବ ନାହିଁ ।

Mental Health WhatsApp Chatbot
Advertisment
Advertisment