/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693717233.jpg)
Chandrayaan-3
ଚନ୍ଦ୍ରରେ ରାତି ଆସିବା ପୂର୍ବରୁ ରୋଭର ପ୍ରଜ୍ଞାନକୁ ଶୁଆଇଦେଲା ଇସ୍ରୋ । ରୋଭରରେ ଥିବା ପେଲୋଡକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଚନ୍ଦ୍ରଯାନ ୩ ମିଶନର ରୋଭର ପ୍ରଜ୍ଞାନ ତାର ସମସ୍ତ କାର୍ଯ୍ୟ ସଂପାଦନ କରିଥିବା ଇସ୍ରୋ ସୂଚନା ଦେଇଛି । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁ ଯେଉଁଠାରେ ଲ୍ୟାଣ୍ଡର ଓ ରୋଭର ଅଛନ୍ତି ସେଠାରେ ଆଜିଠାରୁ ରାତି ଆରମ୍ଭ ହେବ ।
ତେଣୁ ଏହା ପୂର୍ବରୁ ରୋଭରକୁ ସୁରକ୍ଷିତ ସ୍ଥାନରେ ପାର୍କ କରିବା ପରେ ସ୍ଲିପ୍ ମୋଡରେ ରଖାଯାଇଛି । ଏହା ସହ ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି । ଆଜିଠାରୁ ଦକ୍ଷିଣ ମେରୁରେ ରାତି ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଅନ୍ଧକାର ରହିବ ।
ତେବେ ଆସନ୍ତା ସୂର୍ଯ୍ୟୋଦୟ ବେଳେ ରୋଭର ଓ ଲ୍ୟାଣ୍ଡର ସଫଳତାର ସହ କାମ କରିବେ ବୋଲି ଇସ୍ରୋ ଆଶା ରଖିଛି । ଏହି ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ର ପୃଷ୍ଠରେ ସବୁଦିନ ପାଇଁ ଭାରତର ଦୂତ ଭାବେ ରହିବେ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଗତ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡ କରିଥିଲା ଚନ୍ଦ୍ରଯାନ ୩ । ଏହାପରେ ଲ୍ୟାଣ୍ଡରୁ ବାହାରି କାର୍ଯ୍ୟକ୍ରମ ହୋଇଥିଲା ରୋଭର ପ୍ରଜ୍ଞାନ ।
୨୬ କେଜି ଓଜନ ଓ ୬ ଚକ ବିଶିଷ୍ଟ ରୋଭର ଚନ୍ଦ୍ର ପୃଷ୍ଠରେ ଶହେ ମିଟର ଗଡ଼ିବା ସହ ମାଟି ପରୀକ୍ଷା କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି । ଚନ୍ଦ୍ରରେ ସଲଫର, ସିଲିକନ, କ୍ୟାଲସିୟମ, ଆଇରନ ଥିବା ସୂଚନା ଦେଇଛି ଚନ୍ଦ୍ରଯାନ ୩ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)