କୋଠାଘର ଚାଲିଲା । ଏ କଥା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ, କିନ୍ତୁ ଆଶ୍ଚର୍ଯ୍ୟ ହେଲେ ବି ଏହା ସତ । ଦୁଇ ମହଲା ବିଶିଷ୍ଟ କୋଠାଘର ଫୁଟେ କି ଦୁଇ ଫୁଟ ନୁହେଁ ବରଂ ୧୦୦ ଫୁଟ ଦୂରକୁ ଚାଲିଲା । ଆଜିର ଆଧୁନିକ ଯୁଗରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଅସାଧ୍ୟ ମନେ ହେଉଥିବା କାର୍ଯ୍ୟ ମଧ୍ୟ ସହଜରେ ସମ୍ଭବ ହୋଇପାରିଛି । ରାସ୍ତା ପ୍ରଶସ୍ତୀକରଣ ପାଇଁ ଭାଙ୍ଗିବାକୁ ଥିବା ଗୋଟେ କି ଦୁଇଟି ନୁହେଁ ବରଂ ତିନିଟି କୋଠାକୁ ଏବେ ଚଲାଇ ଚଲାଇ ଦୂରକୁ ନିଆଯାଇଛି ।
ଲୋକେ ନିଜର ସ୍ୱପ୍ନର ଘରକୁ ବଞ୍ଚାଇ ପାରିଛନ୍ତି । ଏହା ବିଦେଶ ବା ଦେଶର କୌଣସି ମେଟ୍ରୋ ସହରର ଘଟଣା ନୁହେଁ । ଆମ ରାଜ୍ୟର ବାରିପଦାରେ ଲୋକମାନେ ନିଜ ଘରକୁ ଦୂରସ୍ଥାନକୁ ନେବାରେ ସକ୍ଷମ ହୋଇପାରିଛନ୍ତି ।
ବାରିପଦା ସହର ଦେବେନ୍ଦ୍ରପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ରହିଛି ନବୀନ ଚନ୍ଦ୍ର ସିଂ ଙ୍କ ଦୁଇ ମହଲା ବିଶିଷ୍ଟ ଏକ ପକ୍କା ଘର । ରାଜପଥ ସମ୍ପ୍ରସାରଣ ପାଇଁ ଘରକୁ ଭାଙ୍ଗିବାକୁ ସରକାରଙ୍କ ତରଫରୁ ମିଳିଥିଲା ନୋଟିସ । ନୋଟିସ ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଦମ୍ପତି । କାରଣ ସେ ବାରିପଦା ହସ୍ପିଟାଲରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ଓ ତାଙ୍କ ଜୀବନର ସମସ୍ତ ଅର୍ଜିତ ସମ୍ପତ୍ତି ଏହି ଘର ତିଆରିରେ ଲଗାଇ ଦେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ସ୍ୱପ୍ନର ଘର ଆଖି ଆଗରେ ଭାଙ୍ଗିଯିବ ବୋଲି ଭାବି ଭାବି ଭାଙ୍ଗି ପଡ଼ିଥିଲେ ସେ । ହରିୟାଣାର ଏକ ଘରୋଇ କମ୍ପାନୀ କୋଠାଘରକୁ ଉପରକୁ ଉଠାଇବା ସହ ସ୍ଥାନାନ୍ତରିତ କରୁଥିବା ଶୁଣିବାକୁ ପାଇ ସେ ଯୋଗାଯୋଗ କରିଥିଲେ। ତା’ପରେ ଆରମ୍ଭ ହୋଇଥିଲା ସିଫ୍ଟିଂ ପ୍ଲାନ୍।
ଗୋଟିଏ କୋଠାଘର ତଳେ ଲାଗିଛି ତିନି ଶହ ଜ୍ୟାକ୍ । ଶ୍ରମିକମାନେ ଅତି ସାବଧାନତାର ସହିତ ଘରଟିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏହି ଜ୍ୟାକ୍ ସାହାଯ୍ୟରେ ଘୁଞ୍ଚାଇ ଘୁଞ୍ଚାଇ ନେଉଛନ୍ତି । ଗୋଟିଏ କୋଠାକୁ ୧୦୦ ଫୁଟ ସ୍ଥାନାନ୍ତରିତ ହେବାକୁ ଲାଗିଛି ୩ ମାସ ସମୟ । ଏହି କାମ ପାଇଁ ୨୦୦ ରୁ ଅଧିକ ଜ୍ୟାକ୍, କିଛି ଲୁହା ରଡ୍, କିଛି ଲୁହା ଆଙ୍ଗଲ୍ ଓ କିଛି ଲୁହାପ୍ଲେଟ ଲାଗିଛି।
ଅଧିକ ପଢ଼ନ୍ତୁ: କଲବଲ କରିବ, ନିଆଁବର୍ଷା ହେବ; ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଲା SRCଙ୍କ ଅଫିସ୍...
ଏହି ଅତ୍ୟାଧୁନିକ ଉପାୟରେ ଘର ସ୍ଥାନାନ୍ତରିତ କାର୍ଯ୍ୟ କମ୍ ସମୟରେ ହୋଇପାରୁଛି । ବଡ଼ କଥା ହେଉଛି, ଏହି ସ୍ଥାନାସ୍ଥରଣରେ ଘରର କିଛି କ୍ଷତି ହେଉନାହିଁ । ଘର ଯେମିତି ଅଛି ସେମିତି ରହୁଛି, ଅନ୍ୟ ସ୍ଥାନରେ ଯାଇ ଛିଡା ହେଉଛି ।
ଘରୋଇ କଂପାନିର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି, ବର୍ତ୍ତମାନ ସମୟରେ ବଡ ବଡ କୋଠାକୁ ନ ଭାଙ୍ଗି ସ୍ଥାନାନ୍ତରଣ କରିବା ସହଜ ଓ ସରଳ ହୋଇଗଲାଣି । ଅତ୍ୟାଧୁନିକ ଉପାୟରେ ଏହି ଘର ସିଫ୍ଟ୍ ହେଉଛି । ଖାଲି ଯେ ଘର ଗୁଡ଼ିକ ଘୁଞ୍ଚି ପାରୁଛି ତା ନୁହେଁ ବରଂ ଚାରି ଦିଗକୁ ବୁଲି ହେଇପାରୁଛି । ଆବଶ୍ୟକତା ଅନୁଯାୟୀ ମାଟି ପତ୍ତନରୁ କେତେ ଉପରକୁ ଉଠାଇହେବ ବା ତଳକୁ କରିହେବ, ତାହା ହୋଇପାରୁଛି । ଏପରିକି ନୂଆ ସ୍ଥାନରେ ଘରର ଦିଗ ମଧ୍ୟ ବଦଳା ଯାଇପାରୁଛି ।
ରାସ୍ତା ପ୍ରଶସ୍ତୀକରଣ ପାଇଁ ବାରିପଦା ସହରରେ ଅନେକ ଘର ଭାଙ୍ଗିବାକୁ ନୋଟିସ ହୋଇଛି । କିନ୍ତୁ ଏବେ ହାଉସ୍ ଲିଫ୍ଟିଙ୍ଗ କାର୍ଯ୍ୟ ହୋଇପାରୁଥିବାରୁ ଲୋକଙ୍କ ଚିନ୍ତା ଦୂର ହୋଇଛି । ନିଜ ପସନ୍ଦର ଘରକୁ ଆଉ ଭାଙ୍ଗିବାକୁ ପଡୁନି । ଏହା ହେଉଛି ଟେକ୍ନୋଲୋଜିର କମାଲ୍ । ଲୋକଙ୍କ ମୁହଁରେ ହସ ଫୁଟାଇଛି ଟେକ୍ନୋଲୋଜି । ତେବେ ଏହି ସିଫ୍ଟିଂରେ ପ୍ରାୟ ୧୨/୧୩ ଲକ୍ଷ୍ ଟଙ୍କା ଖର୍ଚ୍ଚ ହେଉଥିବା ସଂପୃକ୍ତ ଘର ମାଲିକ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଗାଁ ପିଲା ଖେଳିବାକୁ ଦାନ କରିଦେଲେ ୫ ଏକର ଜାଗା
- Reported by:
- MANIK Lal PANI