• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସ୍ମାର୍ଟ ଫୋନ୍‌ର ଯୁଗ । ପିଲାଠୁ ବୁଢ଼ା ଯାଏଁ ଏବେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌ । ସମସ୍ତେ ସ୍ମାର୍ଟ ଫୋନ୍‌ ସହ ବିଜି । ସକାଳୁ ଆଖି ଖୋଲୁ ଖୋଲୁ ହାତ ଖୋଜେ ଫୋନ୍‌ । ଆଉ ସେହି ଫୋନ୍‌ରେ ସବୁବେଳେ ଅନ୍‌ ଥାଏ ଡାଟା ବା ଇଣ୍ଟରନେଟ୍‌ । ଏମିତିରେ ସମସ୍ତଙ୍କର ଅଭ୍ୟାସ ହୋଇଗଲାଣି ଫୋନ୍‌ । ପରିବାର ଲୋକ ତ ଦୂରର କଥା ପାଖ ପଡ଼ୋଶୀ କିମ୍ବା ସାଙ୍ଗ ସାଥୀ ବି ଆଉ ନାହାନ୍ତି । ଲୋକଙ୍କ ଅଧିକାଂଶ ସମୟ ଏବେ କେବଳ ସ୍ମାର୍ଟ ଫୋନ୍ ସହ ବିତୁଛି ।

ତେବେ ଆପଣ ଭାବୁଥିବେ ଆମେ କାହିଁକି ଆଜି ଏକଥା କହୁଛୁ । ଆମେ ଏହି କଥା କହିବାର ମୂଳ ତାତ୍ପର୍ଯ୍ୟ ହେଲା, ସ୍ମାର୍ଟ ଫୋନ୍‌ ଧରି ଲୋକେ ଯେତିକି ସ୍ମାର୍ଟ ହେଉଛନ୍ତି ଚୋର ବି ସେତିକି ସ୍ମାର୍ଟ ହେଉଛନ୍ତି । ଏବେ ଯୁଆଡ଼େ ଦେଖିବ ଖାଲି ସାଇବର ଫ୍ରଡ୍‌ । ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।

ଏବେ ଆମ ନଜରକୁ ଆସିଛି ସାଇବର ଠକଙ୍କ ଆଉ ଏକ ନୂଆ ଫଣ୍ଡା । ଯାହା ଶୁଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ । ତାହା ହେଲା ମୋବାଇଲ ଚାର୍ଜିଂ ପଏଣ୍ଟ କରିବା ବାହାନାରେ ସାଇବର ଠକ କରୁଛନ୍ତି ଲୁଟ୍ । ଆପଣ କେବେ ପବ୍ଲିକ୍‌ ପ୍ଲେସ୍‌ରେ ଲାଗିଥିବା ଚାର୍ଜରରେ ମୋବାଇ ଚାର୍ଜ କରିଛନ୍ତି କି ? ଯଦି ହଁ, ତେବେ ଆଗକୁ ଆଉ ସେହିଭଳି ଭୁଲ କରନ୍ତୁ ନାହିଁ । କାରଣ ସାଇବର ଠକ ଏବେ ଏମିତି ଏକ ଟେକ୍ନୋଲୋଜିର ଉଦ୍‌ଭାବନ କରିଛନ୍ତି, ଯାହାକି ଲୁଟ୍‌ କରିବାର ଆଉ ଏକ ସହଜ ତରିକା । ଯେଉଁଥିରେ କାହାରିକୁ ବି ସନ୍ଦେହ ହେବ ନାହିଁ ।

ସାଧାରଣତଃ ଯେଉଁମାନେ ଅଧିକାଂଶ ସମୟରେ ଘରୁ ବାହାରେ ରହୁଛନ୍ତି ବା ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି, ସେମାନଙ୍କ ମୋବାଇଲରୁ ଚାର୍ଜ ସରିବା ମାତ୍ରେ ସେମାନେ ବିଭିନ୍ନ ପବ୍ଲିକ୍‌ ପ୍ଲେସ୍‌ରେ ଲାଗିଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରିଥାନ୍ତି । ଏହା ଅଧିକାଂଶ ସମୟରେ ସପିଂ ମଲ କିମ୍ବା ଏୟାରପୋର୍ଟରେ ଦେଖାଯାଏ । କିମ୍ବା କୌଣସି ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଗଲା ବେଳେ ମଧ୍ୟ ଲୋକେ ମୋବାଇଲ ଚାର୍ଜ କରିଥାନ୍ତି । ଆଉ ଏହାର ଫାଇଦା ଉଠାଇଥାନ୍ତି ସାଇବର ଠକ ।

ଜୁସ୍‌ ଜ୍ୟାକିଂ ନାମକ ଏକ ନୂଆ ଟେକ୍‌ନିକ୍‌ ବାହାର କରିଛନ୍ତି ସାଇବାର ଠକ । ଏହାକୁ ସେମାନେ ପବ୍ଲିକ୍‌ ପ୍ଲେସ୍‌ରେ ଲାଗିଥିବା ସେହି ସବୁ ଚାର୍ଜିଂ ପଏଣ୍ଟରେ ବ୍ୟବହାର କରୁଛନ୍ତି । ଆଉ ସେହିଠାରେ କୌଣସି ସାଧାରଣ ଲୋକ ମୋବାଇଲ୍‌ ଚାର୍ଜରେ ଲଗାଇବା ମାତ୍ରେ, ତାକୁ ସେମାନେ ହ୍ୟାକ୍‌ କରି ନେଉଛନ୍ତି । ତାପରେ ମୋବାଇଲ୍‌ରେ ଥିବା ସମସ୍ତ ତଥ୍ୟ ହ୍ୟାକର ହାତ ମୁଠାରେ ରହିଥାଏ । ଏଥିରୁ ସେମାନେ ବ୍ୟାଙ୍କ୍ ଡିଟେଲ୍ସ ଠାରୁ ଆରମ୍ଭ କରି ସବୁ ତଥ୍ୟ ପାଇପାରନ୍ତି । ଏମିତିକି ନିମିଷେକେ ଆକାଉଣ୍ଟ ମଧ୍ୟ ଖାଲି କରିପାରନ୍ତି ।

ଖାଲି ସେତିକି ନୁହେଁ ହ୍ୟାକର ମାନେ ଏହି ଚାର୍ଜି ପୋର୍ଟ ଦ୍ୱାରା ଏମିତି ଏକ ଭାଇରସ୍‌ ମୋବାଇଲକୁ ଛାଡ଼ନ୍ତି ଯାହା ଦ୍ୱାରା ପର ମୁହୁର୍ତ୍ତରେ ମଧ୍ୟ ସେମାନେ ଉକ୍ତ ମୋବାଇଲକୁ ରିମୋଟ୍ ଦ୍ୱାରା ଚଳାଇ ପାରନ୍ତି । ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏବେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।

FBI  ପକ୍ଷରୁ ଏନେଇ ସତର୍କ ମଧ୍ୟ କରାଯାଇଛି । ଏଭଳି ଏକ ବଡ଼ ରାକେଟ ପଛରେ କେଉଁମାନେ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ଏବେ ତଦନ୍ତ ଚାଲିଛି । FBI ପକ୍ଷରୁ କୁହାଯାଇଛି ଯେ, ପବ୍ଲିକ୍‌ ଚାର୍ଜି ପଏଣ୍ଟରେ ମୋବାଇଲ ଚାର୍ଜ କରନ୍ତୁ ନାହିଁ ବରଂ ସାଥିରେ ପାୱାର ବ୍ୟାଙ୍କ ନେଇ ଯାଆନ୍ତୁ । ଏହାସହ FBI ଆହୁରି କହିଛି ଯେ, ହାକର ମାନଙ୍କ ଦ୍ୱାରା ଲଗାଯାଇଥିବା ଏହି ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ ଅବିକଳ ଅସଲି ଚାର୍ଜିଂ ପଏଣ୍ଟ ଭଳି ଦେଖାଯାଏ । ଯାହାକୁ ଚିହ୍ନିବା ମୁସ୍‌କିଲ । ତେଣୁ ସାବଧାନ ରୁହନ୍ତୁ । ସାଙ୍ଗରେ ପାୱାର ବ୍ୟାଙ୍କ୍ ଧରି ଘରୁ ବାହାରନ୍ତୁ ।