ଭାରତୀୟ କ୍ରିକେଟର ଏବଂ ବଲିଉଡ ତାରକାଙ୍କ ବିବାହ ବିଚ୍ଛେଦ ଘଟଣା ବଢ଼ିବାରେ ଲାଗିଛି । ଲୋକପ୍ରିୟତା ହାସଲ କରିଥିବା ଅନେକ ତାରକା ନିଜ ବୈବାହିକ ଜୀବନରେ ଅସଫଳ ହେଉଥିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ହାର୍ଦ୍ଦିକ ଅଲଗା ହୋଇଥିଲେ । ଏହାପରେ ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଚହଲ ନାମକୁ ହଟାଇ ଦେଇଥିଲେ । ଯାହା ତାଙ୍କ ସମ୍ପର୍କ ଭଲ ନଥିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର କାରଣ ହୋଇଥିଲା ।
ଏହାପରେ ଏବେ ପୁଣି କ୍ରିକେଟ୍ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଲୋକପ୍ରିୟ ବ୍ୟାଟର ବିରେନ୍ଦ୍ର ସେହୱାଗଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ବୀରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀ ଆରତୀ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି । ସେହୱାଗ ତାଙ୍କ ପିଲାଦିନର ସାଙ୍ଗ ଆରତୀଙ୍କୁ ୨୦୦୪ ମସିହାରେ ବିବାହ କରିଥିଲେ ଏବଂ ଉଭୟଙ୍କର ଦୁଇଟି ପୁଅ ମଧ୍ୟ ରହିଛନ୍ତି । ଗତକିଛି ଦିନହେଲା ପୂର୍ବତନ ଭାରତୀୟ ଓପନର ସୋସିଆଲ ମିଡିଆରେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରୁ ତାଙ୍କ ପତ୍ନୀ ଗାଏବ ହୋଇଯାଇଛନ୍ତି । ଏମିତିକି ସେହୱାଗ ନିଜର 20ତମ ବିବାହ ବାର୍ଷିକି ସମ୍ପର୍କରେ ସୋସିଆଲ ମିଡିଆରେ କିଛି ବି ସେୟାର କରିନଥିଲେ ।
Also Read
ଅଧିକ ପଢନ୍ତୁ: ଇଂଲଣ୍ଡକୁ ଘାଇଲା କଲେ ଅଭିଷେକ; ୭ ୱିକେଟ୍ରେ ଜିତିଲା ଭାରତ..
ଗତକାଲି ବିଭିନ୍ନ ଗଣମାଧ୍ୟମରେ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା କରାଯାଇଛି । ଚର୍ଚ୍ଚା ବଢିବାପରେ ସେହୱାଗଙ୍କ ପତ୍ନୀ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ପ୍ରାଇଭେଟ କରିଥିବା ଜଣାପଡିଛି । ତେବେ ସେହୱାଗ ଏବଂ ଆରତୀ ନିଜର ବିବାହ ବିଚ୍ଛେଦ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । କିନ୍ତୁ ଏହାକୁ ନେଇ ପ୍ରସଂଶକମାନେ ଅନେକ ପ୍ରକାର ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ନିଜ କ୍ରିକେଟ କ୍ୟାରିୟର ପାଇଁ ଚର୍ଚ୍ଚାରେ ରହୁଥିବା ସେହୱାଗ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଯଦି ଏହି ଚର୍ଚ୍ଚା ସତ ହୋଇଥାଏ ଖୁବଶୀଘ୍ର ଏହି ଷ୍ଟାର ଦମ୍ପତିଙ୍କର ବିବାହ ବିଚ୍ଛେଦ ହୋଇପାରେ ବୋଲି ଅନୁମାନ କରାଯାଉଛି ।