• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଇତିହାସ ରଚି ସାରିଛନ୍ତି ବିରାଟ କୋହଲି । ୱାଙ୍ଖେଡେରେ ୫୦ତମ ଶତକ ହାସଲ କରିଛନ୍ତି କିଙ୍ଗ । ଏଥିସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡକୁ ଭାଙ୍ଗି ଦେଇଛନ୍ତି ବିରାଟ । ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ବିଶ୍ୱକପ ସେମିଫାଇନାଲରେ ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟ ବିରାଟ ।

ମ୍ୟାଚ ପର ସମ୍ମିଳନୀରେ ବିରାଟ କହିଥିଲେ ଯେ, ଏ ସବୁ ମୋତେ ସ୍ୱପ୍ନ ପରି ଲାଗୁଛି । ଗ୍ୟାଲେରୀରେ ସଚିନ ଥିଲେ, ପତ୍ନୀ ଅନୁଷ୍କା ମଧ୍ୟ ଥିଲେ । ଏହାକୁ ବର୍ଣ୍ଣନା କରିବା କଷ୍ଟକର । ଏହା ସହ ଏତେ ମାତ୍ରାରେ ଦର୍ଶକଙ୍କ ସାମ୍ନାରେ ମୁଁ ଏହି ଶତକ ହାସଲ କରି ପାରିଛି । ଏହା ସବୁବେଳ ମୋ ପାଇଁ ସ୍ମରଣୀୟ ହୋଇ ରହିବ ।

୧୦୬ ବଲରେ ୮ଟି ଚୌକା ଓ ଗୋଟିଏ ଛକା ସହ ଶତକ କରି ରେକର୍ଡ ବୁକରେ ନିଜ ନାଁ ଲେଖିଛନ୍ତି କୋହଲି । ତେବେ ମ୍ୟାଚରେ ୧୧୭ ରନ କରିବା ପରେ ସେ ଆଉଟ୍ ହୋଇ ଯାଇଥିଲେ । କିନ୍ତୁ ଏହା ମଧ୍ୟରେ ସେ ଅନେକ ରେକର୍ଡ ଭାଙ୍ଗି ନିଜ ନାମରେ କରି ନେଇଥିଲେ ।

ବିରାଟ ୨୯୧ ମ୍ୟାଚରେ ୫୦ ତମ ଶତକ ମାରିଛନ୍ତି । ଖାଲି ଏହା ନୁହେଁ ବିରାଟ ଗୋଟିଏ ବିଶ୍ବକପରେ ସର୍ବାଧିକ ରନ କରି ସଚିନଙ୍କ ଆଉ ଏକ ରେକର୍ଡକୁ ନିଜ ନାଁରେ କରିଛନ୍ତି । ଚଳିତ ବିଶ୍ୱକପରେ ବିରାଟ ୩ଟି ଶତକ, ୫ଟି ଅର୍ଦ୍ଧଶତକ ସହ ୭୧୧ ରନ୍ କରି ଟପ୍ ସ୍କୋରର ହୋଇଛନ୍ତି । ପୂର୍ବରୁ ୨୦୦୩ ବିଶ୍ୱକପରେ ସଚିନ ତେନ୍ଦୁଲକର ସର୍ବାଧିକ ୬୭୩ ରନ୍ ସଂଗ୍ରହ କରିଥିଲେ । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ: ଭବାବିହ୍ୱଳ ହୋଇ ଟ୍ୱିଟ୍‌ କଲେ ସଚିନ୍‌, କହିଲେ ମନେପଡ଼ିଗଲା ସେଇ ଡ୍ରେସିଂ ରୁମ୍‌ରେ ଦେଖା...

ଏକଦା ସଚିନ କହିଥିଲେ ଯେ ତାଙ୍କ ରେକର୍ଡକୁ କେବଳ ବିରାଟ କୋହଲି କିମ୍ବା ରୋହିତ ଶର୍ମା ହିଁ ଭାଙ୍ଗି ପାରିବେ । ଆଉ ସତକୁ ସତ ବିରାଟ ତାଙ୍କ ଦିନିକିଆ ଶତକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିଲେ । ମାତ୍ର ବିରାଟ ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି ।

ଗତକାଲି୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ଦିନିକିଆରେ ୫୦ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି । ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୮୦ରେ ପହଞ୍ଚି ଯାଇଛି ।

ଏହି ଶତକ ହାସଲ ପରେ କୋହଲି ଦିନିକିଆରେ ତୃତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି । ସେ ୨୯୨ ଟି ମ୍ୟାଚ ଖେଳି ବର୍ତ୍ତମାନ ପର୍ଯ୍ୟନ୍ତ ୫୮. ୬୯ ହାରରେ ୧୩, ୭୯୪ ରନ ସ୍କୋର କରିଛନ୍ତି । ଏହି କ୍ରମରେ ସେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ମୋଟ ୧୮, ୪୨୬ ରନ କରି ସଚିନ ପ୍ରଥମ ସ୍ଥାନରେ ଥିବା ବେଳେ କୁମାର ସାଙ୍ଗାକାରା ୧୪, ୨୩୪ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।