Advertisment

Barabati Match Ticket: VIPଙ୍କ ପାଇଁ ମାଳ ମାଳ ପାସ୍, ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ଖତମ୍

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।

author-image
Santosh Kumar Sahoo
undefined

ଏପଟେ ବାଡ଼ିଆପିଟା ସେପଟେ ପାସ୍‌ ଖେଳ !

ସାଧାରଣ ଦର୍ଶକଙ୍କୁ ଅଣଦେଖା କରି VVIPଙ୍କ ସନ୍ତୁଷ୍ଟିକରଣରେ ଲାଗିପଡୁଛି କି ଓସିଏ ? କାରଣ ୪୫ ହଜାର ସିଟ୍ ବିଶିଷ୍ଟ ବାରବାଟୀ ଷ୍ଟାଡ଼ିୟମରେ ୨୪ ହଜାର ଟିକଟ ବିକ୍ରି ଏବଂ ୨୧ ହଜାର ପାସ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କେବଳ ପ୍ରଶ୍ନ ନୁହେଁ, ଗତକାଲି ଧାଡ଼ିବାନ୍ଧି ଦୟନୀୟ ଅବସ୍ଥା ଭୋଗିଲେ ହଜାର ହଜାର ଦର୍ଶକ । ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲା ପୋଲିସ । ତେବେ କାହିଁକି ଏଭଳି ଅବ୍ୟବସ୍ଥା ? କାହିଁକି ବାରବାଟୀରେ ବଢ଼ାଯାଉନି ସିଟ୍ ସଂଖ୍ୟା ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଓସିଏ କହିଛି, ସଦସ୍ୟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ।

Advertisment

ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର । ଧକ୍କା ଖାଇବାକୁ ପଡୁଛି ପୋଲିସର । ଗତକାଲି ଯିଏ ଦେଖିଛନ୍ତି ଦୃଶ୍ୟ, ସିଏ ବିଚଳିତ ହୋଇଛନ୍ତି, ଯିଏ ଧାଡ଼ିବାନ୍ଧି ଦଣ୍ଡ ଭୋଗିଛନ୍ତି ସିଏ ହିଁ ଜାଣିଛନ୍ତି କେତେ କଷ୍ଟ ଦେଇଛି ବାରବାଟୀ ଟିକେଟ୍ । ମନ ପସନ୍ଦର ଖେଳ ଓ ଖେଳାଳୀଙ୍କୁ ଦେଖିବାକୁ ଆସୁଥିବା ସାଧାରଣ ଦର୍ଶକ କାହିଁକି ଧାଡ଼ିବାନ୍ଧି ଭୋଗୁଛନ୍ତି ଏଭଳି ଦଶା ? ଏଭଳି ପ୍ରଶ୍ନରେ କେବଳ ଗୋଟିଏ କଥା, ଭିଭିଆଇପିଙ୍କ ପାଇଁ ମାଳ ମାଳ ପାସ୍, କମନମ୍ୟାନଙ୍କ ପାଇଁ ଟିକେଟ ଖତମ୍ । ଆଜି ବି ଟିକେଟ୍‌ ଖଣ୍ଡିକ ପାଇଁ ଧାଡ଼ିବାନ୍ଧିଥିଲେ ଦର୍ଶକ । କିନ୍ତୁ ଗତକାଲିଠୁ ଟିକେଟ ସରିଯାଇଥିବାରୁ ନିରାଶ ହୋଇଛନ୍ତି ସମସ୍ତେ ।

ଅଧିକ ପଢ଼ନ୍ତୁ: ପ୍ରଥମ ଦିନିକିଆରୁ ବାଦ୍ ପଡିଲେ କୋହଲି, ଜାଣନ୍ତୁ କାହିଁକି?

ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ସିଟ୍ କ୍ଷମତା ରହିଛି ମୋଟ୍ ୪୫ ହଜାର । ତା ମଧ୍ୟରୁ ପ୍ରାୟ ୨୪ ହଜାର ଟିକଟ ବିକ୍ରି ହୋଇଛି । ବିକ୍ରି ଟିକଟରୁ ୪ ହଜାର ଟିକଟ ଅନଲାଇନରେ, ୮ ହଜାର ଟିକଟ ଓସିଏ ଅନୁବନ୍ଧିତ ସଂସ୍ଥା, କ୍ଲବ, ସ୍କୁଲ, କଲେଜ ଏବଂ ଜିଲ୍ଲା କ୍ରୀଡ଼ା ସଂଗଠନକୁ ବିକ୍ରି କରାଯାଇଛି । ଆଉ ୧୨ ହଜାର ଟିକଟ୍ ବିକ୍ରି କରାଯାଇଛି କାଉଣ୍ଟରରେ । ବଳକା ୨୧ ହଜାର ଟିକଟ ଓସିଏ ବାଣ୍ଟୁଛି ପାସ୍ ଆକାରରେ । ଯେଉଁଥିରେ ରହିଛନ୍ତି ଭିଆଇପି ଏବଂ ଭିଭିଆଇପି ।

Advertisment

ପ୍ରଶ୍ନ ଉଠୁଛି, ନାକେଦମ୍ ହୋଇ ସାଧାରଣ ଦର୍ଶକ ଯେତେବେଳେ ଠେଲା ଖାଇ ଟଙ୍କା ଗଣି ଟିକେଟ କିଣୁଛନ୍ତି, ଏଭଳି ସ୍ଥିତିରେ ବଡ଼ବଡ଼ିଆଙ୍କ ପାଇଁ ଏତେ ଦରଦ କାହିଁକି ? ଭିଆଇପିଙ୍କୁ ସନ୍ତୁଷ୍ଟିକରଣରେ ଲାଗିଛି କି ଓସିଏ ? କେବଳ ଏତିକି ନୁହେଁ,ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଦର୍ଶକଙ୍କ କ୍ଷମତା ୧ ଲକ୍ଷ ୩୨ ହଜାର ଥିବାବେଳେ କୋଲକାତାର ଇଡେନ୍ ଗାର୍ଡେନରେ ରହିଛି ୬୮ ହଜାର । ତେବେ ଦୀର୍ଘବର୍ଷ ହେଲା ବାରବାଟୀ ଭଳି ଐତିହାସିକ ଷ୍ଟାଡ଼ିୟମରେ କାହିଁକି ବୃଦ୍ଧି ପାଉନି ସିଟ୍ ସଂଖ୍ୟା ? କେଉଁଠି ରହୁଛି ସମସ୍ୟା ?

ପାସ୍ ଅଧିକ ଟିକେଟ କମ୍‌ ଅଭିଯୋଗକୁ ନେଇ ଉଠିଥିବା ବିବାଦ ଭିତରେ ଓସିଏ କହିଛି, ଟିକେଟ ସଂଖ୍ୟା ଏବଂ ଦର୍ଶକଙ୍କ କ୍ଷମତା ବୃଦ୍ଧି ନେଇ ସଦସ୍ୟ ମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ମ୍ୟାଚ୍ ଆସିଲେ ଚର୍ଚ୍ଚାକୁ ଆସୁଥିବା ବାରବାଟୀ ଷ୍ଟାଡ଼ିୟମରେ କେବେ ବଢ଼ିବ ସିଟ୍ ସଂଖ୍ୟା ଏବଂ କେତେ ଶୃଙ୍ଖଳିତ ହେବ ଟିକଟ ବିକ୍ରି, ତାକୁ ଏବେ ଅପେକ୍ଷା ।

ଅଧିକ ପଢ଼ନ୍ତୁ: ବାରବାଟୀ ମ୍ୟାଚ୍‌: ଟିକେଟ୍‌ ବିକ୍ରିରେ ହୋଇନି ତ ସ୍କାମ ?

Barabati Stadium Ind Vs Eng 2nd ODI Cuttack
Advertisment
Advertisment