• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନେଦରଲାଣ୍ତ ବିପକ୍ଷରେ ବିରାଟ ବିଜୟ ସହ ବିଶ୍ୱକପରେ ଲିଗ ପର୍ଯ୍ୟାୟ ଶେଷ । ଆସନ୍ତାକାଲିଠାରୁ ନକ ଆଉଟ ପର୍ଯ୍ୟାୟ । ପ୍ରଥମ ସେମି ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଖେଳାଯିବ । ଆସନ୍ତାକାଲି ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡ଼ିୟମରେ ଏହି ମ୍ୟାଚ ଖେଳାଯିବ । ତେବେ ଭାରତ ଏଥର ଗ୍ରୁପ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ ଦେଇଛି । ନିଜୟ ସମସ୍ତ ମ୍ୟାଚ ଜିତି ଅପରାଜେୟ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ।

ନିଜର ନଅଟି ଯାକ ମ୍ୟାଚ ଜିତି, ମୋଟ ୧୮ ପଏଣ୍ଟ ସହ ଭାରତ ନିଜର ସେମି ଫାଇନାଲ ଅଭିଯାନ ଆରମ୍ଭ କରିବ । ନିଜର ଶେଷ ଲିଗ ମ୍ୟାଚରେ ଭାରତ ମୋଟ ୪୧୦ ର ଦଳଗତ ସ୍କୋର କରି ବିଶ୍ୱକପରେ ଦ୍ବିତୀୟ ସର୍ବବୃହତ ଦଳଗତ ସ୍କୋର କରିଥିଲା । ଏହି ମ୍ୟାଚ ସହ ଭାରତ ମଧ୍ୟ ଅନେକ ଗୁଡ଼ିଏ ରେକର୍ଡ ପ୍ରତିଷ୍ଠା କରିଛି ।

କେଏଲ ରାହୁଲ ବିଶ୍ୱକପ ଇତିହାସରେ ଦ୍ରୁତତମ ଭାରତୀୟ ଶତକ ହାସଲକାରୀ ହୋଇଥିଲେ । ଦ୍ୱିତୀୟ ଭାରତୀୟ ୱିକେଟ ରକ୍ଷକ ବ୍ୟାଟର ଭାବେ ରାହୁଲ ବିଶ୍ୱକପରେ ଶତକ ଅର୍ଜନ କରିଛନ୍ତି । ଅନ୍ୟପଟେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଲଗାତାର ଦୁଇଟି ବିଶ୍ୱକପରେ ୫୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ୨୦୦୩ରେ ସୌରଭ ଗାଙ୍ଗୁଲି ସଂଗ୍ରହ କରିଥିବା ୪୬୫ ରନ ସର୍ବୋଚ୍ଚ ଥିଲା ।

ସେହିପରି ବିରାଟ କୋହଲି ମଧ୍ୟ ଚଳିତ ବିଶ୍ୱକପରେ ରେକର୍ଡ ପ୍ରତିଷ୍ଠା କରିବାରେ ପଛରେ ପଡ଼ି ଯାଇ ନାହାନ୍ତି । ବିଶ୍ୱକପରେ ସେ ସପ୍ତମ ଥର ୫୦ ରୁ ଅଧିକ ସ୍କୋର କରି ସେ ସଚିନ ତେନ୍ଦୁଲକର ଓ ସାକିବ ଅଲ ହାସନଙ୍କ ସମକ୍ଷକ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ, ବିଶ୍ୱକପରେ ପାଞ୍ଚଟି ଅର୍ଧଶତକ ଓ ୨ ଟି ଶତକ ମାରି ସାରିଛନ୍ତି । ଏହା ସହ କୋହଲି ଚଳିତ ବିଶ୍ୱକପରେ ସର୍ବୋଚ୍ଚ ସ୍କୋରର୍ ହେବାର ରେକର୍ଡ ମଧ୍ୟ ନିଜ ନାମରେ କରି ନେଇଛନ୍ତି । କୋହଲି ୯ ମ୍ୟାଚରେ ୯୯ ପ୍ରତିଶତ ହାରରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୯୪ ରନ କରିଛନ୍ତି ।

ଅନ୍ୟପଟେ ନେଦରଲାଣ୍ତ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ୯ ଜଣ ବୋଲିଂ କରିଥିଲେ । ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଶୁବମାନ ଗିଲ ମଧ୍ୟ ବୋଲିଂ କରିଥିଲେ । ଏହା ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମା ନିଜ ନିଜ ବିଶ୍ୱକପ ୱିକେଟ ମଧ୍ୟ ହାସଲ କରି ନେଇଥିଲେ ।

ନେଦରଲାଣ୍ତ ଅଧିନାୟକ ତଥା ୱିକେଟ କିପର ସ୍କଟ ଏଡୱାର୍ଡଙ୍କୁ ଆଉଟ କରିଥିଲେ ବିରାଟ । ଏହା ହେଉଛି ତାଙ୍କର ଦିନିକିଆରେ ପଞ୍ଚମ ୱିକେଟ । ପ୍ରଥମ ୱିକେଟ ଭାବରେ ସେ ଆଲଷ୍ଟାୟାର କୁକଙ୍କୁ ଆଉଟ କରିଥିଲେ । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜର ବିଶ୍ୱକପ ୱିକେଟ ହାସଲ କରି ନେଇଥିଲେ । ସେ ଭାରତୀୟ ବଂଶୋଭବ ତେଜା ନିଦାମାନାରୁଙ୍କୁ ଆଉଟ କରିଥିଲେ ।