• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆରମ୍ଭ ହୋଇସାରିଛି କ୍ରିକେଟର ମହାକୁମ୍ଭ । ଦିନିକିଆ ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ପ୍ରଥମ ମ୍ୟାଚରେ ୪ ବର୍ଷ ତଳର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ଇଂଲଣ୍ଡ। ସେହି ପରାଜୟର ବଦଲା ନ୍ୟୁଜିଲାଣ୍ଡ ୨୦୨୩ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ନେଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡକୁ ୯ ୱିକେଟର ବଡ଼ ବ୍ୟବଧାନରେ ପରାସ୍ତ କରିଛି ।

ଆଜି ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ୭୭ ରନ୍‌ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନେରୀ ୩ଟି ୱିକେଟ ନେଇଥିବାବେଳେ ମିଚେଲ ସ୍ୟାଣ୍ଟନର ଓ ଗ୍ଲେନ୍ ଫିଲିପ୍ସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

୨୮୩ ରନ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡ ଦଳ ଏହି ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା । ୩୬.୨ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ କିୱି ଦଳ ଏହି ଟାର୍ଗେଟ ପୂରଣ କରିନେଇଥିଲା । ଦଳ ପକ୍ଷରୁ ଡେଭନ୍ କନୱେ ଅପରାଜିତ ୧୫୨ ରନ କରିଥିବା ବେଳେ ରଚିନ୍ ରବୀନ୍ଦ୍ରଙ୍କ ୧୨୩ ରନ୍ କରିଥିଲେ ।