• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସେମିଫାଇନାଲରେ ଆହତ ହୋଇଥିଲେ ରବି ଦହିୟା ।

  • କାଜକିସ୍ତାନ କୁସ୍ତି ଯୋଦ୍ଧା କାମୁଡ଼ି ଦେଇଥିଲେ ।

  • ତଥାପି ଫାଇନାଲ ମ୍ୟାଚ୍‌ ଖେଳିଲେ ରବି ।

ନୂଆଦିଲ୍ଲୀ: ଅଲିମ୍ପିକ୍ସର ଏମିତି କିଛି ଦୃଶ୍ୟ । ଯାହା ବିଚଳିତ କରିଛି ସାରା ଦେଶବାସୀଙ୍କୁ । ପୁରୁଷ କୁସ୍ତି ସେମିଫାଇନାଲ୍ ମୁକାବିଲାରେ କାଜକିସ୍ତାନର କୁସ୍ତି ଯୋଦ୍ଧା ନୁରିସ୍ଲାମ ସାନାୟେଭ ଏବଂ ଭାରତର କୁସ୍ତି ଯୋଦ୍ଧା ରବି ଦହିୟା ମୁହଁମୁହିଁ ହୋଇଥିଲେ । ଏହି ସମୟରେ ରବି ଦହିୟା ନିଜ ବାହୁରେ ନୁରିସ୍ଲାମ୍‌ଙ୍କୁ ମାଡ଼ି ଧରିଥିଲେ । ମାତ୍ର ନୁରିସ୍ଲାମ୍‌ ଖେଳିଥିଲେ କିଛି ଏମିତି ଚାଲ୍‌ ଯାହା କେବଳ ରବିଙ୍କୁ ନୁହେଁ ସାରା ଭାରତବାସୀଙ୍କୁ କଷ୍ଟ ଦେଇଥିଲା ।ଦହିୟାଙ୍କ କବ୍‌ଜାରୁ ବର୍ତ୍ତିବା ପାଇଁ ସେ ଯାହା କରିଥିଲେ ତାହା କୌଣସି ଖେଳାଳିଠୁ ଆଶା କରାଯାଇନପାରେ ।

ନୁରିସ୍ଲାମ୍‌ ରବିଙ୍କର ଡାହାଣ ହାତର କହୁଣୀ ନିକଟକୁ ଏତେ ଜୋର୍‌ରେ କାମୁଡ଼ି ଦେଇଥିଲେ ଯେ, ଯଦି ସାଧାରଣ ଲୋକ କେହି ହୋଇଥାନ୍ତେ ତେବେ ସେ ନିଜ ହାତ ମଧ୍ୟ ଉଠାଇ ପାରିନଥାନ୍ତେ । ମାତ୍ର ସେ ଥିଲେ ରବି ଦହିୟା, ଭାରତର ପରାକ୍ରମୀ କୁସ୍ତି ଯୋଦ୍ଧା । ଯିଏ ଭାରତ ମାତାର ସମ୍ମାନ ପାଇଁ, ଭାରତକୁ ମେଡାଲ ଆଣିଦେବା ପାଇଁ ସବୁ କଷ୍ଟ ସହି କାଜକିସ୍ତାନ ଖେଳାଳିଙ୍କୁ ନିଜ ବାହୁରେ ଜାବୁଡ଼ି ଧରିଥିଲେ । ଆଉ ଶେଷରେ କାଜକିସ୍ତାନ ଖେଳାଳିଙ୍କୁ ହରାଇ କୁସ୍ତିର ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିଥିଲେ ।

ରବି ଦହିୟାଙ୍କ ହାତରେ ରହିଛି କାମୁଡ଼ାର ଗଭୀର ଦାଗ । କାଜକିସ୍ତାନ ଖେଳାଳି ପ୍ରାୟ ୨୦ ସେକେଣ୍ଡ ପାଇଁ ରବିଙ୍କୁ ଏପରି କାମୁଡ଼ି ଧରିଥିଲେ । ମାତ୍ର ଦେଶକୁ ମେଡାଲ ଦେବା ପାଇଁ ରବି ଏହାକୁ ସହ୍ୟ କରିନେଇଥିଲେ । ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ପରେ ସାରା ଦେଶ ଯେତେବେଳେ ଖୁସି ମନାଉଥିଲା ସେତେବେଳେ ଦହିୟାଙ୍କ ମୁହଁରେ କିନ୍ତୁ ହସ ନଥିଲା । ବିଜୟ ପରେ ସେ ସିଧା ଯାଇ ରେଫରିଙ୍କ ପାଖରେ ପହଞ୍ଚିଥିଲେ ଅଭିଯୋଗ କରିବାକୁ ।

ସେମିଫାଇନାଲ୍‌ରେ ଜିତିବା ପରେ ତାଙ୍କ ବାହୁରେ କାମୁଡ଼ା ଦାଗ ସହ ଯନ୍ତ୍ରଣା ମଧ୍ୟ ଥିଲା । ମାତ୍ର ଏହା ସତ୍ତ୍ୱେ ମଧ୍ୟ ସେ ଫାଇନାଲ୍‌ରେ ରିଙ୍ଗ୍‌କୁ ଓହ୍ଲାଇଥିଲେ । ରେସଲିଂର ୫୭ କେଜି ଫ୍ରି ଷ୍ଟାଇଲର ଫାଇନାଲରେ ସେ ରୁଷୀୟ ପ୍ରତିଯୋଗୀ ଜଉର୍ ୟୁଜହେଭଙ୍କୁ କଡ଼ା ଟକ୍କର ମଧ୍ୟ ଦେଇଥିଲେ । ହେଲେ ପରାଜୟ ଲାଭ କରି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଦେଶ ପାଇଁ ମେଡାଲ ଜିତିବା ପରେ ଦହିୟାଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି ।

ଅଲିମ୍ପିକ୍ସ ଡେବ୍ୟୁରେ ସିଲଭର୍ ଜିତିବା ପରେ ରବି ଦହିୟାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ହରିୟାଣା ସରକାରଙ୍କ ପକ୍ଷରୁ ମଧ୍ୟ ଦହିୟାଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ନଗଦ ୪ କୋଟିର ପୁରସ୍କାର ସହ କ୍ଲାସ୍-ଓ୍ୱାନ୍ ସରକାରୀ ଚାକିରି, ୫୦ ପ୍ରତିଶତ ରିହାତିରେ ହରିୟାଣାର ଯେକୌଣସି ସ୍ଥାନରେ ଜମି ଦେବାକୁ ହରିୟାଣା ସରକାର ଘୋଷଣା କରିଛନ୍ତି । ଏଥିସହ ତାଙ୍କ ଗାଁରେ ଆଧୁନିକ ସୁବିଧା ଥିବା ଏକ ରେସ୍ଲିଂ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି ।