• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ମୁମ୍ବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା । ୨୦୧୧ ବିଶ୍ବକପ ଫାଇନାଲ ପରସ୍ପରକୁ ଭେଟିଥିଲେ ଭାରତ ଓ ଶ୍ରୀଲଙ୍କା । ଭାରତ ହାତରୁ ମ୍ୟାଚ ଖସି ଯାଉଥିବା ବେଳେ ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଅବଦାନ ହିଁ ଭାରତକୁ ବିଶ୍ବ ବିଜେତା କରିଥିଲା । ଆଜି ପୁଣି ଥରେ ସେହି ଷ୍ଟାଡ଼ିୟମରେ ମୁହାଁମୁହିଁ ହେଉଛନ୍ତି ଭାରତ-ଶ୍ରୀଲଙ୍କା ।

ଅପରାଜେୟ ଥିବା ଭାରତର ମନୋବଳ ବେଶ୍ ଦୃଢ଼ ରହିଛି । ସବୁ ମ୍ୟାଚରେ ଭଲ ପ୍ରଦର୍ଶନ ଦେଇ ଆସିଛି ଦଳ । ଇଂଲଣ୍ତ ବିପକ୍ଷ ଲୋ ସ୍କୋରିଂ ମ୍ୟାଚରେ ମଧ୍ୟ ବିଜୟ ହାସଲ କରିଥିଲା ଭାରତ । ସେହିପରି ଗତ ମ୍ୟାଚରେ ଇଂଲଣ୍ଡକୁ ହରାଇଥିବାରୁ ଶ୍ରୀଲଙ୍କା ମଧ୍ୟ ଏବେ ନିଜ ସ୍ଥିତିକୁ ସୁଧାରିଛି ।

ଅଧିକ ପଢ଼ନ୍ତୁ: ବୋଲର୍‌ଙ୍କ ଦମ୍‌ରେ ବିଶ୍ୱବିଜୟୀ ହେବ କି ଟିମ୍ ଇଣ୍ଡିଆ

ପୂର୍ବ ସ୍କ୍ବାଡକୁ ଏହି ମ୍ୟାଚରେ ଦୋହରାଇ ପାରନ୍ତି ଉଭୟ ଟିମ । ତେବେ ଟସ୍ ବେଶ୍ ଗୁରୁତ୍ବ ବହନ କରିବାକୁ ଯାଉଛି । ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର ଦେବାକୁ ଚେଷ୍ଟା କରିବ ଭାରତ । ଦିନିକିଆ ବିଶ୍ବକପ୍ ଇତିହାସରେ ଉଭୟ ଦେଶ ପରସ୍ପରକୁ ୯ ଥର ଭେଟିଛନ୍ତି । ଭାରତ ଓ ଶ୍ରୀଲଙ୍କା ୪-୪ ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚ ବିନା ରେଜଲ୍ଟ ସହ ଶେଷ ହୋଇଛି । ଦିନିକିଆ ଇତିହାସରେ ଦୁଇ ଦେଶ ୧୬୭ ଥର ମୁକାବିଲା କରିଥିବା ବେଳେ ଭାରତ ୯୮-୫୭ରେ ଆଗୁଆ ରହିଛି ।

ତେବେ ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ତ୍ୟା ଖେଳିବେନି ବୋଲି କହିଛନ୍ତି କ୍ୟାପଟେନ ରୋହିତ ଶର୍ମା । ହାର୍ଦ୍ଦିକ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ଆଗକୁ ବିଶ୍ବକପର କଠିନ ସମୟ ଆସୁଥିବାରୁ ଦଳ କୌଣସି ରିସ୍କ ନେବାକୁ ଚାହୁଁନି ବୋଲି କହିଛନ୍ତି ରୋହିତ୍ ।

ଅନ୍ୟପଟେ ୱାଙ୍ଖଡ଼େ ଷ୍ଟାଡିୟମରେ ଉନ୍ମୋଚିତ ହୋଇଛି ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ମୁମ୍ବାଇ କ୍ରିକେଟ୍ ଆସୋସିଏସନ ପକ୍ଷରୁ ନିର୍ମାଣ କରାଯାଇଛି ଏହି ପ୍ରତିମୂର୍ତ୍ତି । ୱାଙ୍ଖଡ଼େ ପରିସରରେ ଥିବା ସଚିନ ତେନ୍ଦୁଲକର ଷ୍ଟାଣ୍ଡ ପାର୍ଶ୍ବରେ ଏହି ପ୍ରତିମୂର୍ତ୍ତି ଅବସ୍ଥାପିତ କରାଯାଇଛି ।

ତେବେ ସଚିନ ତେନ୍ଦୁଲକର ନିଜେ ଏହି ଉନ୍ମୋଚନ ଉତ୍ସବରେ ସାମିଲ ହୋଇଥିଲେ । ତାଙ୍କ ସହ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ଏପ୍ରିଲରେ ନିଜର ୫୦ତମ ଜନ୍ମଦିନ ପାଳିଥିଲେ ସଚିନ । ବିଶ୍ବ କ୍ରିକେଟରେ ଅନେକ ରେକର୍ଡର ଅଧିକାରୀ ହୋଇଥିବା ସଚିନ ୱାଙ୍ଖଡେରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଣୁ ବିଶ୍ବକପରେ ଭାରତ-ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।