• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାମ ଦେଲାନି ହୋମ୍ ଗ୍ରାଉଣ୍ଡର ଫାଇଦା । ହୋମ୍ କ୍ରାଉଡ୍‌ର ସପୋର୍ଟ ଥାଇ ବି ଲାଭ ହେଲାନି । ହକି ଓ୍ୱାର୍ଲଡ କପ୍ ମେଡାଲ୍ ରେସ୍‌ରୁ ଇଣ୍ଡିଆ ଆଉଟ୍ । ୨୦୧୮ ପରି ଏଥର ମଧ୍ୟ ପୋଡିୟମ୍ ଫିନିସ୍ କରିବାରେ ବିଫଳ ହୋଇଛି ଆୟୋଜକ ଭାରତ । ଦ୍ୱିତୀୟ କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡଠାରୁ ହାରି ବିଦା ହୋଇଛି ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲ ବିଜେତା ଭାରତୀୟ ଦଳ । ମ୍ୟାଚ ୩-୩ରେ ବରାବର ରହିବା ପରେ ସୁଟ୍‌ଆଉଟ୍‌ରେ ବ୍ଲାକ୍ ଷ୍ଟିକ୍‌ଠାରୁ ହାରିଯାଇଥିଲା ଘରୋଇ ଟିମ୍ ।

ତୃତୀୟ କ୍ୱାର୍ଟର ସୁଦ୍ଧା ୩-୨ ଗୋଲରେ ଆଗୁଆ ଥିବା ଭାରତ ଏହାକୁ ଡିଫେଣ୍ଡ କରିବାରେ ବିଫଳ ହୋଇଥିଲା । ପୁରା ଟୁର୍ଣ୍ଣାମେଣ୍ଟରେ ସେହି ଗୋଟିଏ ଭୁଲ୍‌କୁ ବାରମ୍ବାର ଦୋହରାଇଥିଲା ଦଳ । ମିଳୁଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରିବାକୁ ସକ୍ଷମ ହୋଇ ପାରିନଥିଲେ ଭାରତୀୟ ଖେଳାଳି । ଭାରତ ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚରୁ ୨୦ ପେନାଲ୍ଟି କର୍ଣ୍ଣର ପାଇଥିବା ବେଳେ ମାତ୍ର ୩ଟିକୁ ଗୋଲ୍‌ରେ ପରିଣତ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ୧୦ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ହେଲେ ଦଳ ମାତ୍ର ୨ଟି ଗୋଲ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଥିବା ୨ଟି ଯାକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନଭର୍ଟ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା । ଶେଷରେ ଫଳାଫଳ ପାଇଁ ସୁଟ୍ ଆଉଟ୍‌ର ସହାୟତା ନିଆଯାଇଥିଲା, ହେଲେ ସେଥିରେ ଫେଲ ହୋଇଥିଲା ଭାରତ ।

ଭାରତର ଏଭଳି ଦୟନୀୟ ପ୍ରଦର୍ଶନର କାରଣ କଣ ? ହାର୍ଦ୍ଦିକ ସିଂ ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ଭାରି ପଡ଼ିଲା କି ? ଟୋକିଓ ଅଲିମ୍ପିକିସ୍‌ରେ ବ୍ରୋଞ୍ଜ ଜିତିଥିବା ଦଳର ଅଧା ଖେଳାଳିଙ୍କୁ ବିଶ୍ୱକପ୍ ଟିମ୍‌ରେ ସାମିଲ ନ କରିବା ଅନ୍ୟତମ କାରଣ ଥିଲା କି ? ଖେଳାଳି ଚୟନ କରିବାରେ ଭୁଲ୍ ରହିଲା କି ? ନା ଘରୋଇ ପରିବେଶର ଚାପକୁ ସହି ନପାରି ଆଶାନୁରୂପ ଖେଳ ପ୍ରଦର୍ଶନ କରିପାରିଲେନି ଖେଳାଳି । ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି । 

ଚଳିତ ବିଶ୍ୱକପରେ ଭାରତ ଏବେ ନବମରୁ ୧୬ତମ ସ୍ଥାନ ଲାଗି କ୍ଲାସିଫିକେସନ୍ ମ୍ୟାଚ ଖେଳିବ । ଆସନ୍ତା ୨୬ ତାରିଖରେ ରାଉରକେଲାରେ ଦିନ ୨ଟାରେ ଜାପାନକୁ ଭେଟିବ ଭାରତ ।