• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଢୁଛି ବଡ ବଡ ଅଟ୍ଟାଳିକା । ରାଜଧାନୀର ମାଟି ଦିନକୁ ଦିନ କଂକ୍ରିଟରେ ପରିଣତ ହୋଇଗଲାଣି । ସ୍ଥାନେ ସ୍ଥାନେ ଖେଳିବାକୁ ଖେଳ ପଡିଆ ନାହିଁ । ତଥାପି କିଛି ଅସୁବିଧା ନାହିଁ । ରୁଫଟଫରେ ବି ଖେଳି ହେବ ଖେଳ। ଭାରତରେ ପ୍ରଥମ ଆନ୍ତର୍ଜାତିକ ସ୍ତରର ରୁଫଟଫ ପିକିଲ ବଲ କୋର୍ଟ ତିଆରି ହୋଇଛି ।

ଦେଖିବାକୁ ପୁରା ଲନ୍ ଟେନିସ କୋର୍ଟ ଭଳି। ଟେବୁଲ ଟେନିସ ରାକେଟଠାରୁ ଟିକେ ବଡ଼ ରାକେଟ୍ । ବ୍ୟାଡ଼ ମିଣ୍ଟନ ପଏଣ୍ଟ ଭଳି ମ୍ୟାଚ ପଏଣ୍ଟ ଏବଂ ସର୍ଭିସ ବି ବ୍ୟାଡ଼ମିଣ୍ଟନ ଭଳି । ଆଉ ବଲ ପ୍ଲାଷ୍ଟିକରେ । ଓଡିଶାକୁ ନୂଆ କରି ପ୍ରବେଶ କରିଥିବା ଏହି ରୁଫଟଫ ପିକିଲ୍ ବଲ୍ ଖେଳ ଟିକେ ଅଲଗା । କାରଣ ଏହି ଖେଳ ପାଇଁ ଆବଶ୍ୟକ ନାହିଁ ଖେଳ ପଡିଆ । ଛାତ ଉପରେ ବି ଆପଣ ଖେଳିପାରିବେ । କେବଳ ଟିକେ ଜାଗା ଥିଲେ ହେଲା ।

ଭାରତକୁ ପିକିଲ୍ ବଲ ଖେଳ ୧୦ ବର୍ଷ ତଳେ ପ୍ରବେଶ କରିଥିଲା । ଆଉ ଓଡିଶାରେ ଏହି ଖେଳ ଏବେ ଏବେ ଆରମ୍ଭ ହୋଇଛି । ଏହି ପିକିଲ୍ ବଲ ପ୍ରତି ଖେଳାଳିଙ୍କ ଆଗ୍ରହ ବି ଦେଖିବାକୁ ମିଳୁଛି । ଯେ କୌଣସି ବୟସର ଖେଳାଳି ଏହି ଖେଳକୁ ଖେଳି ପାରିବ । ଟେନିସ ଓ ବ୍ୟାଡ଼ମିଣ୍ଟନ ଭଳି ଏହି ଖେଳର ଉପକରଣ ଏତେ ଦାମିକା ନଥିବା କହିଛନ୍ତି ଆସୋସିଏସନର ସଂପାଦକ ଶୁଭ୍ରାଂଶୁ ଷଡ଼ଙ୍ଗୀ ।

ଆଗାମୀ ଦିନରେ ପିକିଲ ବଲ ଖେଳକୁ ଓଡ଼ିଶାରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜାତୀୟସ୍ତରରେ ଓ ଅନ୍ତର୍ଜାତିୟ ସ୍ତରରେ ଓଡ଼ିଆ ଖେଳାଳି କିପରି ସୁନାମ ଅର୍ଜନ କରିବେ, ସେନେଇ ଉଦ୍ୟମ ଆରମ୍ଭ କରାଯିବ ବୋଲି ଓଡିଶା ପିକିଲ ବଲ ଆସୋସିଏସନ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।