Advertisment

ଟିମ୍‌ ଇଣ୍ଡିଆ ସହ ମୋଦିଙ୍କ ଆଲୋଚନା, ଖେଳାଳି ଶୁଣାଇଲେ ସଫଳତାର କାହାଣୀ

ଏହି ଐତିହାସିକ ବିଜୟ ପରେ ଭାରତୀୟ ଖେଳାଳିମାନେ ସ୍ୱଦେଶ ଫେରିଛନ୍ତି । ଭାରତ ଫେରିବା ପରେ ଖେଳାଳିମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Narendra Modi

Narendra Modi

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ୍ ଜିତିଛି ଟିମ୍‌ ଇଣ୍ଡିଆ । ୨୯ ତାରିଖରେ ବାର୍ବାଡୋସ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ନିଜ ନାମରେ କରିଛି । ଏହାପୂର୍ବରୁ, ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ରେ ଟାଇଟଲ୍ ଜିତିଥିଲା ଟିମ୍‌ ଇଣ୍ଡିଆ ।

Advertisment

ଏହି ଐତିହାସିକ ବିଜୟ ପରେ ଭାରତୀୟ ଖେଳାଳିମାନେ ସ୍ୱଦେଶ ଫେରିଛନ୍ତି । ଭାରତ ଫେରିବା ପରେ ଖେଳାଳିମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ତେବେ ଏହି ଆଲୋଚନା ସମୟର ଭିଡିଓ ଏବେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଭାରତୀୟ ଖେଳାଳିମାନେ ଟି -୨୦ ବିଶ୍ୱକପର ଅନୁଭୂତି ବାଣ୍ଟୁଛନ୍ତି।

Advertisment

ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜେତା କୋଚ୍ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ‘ଆପଣ ଆମକୁ ଭେଟିବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍‌ ହୋଇଥିଲା, ଆପଣ ସେଠାକୁ ମଧ୍ୟ ଆସିଥିଲେ । କିନ୍ତୁ ସେହି ସମୟ ଭଲ ନଥିଲା । ତେଣୁ ଆଜିର ଏହି ଖୁସି ଉତ୍ସବରେ ଆପଣଙ୍କୁ ଭେଟି ଆମେ ବହୁତ ଖୁସି । ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ରୋହିତ ଏବଂ ପୂରା ଟିମ୍‌ ଦମଦାର ପ୍ରଦର୍ଶନ କରିଥିଲା । ସେମାନେ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି । ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ ଏହି ଯୁବକମାନେ ଆଗାମୀ ଯୁବ ପିଢ଼ିଙ୍କୁ ପ୍ରେରଣା ଦେଇଛନ୍ତି’ । ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ ହେବା ନେଇ ଦ୍ରାବିଡ ଖୁସି ବ୍ୟକ୍ତ କରିଥିଲେ । ଦ୍ରାବିଡ କହିଛନ୍ତି, 'ଅଲିମ୍ପିକ୍ସର ଏକ ଅଂଶ ହେବା କ୍ରିକେଟ୍ ପାଇଁ ଗର୍ବର ବିଷୟ। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ଭଲ ଏବଂ ବଡ଼ କଥା ଅଟେ ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କ୍ୟାପଟେନ ରୋହିତ ଶର୍ମା କହିଛନ୍ତି, 'ଆମେ ସମସ୍ତେ ଏଥିପାଇଁ ବହୁତ ଅପେକ୍ଷା କରିଥିଲୁ, ବହୁତ ପରିଶ୍ରମ କରିଥିଲୁ । ଅନେକ ଥର ଆମେ ବିଶ୍ୱକପ ଜିତିବାକୁ ଅତି ନିକଟତର ହୋଇଥିଲୁ, କିନ୍ତୁ ବିଜୟଲାଭ କରିପାରିନଥିଲୁ। କିନ୍ତୁ ଏଥର ସମସ୍ତଙ୍କ ସହଯୋଗରେ ଆମେ ଏହା କରିବାକୁ ସମର୍ଥ ହେଲୁ।

ବିରାଟ କୋହଲି ମୋଦିଙ୍କୁ କହିଛନ୍ତି ଯେ, ‘ଆମ ସମସ୍ତଙ୍କୁ ନିମନ୍ତ୍ରଣ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଏହି ଦିନ ସବୁବେଳେ ମୋ ମନରେ ରହିବ। ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଯେତିକି ଯୋଗଦାନ କରିବା କଥା ସେତିକି କରିପାରିନାହିଁ । ଏକ ସମୟରେ ମୁଁ ରାହୁଲ ଭାଇଙ୍କୁ କହିଥିଲି ଯେ ମୁଁ ଏପର୍ଯ୍ୟନ୍ତ ନିଜକୁ ଏବଂ ଦଳକୁ ନ୍ୟାୟ ଦେଇ ନାହିଁ । ସେ ମୋତେ କହିଥିଲେ ଯେ ଯେତେବେଳେ କଠିନ ପରିସ୍ଥିତି ଆସିବ, ମୁଁ ନିଶ୍ଚିତ ଯେ ଆପଣ ଫର୍ମକୁ ଫେରିବେ’ ।

ଋଷଭ ପନ୍ତଙ୍କୁ ପ୍ରଶଂସା କରି ପିଏମ ମୋଦୀ କହିଛନ୍ତି, 'ଆପଣ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା । ଆପଣ ଏକ ବଡ ଯୁଦ୍ଧରେ ଜିତିଛନ୍ତି ଏବଂ ଉତ୍ଥାନ-ପତନ ଜୀବନର ଏକ ଅଂଶ। କ୍ରିକେଟ୍ ପ୍ରତି ତୁମର ଆଗ୍ରହ ପ୍ରକୃତରେ ଫଳ ଦେଇଛି। ପନ୍ତ କହିଛନ୍ତି, 'ଦେଢ଼ ବର୍ଷ ପୂର୍ବେ ମୁଁ ବହୁତ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଥିଲି । ମୋର ମନେ ଅଛି ତୁମେ ମୋ ମା’ଙ୍କୁ ଫୋନ୍‌ କରିଥିଲେ ଏବଂ କହିଥିଲେ କି ସବୁ ଠିକ୍ ହୋଇଯିବ । ରିକୋଭରୀ ସମୟରେ, ମୁଁ କ୍ରିକେଟ୍ ଖେଳିବି କି ନାହିଁ ତାହା ଶୁଣିବାକୁ ପାଇଥିଲି। ଗତ ଦେଢ଼ ବର୍ଷ ଧରି ମୁଁ ଭାବୁଥିଲି ଯେ ମୁଁ ପୁଣି କ୍ରିକେଟ ମଇଦାନକୁ ଫେରି ଆସିବା ଉଚିତ୍ ଏବଂ ମୁଁ ଯାହା କରୁଛି ତାହାଠାରୁ ଭଲ କରିବା ଉଚିତ୍’ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ପନ୍ତ  ।

ସେହିପରି ଅନ୍ୟ ଖେଳାଳିମାନେ ମଧ୍ୟ ଚଳିତ ବିଶ୍ୱକପ୍‌ର ସଫଳତାର କାହାଣୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ କହିଥିଲେ ।

Narendra Modi Virat Kohli Team India Rohit Sharma Rahul Dravid T 20 World Cup
Advertisment
Advertisment