• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ଫାଇଟ୍ । ପ୍ରଥମ ଦିନର ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ସିଡ୍‌ନୀରେ ଭାରତୀୟ ସମୟ ଦିନ ସାଢ଼େ ୧୨ଟାରେ ଏହି ମ୍ୟାଚ ଖେଳାଯିବ । ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଦୁଇ ଟିମ୍ ପ୍ରାଣପଣେ ଚେଷ୍ଟା କରିବେ ।

ତେବେ ଘରୋଇ ପିଚ୍ ଏବଂ ଘରୋଇ ଦର୍ଶକ ଥିବାରୁ ଆରୋନ୍ ଫିଞ୍ଚଙ୍କ କଙ୍ଗାରୁ ଟିମ୍‌ର ପଲା ଭାରି ରହିବ ବୋଲି ବିଶେଶଜ୍ଞଙ୍କ ମତ । ସେପଟେ କେନ୍ ୱିଲିୟମସନ୍‌ଙ୍କ ନ୍ୟୁଜିଲାଣ୍ଡ ଟିମ୍‌ରେ ମଧ୍ୟ ଗୁପ୍ତିଲ, ଫିଲିପ୍ସ, ଜିମି ନିଶାମ୍, କନ୍‌ୱେ, ସାଉଦି ଓ ବୋଲ୍ଟଙ୍କ ପରି ଖେଳାଳି ଅଛନ୍ତି । ତେଣୁ କିୱି ଟିମ୍ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ କରିଛି ଗେମ୍‌ପ୍ଲାନ । ଏସବୁ ଭିତରେ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚକୁ କିନ୍ତୁ ଧୋଇଦେଇପାରେ ବର୍ଷା । ସେହିପରି ଆଜିର ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ଇଂଲଣ୍ଡ ଓ ଆଫଗାନିସ୍ତାନ । ପର୍ଥ ଷ୍ଟାଡିୟମ୍‌ରେ ଦିନ ୪ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ । ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ ।

ଅନ୍ୟପଟେ ଗତକାଲି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଜିମ୍ବାୱେ ପ୍ରତିପକ୍ଷ ସ୍କଟଲ୍ୟାଣ୍ଡକୁ ହରାଇ ସୁପର ୧୨ରେ ପ୍ରବେଶ କରିଛି । ଗ୍ରୁପ ବି’ର ୧ନଂ ସ୍ଥାନରେ ରହି ଜିମ୍ବାୱେ ସୁପର ୧୨କୁ ଯାଇଛି । ଏହାର ଅର୍ଥ ଭାରତ ଥିବା ଗ୍ରୁପ୍‌ରେ ଜିମ୍ବାୱେ ସ୍ଥାନ ପାଇଛି । ପୂର୍ବରୁ ଗ୍ରୁପ ଏ’ର ରନର୍ସଅପ ଦଳ ଭାବେ ନେଦରଲ୍ୟାଣ୍ଡ ସୁପର ୧୨ରେ ଭାରତ ଥିବା ଟେବୁଲରେ ସ୍ଥାନ ପକ୍କା କରିଥିଲା । ଜିମ୍ବାୱେ ବିଶ୍ୱକପକୁ ଆସିବା ପୂର୍ବରୁ ୬ ବର୍ଷ ହେଲା କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳି ନଥିଲା । କିନ୍ତୁ ସମସ୍ତ ଖେଳାଳି ଏକାଠି ହୋଇ ଗ୍ରୁପ ପର୍ଯ୍ୟାୟରେ ମ୍ୟାଚ୍‌ ଖେଳିଛନ୍ତି । ଗ୍ରୁପ ପର୍ଯ୍ୟାୟର ୩ଟିରୁ ୨ଟି ମ୍ୟାଚ୍‌ ଜିତି ଦଳ ସୁପର ୧୨କୁ ଯାଇଛି ।

ସୁପର ୧୨ର

ଗ୍ରୁପ ୧ରେ- ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ରହିଛନ୍ତି ।

ଗ୍ରୁପ ୨ରେ- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡସ ଓ ଜିମ୍ବାୱେ ଅଛନ୍ତି ।