• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଉ କିଛି ଦିନ ପରେ ଆରମ୍ଭ ହେବ ICC ଟି-୨୦ ବିଶ୍ୱକପ୍‌। ଆଗାମୀ ଟି-୨୦ ବିଶ୍ୱକପ୍‌ ଜୁନ୍‌ ୧ରୁ ଜୁନ୍‌ ୨୯ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଓ USAରେ ଖେଳାଯିବ। କ୍ରିକେଟ୍‌ର ଏହି ମେଗା ଇଭେଣ୍ଟ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଏହାରି ମଧ୍ୟରେ ଏମିତି ଏକ ଖବର ଆସିଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ଟି-୨୦ ବିଶ୍ୱକପ୍‌ ସମୟରେ ଆତଙ୍କବାଦୀ ଆକ୍ରମଣ ନେଇ ୱେଷ୍ଟଇଣ୍ଡିଜ୍‌କୁ ମିଳିଛି ଧମକ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଟି -୨୦ ବିଶ୍ୱକପ୍ ମ୍ୟାଚ୍ ସମୟରେ ୱେଷ୍ଟଇଣ୍ଡିଜ୍‌ରେ ଆତଙ୍କବାଦୀ ଆକ୍ରମଣ ନେଇ ଉତ୍ତର ପାକିସ୍ତାନରୁ ଧମକ ମିଳିଛି । ଏହି ଧମକ ପାଇବା ପରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସତର୍କ ହେବା ସହିତ ବିଶ୍ଵକପ୍‌ ଇଭେଣ୍ଟରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ପ୍ରସ୍ତୁତ ଥିବା ସୂଚନା ​‌ଦେଇଛି। ବିଶ୍ଵକପ ପାଇଁ ସମସ୍ତ ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ କ୍ରିକେଟ ୱେଷ୍ଟଇଣ୍ଡିଜ (ସିଡବ୍ଲୁଆଇ) ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ସୂଚନା ଅନୁସାରେ ପ୍ରୋ ଇସଲାମିକ ଷ୍ଟେଟ (ଆଇଏସ) କ୍ରୀଡା ଇଭେଣ୍ଟ ସମୟରେ ଆକ୍ରମଣ କରିବାକୁ ଯୋଜନା କରିଛି। ଆଇଏସ ଖୋରାସାନର ଆଫଗାନିସ୍ତାନ-ପାକିସ୍ତାନ ଶାଖାରୁ ଏକ ଭିଡିଓ ବାର୍ତ୍ତା ଶେୟାର କରିଛି । ଏଥିରେ ନିଜ ନିଜ ଦେଶରେ ଆୟୋଜିତ ହେଉଥିବା କ୍ରୀଡା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବାକୁ ସଂଗଠନ ଏହାର ସମର୍ଥକମାନଙ୍କୁ ପ୍ରବର୍ତ୍ତାଉଛି।

ଟି-୨୦ ବିଶ୍ୱକପ୍‌ ସମୟରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ମଧ୍ୟରେ ଟି-୨୦ ବିଶ୍ୱକପ ସହ-ଆୟୋଜକ କ୍ରିକେଟ ୱେଷ୍ଟଇଣ୍ଡିଜର ସିଇଓ ଜନି ଗ୍ରେଭସ ସୁରକ୍ଷା ଚିନ୍ତାକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଛନ୍ତି। ସେ କହିଛନ୍ତି ‘କୌଣସି ବିପଦର ମୁକାବିଲା ପାଇଁ ବିସ୍ତୃତ ରଣନୀତି ସହ ଆଗକୁ ବଢିବା ପାଇଁ ଆମେ ଆୟୋଜକ ଦେଶ ତଥା ସହରର ଅଧିକାରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ଆମେ ସମସ୍ତ ଅଂଶୀଦାରଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଟି-୨୦ ବିଶ୍ୱକପ ସହିତ ଜଡିତ ସମସ୍ତଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଆମର ଏକ ବିସ୍ତୃତ ଏବଂ ଦୃଢ ସୁରକ୍ଷା ଯୋଜନା ଅଛି’।

ସୂଚନା ଅନୁସାରେ ଜୁନ୍‌-୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ୱେଷ୍ଟଇଣ୍ଡିଜ୍‌ ଓ USAରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ମେଗା ଟୁର୍ଣ୍ଣାମେଣ୍ଟରେ ୨୦ ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ୪ଟି ଗ୍ରୁପ୍‌ ହୋଇଛି । ପ୍ରତି ଗ୍ରୁପ୍‌ରେ ୫ଟି ଦେଶ ରହିଛି। ତେବେ ଗ୍ରୁପ୍‌-Aରେ ହିଁ ଭାରତ ରହିଛି । ଏହି ଗ୍ରୁପ୍‌ରେ ଭାରତ ସହ ପାକିସ୍ତାନ, ଆର୍ୟାଲାଣ୍ଡ, କାନାଡା ଓ USA ରହିଛି।

ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଜୁନ୍‌ ୫ରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ଜୁନ୍‌-୫ରେ ଆର୍ୟାଲାଣ୍ଡ ସହ ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ । ସେହିପରି ୯ ଜୁନ୍‌ରେ ଟି-୨୦ ବିଶ୍ୱକପ୍‌ରେ ଖେଳାଯିବ ସବୁଠୁ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହି ଦିନ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଏହା ପରେ ୧୨ ଜୁନ୍‌ରେ USA ଓ ୧୫ ଜୁନ୍‌ରେ କାନାଡାକୁ ଭେଟିବ ଟିମ୍‌ ଇଣ୍ଡିଆ ।

ଟି-୨୦ ବିଶ୍ୱକପ୍‌ ଗ୍ରୁପ୍‌

ଗ୍ରୁପ୍‌ ‘A’ – ଭାରତ, ପାକିସ୍ତାନ, କାନାଡା, ଆର୍ୟାଲାଣ୍ଡ, USA

ଗ୍ରୁପ୍‌ ‘B’ – ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ, ଓମାନ

ଗ୍ରୁପ୍‌ ‘C’ – ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍‌, ଆଫଗାନିସ୍ତାନ, ଉଗାଣ୍ଡା, ପପୁଆ ନ୍ୟୁ ଗିନୀ

ଗ୍ରୁପ୍‌ ‘‌D’ – ସାଉଥ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡସ୍‌, ନେପାଳ