• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାରାଦୀପ ଆଡେ ଦୃଷ୍ଟି ଦେବ କି ପର୍ଯ୍ୟଟନ ବିଭାଗ ? ନେହୁରା ବଙ୍ଗଳା ଅଂଚଳକୁ କେବେ ମିଳିବ ଅଗ୍ରାଧିକାର ? ନେହରୁବଙ୍ଗଳାକୁ ନେଇ ବଢିଲା ଚିନ୍ତା । ସ୍କୁବା ଡାଇଭିଂ ହେଉ କି ୱିଣ୍ଡ ସର୍ଫିଙ୍ଗ । ସି-ଟ୍ରେକିଂ ହେଉ କି ସି-ବାଥ୍ କିମ୍ବା ମହାନଦୀ ମୁହାଣରେ ବୋଟିଂ । ଏସବୁ ପାଇଁ ପାରାଦୀପ ନେହରୁ ବଙ୍ଗଳାସ୍ଥିତ ମହାନଦୀ ମୁହାଣ ଅଂଚଳ ବେଶ୍ ଉପଯୋଗୀ ।

ଖାଲି ସେତିକି ନୁହେଁ, ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ । ବଡ ବଡ ପ୍ରତିଯୋଗୀତାରେ ଭାଗ ନେବାକୁ ଇଚ୍ଛୁକ ୱାଟର ସ୍ପୋର୍ଟ୍ସ ଖେଳାଳିଙ୍କୁ ତାଲିମ ଦେବା ପାଇଁ ମଧ୍ୟ ଏହି ସ୍ଥାନ ବେଶ୍ ସୁହାଉଛି । ଏକଥା ଆମେ ନୁହେଁ ବରଂ କହିଛନ୍ତି ଜଣାଶୁଣା ଓଡିଆ ସ୍କୁବା ଡାଇଭର୍ ସବିର୍ ବକ୍ସ ।

ଅନ୍ୟପଟେ ଚଳିତମାସରେ ମୁମ୍ବାଇରେ ହେବାକୁ ଥିବା ଜାତୀୟସ୍ତରର ୱିଣ୍ଡ ସର୍ଫିଙ୍ଗ ପ୍ରତିଯୋଗୀତାରେ ନାରାୟଣ ମୁଣ୍ଡା ଏକମାତ୍ର ଖେଳାଳି ଭାବରେ ଓଡିଶାର ପ୍ରତିନିଧିତ୍ୱ କରିବେ । ତେଣୁ ତାଙ୍କୁ ତାଲିମ ଦେବା ପାଇଁ ୪ ଦିନ ହେଲାଣି ପାରାଦୀପରେ ଡେରା ପକାଇଛନ୍ତି ସବିର । ସେପଟେ ସରକାରଙ୍କ ପକ୍ଷରୁ ନାରାୟଣଙ୍କୁ ଯେତିକି ସାହାଯ୍ୟ ସହଯୋଗ ମିଳୁଛି ତାହା ଯଥେଷ୍ଟ ନୁହେଁ । ଯଦି ଅଧିକ ସହାୟତା ମିଳନ୍ତା ତେବେ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ଭଲ ପ୍ରଦର୍ଶନ କରିପାରନ୍ତେ ବୋଲି ନାରାୟଣ କହିଛନ୍ତି ।

ସେହିଭଳି ପାରାଦୀପରେ ପହଞ୍ଚିବା ପରେ ନାରାୟଣ ଓ ସବିରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସ୍ଥାନୀୟ ଶ୍ରମିକ ନେତା ବାପି ସର୍ଖେଲ । ଆଉ ଏହି ସମୟରେ ପାରାଦୀପରେ ବୋଟିଂ କ୍ଲବ ଗଠନ ପାଇଁ ଦାବି କରିଛନ୍ତି ବାପି । ଆଉ ବାପିଙ୍କ ଦାବିକୁ ସମର୍ଥନ ଦେଇଛନ୍ତି ସବିର ।

ପାରାଦୀପର ନେହରୁବଙ୍ଗଳା ରାଜ୍ୟର ଏକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ । କିନ୍ତୁ ଏହାକୁ ଆକର୍ଷଣୀୟ କରିବା ଦିଗରେ ସରକାର ଆଦୌ ଚିନ୍ତା କରୁନାହାନ୍ତି । ଦେଶବିଦେଶର ପର୍ଯ୍ୟଟକଙ୍କ ସଂଖ୍ୟା ଆଶାଜନକ ହେଉନାହିଁ । ୱାଟର ସ୍ପୋର୍ଟ୍‌ସକୁ ଏଠାରେ ପ୍ରୋତ୍ସାହନ ମିଳିଲେ କ୍ରୀଡାବିତଙ୍କ ସଙ୍ଗେ ସଙ୍ଗେ ଟୁରିଷ୍ଟଙ୍କ ପାଇଁ ଭଲ ଡେଷ୍ଟିନେସନ୍ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

(ରିପୋର୍ଟ- ରମାକାନ୍ତ ନାୟକ, ଜଗତସିଂହପୁର)