• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶ୍ରୀଲଙ୍କା ଟୁର୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ। ତିନିଟି ଟି-ଟ୍ବେଣ୍ଟି ଓ ତିନିଟି ୱାନଡେ ପାଇଁ ଘୋଷଣା ହୋଇଛି ଦଳ । ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍‌ ଭାବେ ଦାୟିତ୍ୱ ନେବା ପରେ ଚୟନ କମିଟି ପ୍ରଥମ ଥର ପାଇଁ ସ୍କ୍ୱାଡ୍‌ ଚୟନ କରିଛନ୍ତି । ନୂଆ କୋଚ୍‌ ଆସିବା ପରେ ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଅର୍ନ୍ତଜାତୀୟ ଟି-୨୦ରୁ ରୋହିତ ଶର୍ମା ଅବସର ଘୋଷଣା କରିବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଫର୍ମାଟର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଯାହା ଆକଳନ କରାଯାଉଛି କି ସୂର୍ଯ୍ୟକୁମାର ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ରହିପାରନ୍ତି । ସେପଟେ ଦିନିକିଆରେ କିନ୍ତୁ ରୋହିତ ଶର୍ମା ଅଧିନାୟକ ରହିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ: ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା

ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ମଧ୍ୟ ଶ୍ରୀଲଙ୍କା ବିପକ୍ଷ ODI ଏବଂ ଟି -୨୦ ସିରିଜ ପାଇଁ ନୂଆ ଉପ-ଅଧିନାୟକ ନାଁ ଘୋଷଣା କରିଛନ୍ତି । ଏହି ଦାୟିତ୍ୱ ଶୁଭମନ ଗିଲଙ୍କୁ ଦିଆଯାଇଛି । ଗିଲ୍‌ ନିକଟରେ ଜିମ୍ବାୱେ ଗସ୍ତରେ ଭାରତୀୟ ଟି -୨୦ ଦଳର ନେତୃତ୍ୱ ନେଇଥିଲେ ଏବଂ ୪-୧ରେ ସିରିଜ୍‌ ଜିତିବାରେ ସଫଳ ମଧ୍ୟ ହୋଇଥିଲେ ।

ତେବେ ନିକଟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ଅଧିନାୟକ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଥିଲେ । କିନ୍ତୁ ରୋହିତଙ୍କ ପରେ ଚୟନକର୍ତ୍ତା ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ତାଙ୍କୁ ଅଧିନାୟକ ଭାର ଦେଇଛନ୍ତି । ହାର୍ଦ୍ଦିକ ଆଘାତ ଓ ୱାର୍କଲୋଡ୍‌ କାରଣରୁ ଅଧିନାୟକ ଦୌଡ଼ରେ ପଛରେ ପଡ଼ିଯାଇଥିଲେ । ଗତ କିଛି ବର୍ଷ ମଧ୍ୟରେ ହାର୍ଦ୍ଦିକ ଅନେକ ଥର ଆହତ ହୋଇଥିଲେ ଏବଂ ଦୀର୍ଘ ସମୟ ଧରି ଦଳରୁ ବାହାରେ ଥିଲେ ।

ସେହିପରି ପୂର୍ବରୁ ଦିନିକିଆ ଫର୍ମାଟରେ ଟିମ୍‌ ଇଣ୍ଡିଆର ନେତୃତ୍ୱ କେଏଲ ରାହୁଲ ନେଇଥିଲେ । ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ନେତୃତ୍ୱ ନେଇଥିଲେ । ତେବେ ବିଗତ କିଛି ଦିନ ହେବ ରାହୁଲଙ୍କ ଫର୍ମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯେଉଁଥିପାଇଁ ତାଙ୍କୁ ଅଧିନାୟକ ଭାବେ ଆଉ ଅଧିକ ସୁଯୋଗ ମିଳିନଥିଲା । ତେବେ ଗତକାଲି ଉଭୟ ଟି-୨୦ ଓ ଦିନିକିଆରେ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିବା ପରେ ଏହା ଚର୍ଚ୍ଚା ହେଉଛି କି ସେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଟିମ୍‌ ଇଣ୍ଡିଆ ଅଧିନାୟକ ଭାର ତୁଲାଇବେ ।

ଅଧିକ ପଢ଼ନ୍ତୁ: କୋହଲିଙ୍କୁ ଚିଡ଼ାଇଲେ କ୍ଷତିରେ ପଡ଼ନ୍ତି ବିପକ୍ଷ ଖେଳାଳି!

OTV is now on Whatsapp

Join and get latest news update delivered to you via whatsapp

Join Now