Advertisment

୧୨ ବର୍ଷ ପରେ ବିଶ୍ୱକପ ଫାଇନାଲରେ ଭାରତ, ଆସନ୍ତା ୧୯ରେ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିବା ଶାମି ପୁରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ୬ଟି ମ୍ୟାଚରେ ତିନି ତିନି ଥର ୫ ୱିକେଟ୍ ସଫଳତା ପାଇଛନ୍ତି । ଆଉ ୨୩ଟି ୱିକେଟ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି ।

author-image
Santosh Kumar Sahoo
undefined

India reach Final

ଟିମ୍ ଇଣ୍ଡିଆ ହାତ ପାହାନ୍ତାରେ ୱାଲର୍ଡ କପ୍ ଟ୍ରଫି। ୧୨ ବର୍ଷ ପରେ ପୁଣି କ୍ରିକେଟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହ ୨୦୧୯ ପରାଜୟର ବଦଲା ନେଇଛି । ୫୦ ତମ ଶତକ ହାସଲ କରିବାରେ ବିରାଟଙ୍କ ଇତିହାସ, ବିଶ୍ୱକପ୍‌ରେ ସର୍ବାଧିକ ଛକା ମାରିବାରେ ରୋହିତଙ୍କ ରେକର୍ଡ ଓ ମହମ୍ମଦ ସାମିଙ୍କ ୭ ୱିକେଟ ସେମିଫାଇନାଲକୁ ସ୍ମରଣୀୟ କରିବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ବିଶ୍ୱକପ୍ ଜିତିବାର ନିଆରା ରେକର୍ଡ ଆଶାରେ ରବିବାର ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ।

Advertisment

ପୁରା ଶାନ୍ତ ପଡି ଯାଇଥିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ। କାମ ଦେଉ ନ ଥିଲା ଭାରତୀୟ ବୋଲିଂ। ଧୂଆଁଧାର ବ୍ୟାଟିଂ କରୁଥିଲେ କେନ୍ ୱିଲିୟମସନ୍ ଆଉ ଡେରିଲ ମିଚେଲ୍। ପ୍ରତି ଓଭରରେ ମାରୁଥିଲେ ଚୌକା ଆଉ ଛକ୍କା। ୨୯ତମ ଓଭରରେ ଯଶପ୍ରୀତ ବୁମରାଙ୍କ ବଲରେ ମିଡ୍ ଅନରେ କ୍ୟାଚ୍ ଦେଇଥିଲେ ୱିଲିୟମସନ୍ । ହେଲେ ହାତଛଡ଼ା କରି ଦେଇଥିଲେ ମହମ୍ମଦ ଶାମି । ଆଉ ଏହା ପରେ ଚୁପ୍ ପଡିଯାଇଥିଲେ ଭାରତୀୟ ଦର୍ଶକ । ମିଚେଲ ଓ ୱିଲିୟମସନ୍ ଯେଭଳି ବ୍ୟାଟିଂ କରୁଥିଲେ ଲାଗୁଥିଲା ୨୦୧୯ ସେମିଫାଇନାଲର ପୁନରାବୃତ୍ତି ହେବ । ହେଲେ ୩୩ ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଶାମି । ଓଭରର ଦ୍ୱିତୀୟ ବଲରେ ୱିଲିୟମସନ୍ ଓ ୪ର୍ଥ ବଲ ଟମ୍ ଲାଥମଙ୍କୁ ଏଲବିଡବ୍ଲୁ ଆଉଟ କରିବା ପରେ ପୁଣି ଫେରିଥିଲା ଫ୍ୟାନଙ୍କ ଜୋସ୍ । ଏହା ପରେ ଫିଲ୍ପପସ ଓ ମିଚେଲ ନ୍ୟୁଜିଲାଣ୍ଡ ପାଇଁ ଆଶା ସଂଚାର କରିଥିଲେ । ତେବେ ବୁମରା ଫିଲଫ୍ସଙ୍କୁ ଆଉଟ କରିବା ପରେ ଆରମ୍ଭ ହୋଇଥିଲା ଶାମି ସୋ’ । ଜଣଙ୍କ ପରେ ଜଣେ ନ୍ୟୁଜିଲାଣ୍ଡ ଖେଳାଳି ଶାମିଙ୍କ ବୋଲିଂର ଶିକାର ହୋଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିବା ଶାମି ପୁରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ୬ଟି ମ୍ୟାଚରେ ତିନି ତିନି ଥର ୫ ୱିକେଟ୍ ସଫଳତା ପାଇଛନ୍ତି । ଆଉ ୨୩ଟି ୱିକେଟ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି । କେବଳ ଏହା ନୁହଁ ଭାରତୀୟ ବୋଲର ଭାବେ ସେ ଦିନିକିଆ ବିଶ୍ୱକପରେ ୫୦ ୱିକେଟ ନେଇ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି ।

Advertisment

ତେବେ ଶାମିଙ୍କ ଚତ୍ମକାରୀ ବୋଲିଂ ପୂର୍ବରୁ ୱାଙ୍ଖଡ଼େରେ ବ୍ୟାଟରେ କମାଲ୍ କରିଥିଲେ ବିରାଟ କୋହଲି ଓ ଶ୍ରେୟାସ୍ ଆୟାର୍ । ୫୦ ତମ ୱାନଡେ ଶତକ ମାରି ନୂଆ ଇତିହାସ ରଚିଥିଲେ ବିରାଟ। ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ୪୯ତମ ଶତକ ରେକର୍ଡକୁ ଭାଙ୍ଗିଥିଲେ କିଙ୍ଗ କୋହଲି । କେବଳ ଏହା ନୁହଁ ଗୋଟିଏ ବିଶ୍ୱକପରେ ସର୍ବାଧିକ ସ୍କୋରର ରେକର୍ଡକୁ ମଧ୍ୟ ଟପିଥିଲେ । ସେହିପରି ଆୟାର ମଧ୍ୟ ମାତ୍ର ୭୦ ବଲରୁ ଧୂଆଁଧାର ୧୦୫ ରନ୍ ସଂଗ୍ରହ କରି ବିଶ୍ୱକପରେ ବ୍ୟାକ୍ ଟୁ ବ୍ୟାକ୍ ସେଞ୍ଚୁରି ଜମାଇଥିଲେ । କିନ୍ତୁ ମ୍ୟାଚରେ ଦଳକୁ ଆଗ୍ରେସିଭ୍ ଷ୍ଟାର୍ଟ ଦେଇଥିଲେ କ୍ୟାପଟେନ୍ ରୋହିତ ଶର୍ମା । ମାତ୍ର ୨୯ ବଲରେ କରିଥିଲେ ୪୭ ରନ୍ । ଆହତ ସତ୍ତ୍ୱେ ଗିଲଙ୍କ ବ୍ୟାଟ୍ ବି ଚାଲିଥିଲା ।

ତେବେ ପୁରା ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଆସିଛି ଭାରତୀୟ ଟିମ୍ । ଲଗାତର ୧୦ଟି ମ୍ୟାଚରେ ଅପରାଜେୟ ରହି ନିଜର ଶ୍ରେଷ୍ଠତ୍ୱ ଜାହିର କରିଛି ରୋହିତ ବାହିନୀ । ନିଜେ ରୋହିତ ଓପନିଂରୁ ଆଗ୍ରେସିଭ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ସାଥ୍ ଦେଉଥିଲେ ଶୁବମନ ଗିଲ୍ । କୋହଲି ପୁରା ଶେଷ ପର୍ଯ୍ୟନ୍ତ ସ୍କୋରକୁ ଆଗକୁ ବଢ଼ାଉଥିଲେ । ମିଡିଲ ଅର୍ଡରରେ ଶ୍ରେୟାସ ଆୟର ଓ କେ.ଏଲ. ରାହୁଲ ମଧ୍ୟ ଭଲ ସପୋର୍ଟ କରୁଥିଲେ । ବୋଲିଂକୁ ଦେଖିଲେ ବର୍ତ୍ତମାନ ଭାରତ ନିକଟରେ ବିଶ୍ୱର ସର୍ବଶ୍ରେଷ୍ଠ ପେସ୍ ବାହିନୀ ରହିଛନ୍ତି । ବୁମରାଙ୍କ ଭେରାଇଟି ବୋଲିଂକୁ ମହମ୍ମଦ ସିରାଜଙ୍କ ସୁଇଂ ଅପୋଜିଟ୍ ବ୍ୟାଟସମ୍ୟାନଙ୍କୁ ବାନ୍ଧି ରଖୁଥିଲା । ପୁଣି ଶାମି ଲଗାତର ୱିକେଟ ନେଇ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଥିଲା । ଆଉ ସେମାନଙ୍କୁ ସାଥ୍ ଦେଇଥିଲେ ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ । ତେଣୁ ଫାଇନାଲରେ ମଧ୍ୟ ଦଳ ଏହି ରେକର୍ଡକୁ ବଜାୟ ରଖିବ ବୋଲି ଆଶା ।

ଆସନ୍ତା ୧୯ ତାରିଖରେ ରବିବାର ଦିନ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ । ଏଥିଲାଗି ଭାରତୀୟ ଟିମ୍ ଅହମ୍ମଦାବାଦରେ ପହଞ୍ଚିଛି । ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କ ସହ ହେବ ଟିମ୍ ଇଣ୍ଡିଆର ଫାଇନାଲ ଟକ୍କର ।

India 2023 Men's World Cup
Advertisment
Advertisment