Advertisment

ଦିନେ ଥିଲେ ସିକ୍ୟୁରିଟି ଗାର୍ଡ, ଆଜି କଲେ IPLରେ ଡେବ୍ୟୁ...ଜାଣନ୍ତୁ ୩ ବର୍ଷରେ କିପରି ବଦଳିଲା ଜୋସେଫ୍‌ଙ୍କ ଜୀବନ

ଆଜିର ମ୍ୟାଚ୍‌ରେ ଲକ୍ଷ୍ନୌ ପକ୍ଷରୁ ଡେବ୍ୟୁ କରିଛନ୍ତି ସମର ଜୋଶେଫ । ନବୀନ ଉଲ୍‌ ହକ୍‌ଙ୍କ ବଦଳରେ ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଜୋଶେଫ୍‌।

author-image
Santosh Kumar Sahoo
Shamar Joseph

Shamar Joseph

ଚାଲିଛି ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଆଇପିଏଲ । ଆଜି ସୁପର ସଣ୍ଡେରେ ଖେଳାଯାଉଛି ଦୁଇଟି ମ୍ୟାଚ୍‌। ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଆଜିର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଲକ୍ଷ୍ନୌ । ତେବେ ଆଜିର ମ୍ୟାଚ୍‌ରେ ଲକ୍ଷ୍ନୌ ପକ୍ଷରୁ ଡେବ୍ୟୁ କରିଛନ୍ତି ସମର ଜୋଶେଫ । ନବୀନ ଉଲ୍‌ ହକ୍‌ଙ୍କ ବଦଳରେ ଚୁଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଜୋଶେଫ୍‌। ତେବେ ଜୋଶେଫଙ୍କ ଏହି ଯାତ୍ରା କିନ୍ତୁ ସହଜ ନଥିଲା। ବିଶ୍ୱ କ୍ରିକେଟ୍‌ର ଏହି ଷ୍ଟାର ବୋଲରଙ୍କ ଜୀବନ ବେଶ୍‌ ସଂଘର୍ଷମୟ ।

Advertisment

ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏକ ବଡ଼ ପରିବର୍ତ୍ତନ କରିଥିଲା । ଇଂଲଣ୍ଡ ଦ୍ରୁତ୍‌ ବୋଲର ମାର୍କ ଉଡ୍‌ଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ୍‌ ବୋଲର ସମର ଜୋଶେଫଙ୍କୁ ଦଳରେ ସାମିଲ କରିଥିଲା ଲକ୍ଷ୍ନୌ । ୨୦୨୪ IPL ସିଜିନ୍ ପାଇଁ ଜୋସେଫ୍‌ଙ୍କୁ ୩ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା LSG ।

ସମାର ଜୋସେଫ୍‌ ଚଳିତ ବର୍ଷ ଜାନୁୟାରୀରେ ହିଁ ଅର୍ନ୍ତଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଜୋସେଫ୍‌। ଆଉ ଡେବ୍ୟୁ ମ୍ୟାଚ୍‌ରେ ହିଁ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ମାଟିରେ ହିଁ କଙ୍ଗାରୁ ଦଳକୁ ପରାସ୍ତ କରିଥିଲା ୱେଷ୍ଟଇଣ୍ଡିଜ୍‌। ଡେବ୍ୟୁ ସିରିଜ୍‌ରେ ନିଜର ଦମଦାର ବୋଲିଂ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୋସେଫ୍‌।

Advertisment

ବିଶ୍ୱ କ୍ରିକେଟରେ ଏବେ ଚମକୁ ଥିବା ଜୋସେଫ୍‌ଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ । ସମର ଜୋସେଫ୍‌ଙ୍କ ପିଲାଦିନ ଅତ୍ୟନ୍ତ ଗରିବୀରେ ବିତିଥିଲା । ୮ ଭାଇ ଓ ଭଉଣୀଙ୍କ ମଧ୍ୟରେ ବଢ଼ିଥିଲେ ଜୋସେଫ୍‌ । ତେବେ ନିଜର ଭୋକ ମେଣ୍ଟାଇବା ସହ ପରିବାର ଚଳାଇବା ପାଇଁ ଶେଷରେ ତାଙ୍କ ସିକ୍ୟୁରିଟି ଗାର୍ଡ ଚାକିରି କରିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ କ୍ରିକେଟ ପ୍ରତି ତାଙ୍କ ରୁଚି କମି ନ ଥିଲା। ଆରମ୍ଭରୁ ଜୋସେଫ୍‌ ଟେନିସ୍‌ ବଲ୍‌ରେ ଅଭ୍ୟାସ କରୁଥିଲେ । କିନ୍ତୁ ତାଙ୍କ ପେସ୍‌ ଓ ଜବରଦସ୍ତ ଲାଇନ୍, ଲେନ୍ଥ ପାଇଁ ସେ ଲୋକଲୋଚନକୁ ଆସିଥିଲେ । ୨୦୨୧ ମସିହା ପର୍ଯ୍ୟନ୍ତ ମଧ୍ୟ ସେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପେସ୍‌ ଓ ଜବରଦସ୍ତ ଲାଇନ୍‌ ଲେନ୍ଥ ପାଇଁ ଶେଷରେ ତାଙ୍କୁ ଗୁୟାନାର ଫାଷ୍ଟକ୍ଲାସ୍‌ ଟିମ୍‌ରେ ସ୍ଥାନ ମିଳିଥିଲା।

ଏହାପରେ ଆଉ ପଛକୁ ଫେରିନଥିଲେ ଜୋସେଫ୍‌ । ଫାଷ୍ଟକ୍ଲାସ୍‌ରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ CPL-2023ରେ ଖେଳିବାକୁ ସୁଯୋଗ ମିଳିଥିଲା। ସିପିଏଲ୍‌ରେ ୧୪୦ରୁ ଅଧିକ ସ୍ପିଡ୍‌ରେ ‍ବୋଲିଂ କରି ସେ ସମସ୍ତଙ୍କ ନଜରକୁ ଆସିଥିଲେ। CPLରେ ଦମଦାର ପ୍ରଦର୍ଶନ କରିବା ପରେ ୱେଷ୍ଟଇଣ୍ଡିଜ୍‌ ଜାତୀୟ ଦଳରେ ସାମିଲ ହୋଇଥିଲେ ଜୋସେଫ୍‌ । ଆଉ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଡେବ୍ୟୁ କରି ନିଜର ବୋଲିଂର ଛାପ ଛାଡ଼ିଥିଲେ । ଜୋସେଫ୍‌ଙ୍କ ଘାତକ ବୋଲିଂ ବଳରେ ୱେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ଦଳ ଭାବରେ ଅଷ୍ଟ୍ରେଲିଆକୁ ପିଙ୍କ୍ ବଲ ଟେଷ୍ଟରେ ଧୂଳି ଚଟାଇବାରେ ସଫଳ ହୋଇଥିଲା। ଶମର ଜୋସେଫ୍‌ ଅଷ୍ଟ୍ରେଲିଆ ଗସ୍ତରେ ମୋଟ ୧୩ଟି ୱିକେଟ୍ ନିଜ ନାଁରେ କରିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ ପୁରଷ୍କାର ମଧ୍ୟ ଦିଆଯାଇଥିଲା।

ପ୍ରଥମେ ଡୋମେଷ୍ଟିକ୍‌ କ୍ରିକେଟ ପରେ CPL ଓ ଅର୍ନ୍ତଜାତୀୟ କ୍ରିକେଟରେ ସଭିଙ୍କୁ ପ୍ରଭାବିତ କରିବା ପରେ ଏବେ ଜୋସେଫ୍‌ ଶେଷରେ IPLରେ ମଧ୍ୟ ଡେବ୍ୟୁ କରିଛନ୍ତି । ତେବେ କ୍ରିକେଟର ସବୁ ସ୍ତରରେ ଦମଦାର ପ୍ରଦର୍ଶନ କରିବା ପରେ ଏବେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌ରେ ସେ କିପରି ତାଙ୍କ ଛାପ ଛାଡ଼ୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।

IPL LSG
Advertisment
Advertisment