• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଙ୍ଗ ହେବ ତ ଏମିତି । ମଇଦାନ ବାହାରେ ବି ସାଙ୍ଗ, ମଇଦାନ ଭିତରେ ବି ସାଙ୍ଗ । ଏମିତିକି ଅଲଗା ଅଲଗା ଦଳରେ ଥିଲେ ବି ସାଙ୍ଗ । ଆମେ କହୁଛୁ ଭାରତର ଦୁଇ ଦୁର୍ଦଶ କ୍ରିକେଟର ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ୍ ଓ ରୋହିତ ଶର୍ମାଙ୍କ କଥା । ଉଭୟ ଭିନ୍ନ ଭିନ୍ନ ଦଳର ଅଧିନାୟକ ହୋଇ ମଧ୍ୟ ମଇଦାନ ଭିତରେ ଦେଖାଇଛନ୍ତି ବନ୍ଧୁତ୍ୱ । ଆଉ କରିଛନ୍ତି ମଜା ମସ୍ତି । ଆଉ ଏହାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ଆଇପିଏଲ ମ୍ୟାଚ୍‌ରେ କୋହଲି-ଗମ୍ଭୀର କଥା କଟାକଟି, ଦୁହିଁଙ୍କ କଟିଲା ମ୍ୟାଚ ଫି'

ଏବେ ସବୁଠି ଆଇପିଏଲ୍‌ ଫିଭର । ଦୋକାନ ବଜାର ଏମିତିକି ଚା ଖଟିରେ ବି ଚାଲୁଛି ଆଇପିଏଲ ଚର୍ଚ୍ଚା । ଆଉ ଏହାରି ଭିତରେ ଏହି ଦୁଇ ଦଳର ଅଧିନାୟକଙ୍କୁ ନେଇ ମଧ୍ୟ ଢ଼େର ଚର୍ଚ୍ଚା ହେଉଛି । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍‌ସ ଦଳର ନେତୃତ୍ୱ ନେଉଥିବା ବେଳେ ଶିଖର ଧାୱନ୍‌ ପଞ୍ଜାବ ଦଳର ନେତୃତ୍ୱ ନେଉଛନ୍ତି । ଗତକାଲି ଚଳିତ ସଂସ୍କରଣର ୪୬ ନମ୍ବର ମ୍ୟାଚ୍‌ରେ ଉଭୟ ଦଳ ମୋହାଲିରେ ମୁହାଁମୁହିଁ ହୋଇଥିଲେ । ଆଉ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟଚ୍‌ ପକାଇବା ପାଇଁ ଉଭୟ ଦଳର ଅଧିନାୟକ ମଇଦାନକୁ ଆସିଥିଲେ । ଶିଖର ଧାୱନ୍‌ କଏନ୍‌ ଫିଙ୍ଗିଥିବା ବେଳେ ରୋହିତ ଶର୍ମା ହେଡ୍‌ ଡାକି ଟଚ୍‌ ଜିତିଥିଲେ ।

ଏହା ତ ଥିଲା ସାଧାରଣ କଥା । କାରଣ ଯେକୌଣସି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ହେବ, ତା ପୂର୍ବରୁ ଟଚ୍‌ ପଡ଼ିବ ଆଉ ଜଣେ ଜିତିବ ଜଣେ ହାରିବ । 

ତେବେ ସବୁଠାରୁ ବଡ଼ କଥା ହେଲା, ରୋହିତ ଶର୍ମା ଟଚ୍‌ ଜିତିବା ପରେ ଶିଖର ଧାୱନ୍‌ଙ୍କ ଠାରୁ ବ୍ୟାଟିଂ କି ବୋଲିଂ ନେବେ, ସେନେଇ ପରାମର୍ଶ ନେଇଥିଲେ । ଆଉ ଏହାକୁ ସର୍ବ ସମ୍ମୁଖରେ ଖୁସିରେ କହିଛନ୍ତି ରୋହିତ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା । ରୋହିତ କହିଛନ୍ତି ଯେ, ‘ମୁଁ ଟଚ୍‌ ଜିତିବା ପରେ ଧାୱନ୍‌ଙ୍କୁ ପଚାରିଥିଲି, ମୋ ଦଳ ପାଇଁ ବ୍ୟାଟିଂ ନେଲେ ଭଲ ହେବ ନା  ବୋଲିଂ । ସେ ମୋତେ ବୋଲିଂ ନେବାକୁ ପରାମର୍ଶ ଦେଇଥିଲେ ।’

 

ତେବେ ଆହୁରି ବଡ଼ କଥା ହେଲା, ଧାୱନ୍‌ଙ୍କ ପରାମର୍ଶ ମାନି ରୋହିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଆଉ ପଞ୍ଜାବ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲେ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ ହରାଇ ୨୧୪ ରନ୍‌ ସଂଗ୍ରହ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏହି ଲକ୍ଷ୍ୟକୁ ମାତ୍ର ୧୮.୫ ଓଭରରେ ୪ଟି ୱିକେଟ ହରାଇ ହାସଲ କରି ନେଇଥିଲା ।

ଫ୍ୟାନ୍‌ ମାନଙ୍କ ମଧ୍ୟରେ ଏବେ ସେହି ଗୋଟିଏ ଚର୍ଚ୍ଚା, ଧାୱନ୍‌ଙ୍କ ପରାମର୍ଶ ମାନିଲେ ବୋଲି ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ବିଜୟୀ ହେଲା । ସୂଚନାଯୋଗ୍ୟ, ରୋହିତ ଶର୍ମା ଏବେ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ ମ୍ୟାଚ୍‌ ଖେଳି ସାରିଲେଣି ।