/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754996454.jpg)
VIRAT KOHALI
ଦିନିକିଆରେ ଆଉ ଦେଖିବାକୁ ମିଳିନପାରେ ରୋହିତ-କୋହଲି ଯୋଡ଼ି । ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ଶେଷ ଦିନିକିଆ ସିରିଜ୍ । ଟେଷ୍ଟ ଓ ଟି-୨୦ ପରେ ଏବେ ODIରୁ ବି ଅବସର ନେଇପାରନ୍ତି ଟିମ୍ ଇଣ୍ଡିଆର ଦୁଇ ଷ୍ଟାର କ୍ରିକେଟର । ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ବିସିସିଆଇର ଯୋଜନାରେ ନାହାନ୍ତି ବିରାଟ ଓ ରୋହିତ । କାରଣ ଆଗାମୀ ବିଶ୍ବକପ୍ ପାଇଁ BCCI ଏକ ଯୁବ ଟିମ୍ ପ୍ରସ୍ତୁତ କରିବାକୁ ଚାହୁଁଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି ରୋହିତ ଓ କୋହଲି ଅଷ୍ଟ୍ରେଲିଆ ଗସ୍ତ ପରେ ବି ଖେଳିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ପଡ଼ିବ । BCCIର ଏହି ନିୟମ ପାଇଁ ଦୁଇ ଷ୍ଟାର କ୍ରିକେଟରଙ୍କୁ ଗତ ସିଜିନ୍ରେ ରଣଜୀ ଟ୍ରଫି ମଧ୍ୟ ଖେଳିବାକୁ ପଡ଼ିଥିଲା । ତେବେ ପୁଣି କ୍ରିକେଟ ବୋର୍ଡର ଏହି କଠୋର ସର୍ତ୍ତ ପାଇଁ ରୋହିତ ଓ ବିରାଟ ଅଷ୍ଟ୍ରେଲିଆ ଟୁର୍ ପରେ ଦିନିକିଆରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଭାରତୀୟ କ୍ରିକେଟକୁ ବିରାଟ କୋହଲି ଓ ରୋହିତ ଶର୍ମା ବହୁତ କିଛି ଦେଇଛନ୍ତି । କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସ୍ଥିତିରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳରୁ ଷ୍ଟାର କଲଚର୍କୁ ସମାପ୍ତି କରିବାକୁ ଚାହୁଁଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ୨୦୨୭ ଦିନିକିଆ ବିଶ୍ବକପ୍ ପାଇଁ ଏକ ରଣନୀତି ପ୍ରସ୍ତୁତ କରୁଛି । ଯେଉଁଥିରେ ରୋହିତ ଓ କୋହଲି ଫିଟ୍ ହେଉନାହାନ୍ତି ।
ସୂଚନା ଅନୁସାରେ, ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏହା ପରେ ଉଭୟ ଦିନିକିଆ ଓ ଟେଷ୍ଟରେ ଖେଳ ଜାରି ରଖିଥିଲେ । କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫିରେ ଉଭୟଙ୍କ ଖରାପ ପ୍ରଦର୍ଶନ ପରେ ଟେଷ୍ଟ କ୍ରିକେଟରୁ ମଧ୍ୟ ସେମାନେ ଅବସର ଘୋଷଣା କରିଥିଲେ ।
ବିରାଟ କୋହଲି ଏପର୍ଯ୍ୟନ୍ତ ଦେଶ ପାଇଁ ୪ଟି ଦିନିକିଆ ବିଶ୍ୱକପ୍ ଖେଳିଥିବା ବେଳେ ରୋହିତ ୩ଟି ବିଶ୍ବକପ ଖେଳିସାରିଛନ୍ତି । ତେବେ ଆଗାମୀ ୨୦୨୭ ବିଶ୍ବକପ୍ରେ ଦୁଇ ଷ୍ଟାର କ୍ରିକେଟର ଦଳରେ ରହୁଛନ୍ତି ନା ବିସିସିଆଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛି ତାହାକୁ ଅପେକ୍ଷା କରିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)