• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ୱର୍ଣ୍ଣ ପଦକ ଆଶା ଦେଖାଇଲେ ରେସଲର ରବି ଦହିୟା ।

  • ଫାଇନାଲ ରାଉଣ୍ଡରେ କଲେ ପ୍ରବେଶ ।

  • ୫୭ କେଜି ଫ୍ରିଷ୍ଟାଇଲ ବିଭାଗରେ ସେ ଫାଇନାଲକୁ ଉନ୍ନୀତ । 

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଶା ଦେଖାଇଛନ୍ତି ଭାରତୀୟ ରେସଲର ରବି ଦହିୟା । ରେସଲିଂ ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିଆ । ସେମି ଫାଇନାଲରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇଛନ୍ତି ରବି । ୫୭ କେଜି ଫ୍ରିଷ୍ଟାଇଲ ବିଭାଗରେ ସେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିବା ସହ ସ୍ୱର୍ଣ୍ଣ  ଆଶା ମଧ୍ୟ ଦେଖାଇଛନ୍ତି ରବି ।

ଯଦି ସେ ସ୍ୱର୍ଣ୍ଣ ଜିତିବେ, ତେବେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ । କାରଣ ରେସଲିଂରେ ଭାରତ କେବେ ବି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ନାହିଁ । ଆଜି ରେସଲିଂ ମୈଦାନକୁ ଓହ୍ଲାଇ ଥିବା ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନାଲରେ କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା । ଏହି ମ୍ୟାଚ୍‌କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଥିଲେ ।

ମ୍ୟାଚ୍‌ ଜିତିବା ବେଳେ ରବି ୭-୯ରେ ପଛରେ ଥିଲେ । କିନ୍ତୁ ସାନାୟେଭଙ୍କୁ ଦମଦାର ଟ୍ୟାକେଲ ସହ ରବି କୁମାର ତଳେ ଫୋପାଡ଼ି ଦେବାରୁ ସେ ଆହତ ହୋଇଥିଲେ । ଏହି କାରଣରୁ ସାନାୟେଭଙ୍କୁ ଅମ୍ପାୟାର ଅନଫିଟ୍‌ ଘୋଷଣା କରିଥିଲେ । ପରେ ଭାରତର ରବି କୁମାର ଫାଇନାଲକୁ ପ୍ରବେଶ କରିଥିଲେ ।

ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା ମିଳିଛି । ବକ୍ସର ଲଭଲିନା ବୋର୍ଗେନ୍ ଭାରତକୁ ଆଉ ଏକ ପଦକ ଉପହାର ଦେଇଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ବକ୍ସିଂ ମହିଳା ୬୯ କେଜି ବର୍ଗରେ ଲଭଲିନା ବ୍ରୋଞ୍ଜ ପଦକ ପାଇଛନ୍ତି । ଆଜି ସେମିଫାଇନାଲରେ ଲଭଲିନା ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱ ଚାମ୍ପିଅନ ବୁସାନେଜ ସୁରମେନିଲ୍‌ଙ୍କଠାରୁ ହାରିଯାଇଥିଲେ ।

ଲଭଲିନାଙ୍କ ଏହି ଐତିହାସିକ ସଫଳତା ପରେ ଚାରିଇାଡୁ ପ୍ରଶଂସାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଭଲିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ ସହ ସାରା ଭାରତକୁ ଲଭଲିନା ପ୍ରେରଣା ଯୋଗାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିିକ୍ସରେ ମୀରାବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ପଦକ ପାଇଥିବା ବେଳେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଭାରତ ପାଇଁ ବ୍ରୋଞ୍ଜ ପଦକ ପାଇଛନ୍ତି ।

ସେହିଭଳି ଆଥଲେଟ୍ ନୀରଜ ଚୋପ୍ରା ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଫାଇନାଲରେ ପହଞ୍ଚିଛନ୍ତି ନୀରଜ ଚୋପ୍ରା । ଯୋଗ୍ୟତା ପର୍ଯ୍ୟାୟରେ ସେ ଉଭୟ ଗ୍ରୁପରେ ଶୀର୍ଷରେ ରହିଛନ୍ତି । ସେ ୮୬.୬୫ ମିଟର ଫିଙ୍ଗି ଏହି ସଫଳତା ପାଇଛନ୍ତି । ନିଜର ପ୍ରଥମ ଉଦ୍ୟମରେ ନୀରଜ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଫାଇନାଲ ରାଉଣ୍ଡକୁ ସିଧାସଳଖ ଯିବା ପାଇଁ ୮୩.୫୦ ମିଟର ଯୋଗ୍ୟତା ରଖାଯାଇଥିଲା ।