ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ ହକି ଶନିବାର ଆରମ୍ଭ ହୋଇଛି। ଅନ୍ତିମ ମିନିଟ ଗୋଲ ବଳରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିବା ବେଳେ ପୁରୁଷ ଦଳ ୧-୩ରେ ସ୍ପେନ ନିକଟରୁ ପରାଜିତ ହୋଇଛି। ଉପ ଅଧିନାୟିକା ନବନୀତ କୌର ୫୯ ତମ ମିନିଟରେ ସ୍କୋର କରିଥିବା ବେଳେ ଭାରତୀୟ ମହିଳା ଦଳ ବିଜୟୀ ହୋଇଥିଲା। ମହିଳା ଦଳ ପକ୍ଷରୁ ବୈଷ୍ଣବୀ ବିଠଲ ଫାଲକେ(୬), ଦୀପିକା(୨୫) ଓ ନବନୀତ କୌର(୫୯) ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଂଲଣ୍ଡ ପକ୍ଷରୁ ଡାର୍ସି ବର୍ନ(୧୨) ଓ ଫିଓନା କ୍ରାକେଲ୍ସ (୫୮) ମିନିଟରେ ସ୍କୋର କରିଥିଲେ।
ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର
Also Read
ପ୍ରଥମ କ୍ବାର୍ଟରରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ମ୍ୟାଚର ଷଷ୍ଠ ମିନିଟରେ ଭାରତ ପକ୍ଷରୁ ବୈଷ୍ଣବୀ ବିଠଲ ଫାଲକେ ପ୍ରଥମ ଗୋଲ ସ୍କୋର କରିଥିଲେ। ତେବେ ଏହାର ୬ ମିନିଟରେ ଇଂଲଣ୍ଡ ପକ୍ଷରୁ ଡାର୍ସି ବର୍ନ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ମ୍ୟାଚ ୧-୧ ସ୍ଥିତିରେ ରହିଥିଲା।
ଦ୍ବତୀୟ କ୍ବାର୍ଟର ମଧ୍ୟ ବେଶ ରୋମାଞ୍ଚକର ରହିଥିଲା। ୨୫ ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରରୁ ସ୍କୋର କରିଥିଲେ ଦୀପିକା। ଏହି ଗୋଲ ବଳରେ ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ସ୍କୋର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଗୋଲ ହୋଇ ନ ଥିଲା। ତୃତୀୟ କ୍ବାର୍ଟର ସୁଦ୍ଧା ମ୍ୟାଚ ୨-୧ରେ ରହିଥିଲା।
ଚତୁର୍ଥ କ୍ବାର୍ଟରରେ ମ୍ୟାଚଟି ଆହୁରି ଆକର୍ଷଣୀୟ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୫୮ ମିନିଟରେ ଫିଓନା କ୍ରାକେଲ୍ସ ଏକ ଗୋଲ ଦେଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ତେବେ ଏହାର ୧ ମିନିଟ ପରେ ନବନୀତ କୌର ପେନାଲ୍ଟି କର୍ନରରୁ ସ୍କୋର କରିଥିଲେ। ଭାରତ ବିଜୟ ହାସଲ କରିବା ସହ ୩ ପଏଣ୍ଟ ହାତେଇଥିଲା।
ଅନ୍ୟ ପକ୍ଷରେ ପ୍ୟାରିସ ୨୦୨୪ରେ ବ୍ରୋଞ୍ଜ ପଦକ ବିଜୟ ଭାରତୀୟ ପୁରୁଷ ଦଳ କିନ୍ତୁ ନିରାଶ କରିଛି। ଭାରତ ୧-୩ ଗୋଲରେ ସ୍ପେନ ଠାରୁ ହାରି ଯାଇଥିଲା। ଭାରତ ପକ୍ଷରୁ ସୁଖଜିତ ୨୭ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ତେବେ ସ୍ପେନ ପକ୍ଷରୁ ବୋର୍ଜା ଲାସେଲ(୨୭), ଇଗ୍ନାସିଓ କୋବୋସ (୩୮) ଓ ବ୍ରୁନୋ ଆଭିଲା (୫୬) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।