• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କ୍ରୀଡ଼ାର ସବୁଠୁ ବଡ଼ ମହାକୁମ୍ଭ ଅଲିମ୍ପିକ୍ସ ଏଥର ପ୍ୟାରିସରେ ଅନୁଷ୍ଠିତ ହୋଇଥିଲା । ପ୍ୟାରିସ୍ ଅଲିମ୍ପିକ୍ସ ୨୬ ଜୁଲାଇରୁ ଆରମ୍ଭ ହୋଇ ୧୧ ଅଗଷ୍ଟରେ ଶେଷ ହୋଇଥିଲା । ଅଲିମ୍ପିକ୍ସ ପାଇଁ ଭାରତର ୧୧୭ ସଦସ୍ୟ ବିଶିଷ୍ଟ ଦଳ ପ୍ୟାରିସ ଯାଇଥିଲେ। ତେବେ ଅଲିମ୍ପିକ୍ସ ଶେଷ ହେବା ସହ କିଛି ଅଲିମ୍ପିଆନ୍‌ ସ୍ୱଦେଶ ଫେରି ଆସିଛନ୍ତି । ଭାରତ ଫେରିବା ପରେ ଆଜି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଖେଳାଳିମାନେ ଅନେକ ଉପହାର ଦେଇଥିଲେ । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ । ସେହିପରି ରେସଲର ଅମାନ ଶେରାୱତ ଏବଂ ହକି ଲିଜେଣ୍ଡ ପିଆର୍‌ ଶ୍ରୀଜେଶ ପ୍ରଧାନମନ୍ତ୍ରୀଙ୍କୁ ଜର୍ସି ଦେଇଥିଲେ । ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦସ୍ତଖତ ଥିଲା । ଭାରତୀୟ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ତାଙ୍କ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ହକି ଷ୍ଟିକ୍ ଦେଇଥିଲେ ।

ସୂଚନା ଅନୁସାରେ ଏବେ ବି କିଛି ଭାରତୀୟ ଖେଳାଳି ଏପର୍ଯ୍ୟନ୍ତ ସ୍ୱଦେଶ ଫେରି ନାହାଁନ୍ତି । ଜାଭେଲିନ୍ ଥ୍ରୋ’ର ନୀରଜ ଚୋପ୍ରା ଏବେ ଜର୍ମାନୀରେ ଅଛନ୍ତି, ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବ । ସେହିପରି ରେସଲର ଭିନେଶ ଫୋଗାଟ ମଧ୍ୟ ଅଗଷ୍ଟ ୧୭ରେ ଭାରତ ଫେରିବେ। ବ୍ୟାଡମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ରାଉଣ୍ଡ ଅଫ୍‌ ୧୬ରେ ପରାଜୟ ବରଣ କରି ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ପଦକ ନିଜ ନାମରେ କରିପାରିନଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ଭେଟିବା ପୂର୍ବରୁ ଭାରତୀୟ ଖେଳାଳିମାନେ ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେଇଥିଲେ ।

ନିକଟରେ ଶେଷ ହୋଇଥିବା ଅଲିମ୍ପିକ୍ସ ଗେମ୍ସରେ ଭାରତ ଗୋଟିଏ ରୌପ୍ୟ ଏବଂ ପାଞ୍ଚଟି ବ୍ରୋଞ୍ଜ ପଦକ ସମେତ ମୋଟ ୬ଟି ପଦକ ଜିତିଛି । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଶୁଟିଂରେ ଭାରତ ପ୍ରଥମ ପଦକ ପାଇଥିଲା । ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ଜିତିଥିଲେ । ତା’ପରେ ମନୁ ଭକର ଓ ସରବଜୋତ ସିଂ ଉଭୟ ମିଶ୍ରିତ ଦଳ ଇଭେଣ୍ଟରେ ଦ୍ୱିତୀୟ ବ୍ରୋଞ୍ଜ ପାଇଥିଲେ । ସେହିପରି ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ସୁଟିଂରେ ସ୍ୱପ୍ନିଲ କୁଶାଲେ ତୃତୀୟ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଏବଂ ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ । ରେସଲର ଅମାନ ଶେରାୱତ ପୁରୁଷ ୫୭ କିଲୋଗ୍ରାମ ଫ୍ରି ଷ୍ଟାଇଲରେ ବ୍ରୋଞ୍ଜ ଜିତିଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now