• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୦-୨୧ ବର୍ଷର ସମ୍ମାନଜନକ ବ୍ୟାଡମିଣ୍ଟନ ଓ୍ୱାର୍ଲଡ ଫେଡେରେସନ୍-BWF ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଶ୍ରେଷ୍ଠ ପୁରୁଷ ପାରା ବ୍ୟାଡମିଣ୍ଟନ ବର୍ଗରେ ୩୩ ବର୍ଷୀୟ ପ୍ରମୋଦଙ୍କୁ ମନୋନୀତ କରାଯାଇଛିି । ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି । ବରଗଡ ଜିଲ୍ଲାର ବାସିନ୍ଦା ପ୍ରମୋଦ ଚଳିତବର୍ଷର ଖେଳ ରତ୍ନ ସମ୍ମାନ ପାଇବେ ବୋଲି ମଧ୍ୟ ଘୋଷଣା ହୋଇଛି ।

ଏପଟେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରମୋଦ କହିଛନ୍ତି, ‘ଦେଶରେ ଏବେ ସାଧାରଣ ଖେଳାଳି ଏବଂ ପାରା ଖେଳାଳିଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରାଯାଉନାହିଁ । ଉଭୟ ବର୍ଗର ଖେଳାଳିଙ୍କ ପ୍ରତି ସମାନ ବ୍ୟବହାର କରାଯାଉଥିବାରୁ ମୁଁ ବହୁତ ଖୁସି ।’ ସେ ଆହୁରି କହିଛନ୍ତି, ଟୋକିଓ ପାରାଅଲିମ୍ପିକ୍ସରେ ୧୯ଟି ମେଡାଲ୍ ଜିତିକି ଆସିଛୁ । ଆଗାମୀ ଦିନରେ ଆମେ ଆହୁରି ମେଡାଲ ଜିତିବୁ ଏବଂ ଦେଶ ପାଇଁ ସୁନାମ ଆଣିବୁ ।

ତେବେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ଖେଳରତ୍ନ ପୁରସ୍କାର ପାଇବା ନେଇ ସ୍ଥିର ହୋଇଛି । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପ୍ରମୋଦଙ୍କ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଥିଲା । ଆସନ୍ତା ନଭେମ୍ବର ୧୩ ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।

୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ୍ ସ୍ମରଣୀୟ ବର୍ଷ ରହିଛି । ଭାରତୀୟ କ୍ରୀଡ଼ାବିତ୍ ଭାବେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିଲେ । ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପାରାଲିମ୍ପିକ୍ସ ପୂର୍ବରୁ ପ୍ରମୋଦଙ୍କ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରାଯାଇଥିଲା । ସେହିପରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ସେ ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।