• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ୍‌କୁ ନେଇ ଏବେବି ତୁଟୁନି ବିବାଦ । ଏସିଆ କପ୍‌କୁ ବୟକଟ୍‌ କରିବାକୁ ଧମକ ଦେଇଛି ପାକିସ୍ତାନ । ପ୍ରଥମେ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବା ପାଇଁ ଅଧିକାର ପାଇଥିଲା । କିନ୍ତୁ BCCI ର ପ୍ରତିବାଦ ପରେ ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀଲଙ୍କାରେ ଆୟୋଜନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । BCCI ଭାରତୀୟ ଟିମକୁ ପାକିସ୍ତାନ ପଠାଇବ ନାହିଁ ବୋଲି ରୋକଠୋକ ମନା କରିବା ପରେ ଇସଲାମାବାଦ ହାତରୁ ଆୟୋଜନ ଅଧିକାର ଖସିଯାଇଛି ।

ଏହି ନିଷ୍ପତ୍ତିକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(PCB) ତୀବ୍ର ବିରୋଧ କରିଛି । ଏସିଆ କପ୍‌କୁ ହୋଷ୍ଟ କରିବାର ଦାୟିତ୍ୱ ହାତରୁ ଯିବା ପରେ ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌କୁ ଏକପ୍ରକାର ଧମକ ଦେଇଛି ପିସିବି । ପିସିବିର ଅଧିକାରୀ କହିଛନ୍ତି ଯେ, ଯଦି ତାଙ୍କ ପ୍ରସ୍ତାବ ଏସିଆନ କ୍ରିକେଟ କାଉନସିଲ(ACC) ଦ୍ୱାରା ଗ୍ରହଣ ନ କରାଯାଏ, ତା’ହେଲେ ପାକିସ୍ତାନ କ୍ରିକେଟ ଟିମ୍‌ ଏସିଆ କପ୍‌କୁ ବୟକଟ କରିବ ।

ଅଧିକ ପଢ଼ନ୍ତୁ: ଏବେ ବି ଚର୍ଚ୍ଚାରେ ‘କ୍ୟାପ୍‌ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନି

ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ନଜାମ ସେଠୀ ଏସିଆନ କ୍ରିକେଟ କାଉନସିଲର ଅଧିକାରୀମାନଙ୍କୁ ମଙ୍ଗଳବାର ଭେଟିଥିଲେ । ଏହି ସମୟରେ ଏସିଆ କପ୍‌ର ଭେନ୍ୟୁକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ କରାଯାଉଥିବା ପ୍ରୟାସକୁ ବିରୋଧ କରିଥିଲେ । ପିସିବି ସୂତ୍ରରେ କୁହାଯାଇଛି ଯେ, ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ଏସିଆ କପ ପାଇଁ ଦେଇଥିବା ହାଇବ୍ରିଡ ମଡେଲ ପ୍ରସ୍ତାବକୁ ଗ୍ରହଣ କରିବା ଦରକାର ବୋଲି ସେଠୀ କହିଛନ୍ତି ।

ଏସିଆ କପ୍‌ ଖେଳିବାକୁ ଥିବା ଅଧିକାଂଶ ଦଳ ଏହାକୁ ଅନ୍ୟତ୍ର କରିବାକୁ ଦାବି କରୁଥିବାରୁ ୨୦୧୮ ଓ ୨୦୨୨ ଭଳି ମ୍ୟାଚ୍‌ ୟୁଏଇରେ ଅନୁଷ୍ଠିତ ହେଉ । ସେପ୍ଟେମ୍ବର ମାସରେ ୟୁଇଏରେ ପ୍ରବଳ ଗରମ ହେଉଥିବାର ଆଳ ଦେଖାଇ ବିସିସିଆଇ ସେଠାରେ ଟୁର୍ଣ୍ଣାମେଣ୍ଟକୁ ବିରୋଧ କରୁଛି ।

କିନ୍ତୁ ୨୦୨୦ ସେପ୍ଟେମ୍ବରରୁ ନଭେମ୍ବର ଯାଏ ବିସିସିଆଇ ୟୁଏଇରେ ହିଁ ଆଇପିଏଲ ଆୟୋଜନ କରାଯାଇଥିଲା। ତେଣୁ ସେଠୀ ଏ ବିଷୟରେ କାଉନସିଲର ଅଧିକାରୀମାନଙ୍କୁ ଜଣାଇଛନ୍ତି । ଯଦି ଏଥର ACC ଏହି ପ୍ରସ୍ତାବକୁ ଗ୍ରହଣ ନ କରିବ, ତା’ହେଲେ ପାକିସ୍ତାନ ଏସିଆ କପ୍‌କୁ ବୟକଟ କରିବ ବୋଲି ନିଷ୍ପତ୍ତି ନେଇଥିବା ଏହି ସୂତ୍ରରେ କୁହାଯାଇଛି।