Advertisment

ଏବେ ବି ଚର୍ଚ୍ଚାରେ ‘କ୍ୟାପ୍‌ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନି

ଆଇପିଏଲ୍ ୨୦୨୩ ସିଜନ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ତେବେ ସଦ୍ୟତମ ଚର୍ଚ୍ଚା ତାଙ୍କ ଅବସରଜନିତ ନୁହେଁ, ତାଙ୍କ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ ଓ ଦୃଢ଼ ନେତୃତ୍ୱକୁ ନେଇ।

author-image
Biswajit Mohanty
ଅଦ୍ୟତନ ହୋଇଛି
'Captain Cool' Mahendra Singh Dhoni is still in the limelight

'Captain Cool' Mahendra Singh Dhoni is still in the limelight

ଆଉ କିଛି ସପ୍ତାହ ପରେ ୪୨ ବର୍ଷ ବୟସରେ ପଦାର୍ପଣ କରିବେ ମହେନ୍ଦ୍ର ସିଂହ ଧୋନି। ସେ ଭାରତୀୟ କ୍ରିକେଟ୍‌ର ସର୍ବାଧିକ ସଫଳ ଏବଂ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ଦ୍ୱିତୀୟ ସର୍ବାଧିକ ସଫଳ ଅଧିନାୟକ। ଏବେ ଧୋନି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସଦ୍ୟତମ ଚର୍ଚ୍ଚା ତାଙ୍କ ଅବସରଜନିତ ନୁହେଁ, ତାଙ୍କ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ ଓ ଦୃଢ଼ ନେତୃତ୍ୱକୁ ନେଇ।

Advertisment

ଦ୍ରୁତ ଗତିରେ ରନ୍ ନେବା, ଦକ୍ଷ ୱିକେଟ୍‌କିପିଂ କରିବା ଏବଂ ଦୃଢ଼ ନେତୃତ୍ୱ ନେଇ ଟିମ୍‌କୁ ଜିତାଇବା - ଏ ସମସ୍ତ ସାମର୍ଥ୍ୟ ଧୋନିଙ୍କ ଭିତରେ ପୂର୍ବରୁ ଥିଲା, ଆଜି ବି ଅଛି। ତାଙ୍କ ଉପରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଫ୍ରାଞ୍ଚାଇଜୀ ଓ ଟିମ୍‌ର ଖେଳାଳିମାନଙ୍କର ପୂର୍ଣ୍ଣ ଭରସା ରହିଛି। କେତେକ ଖେଳାଳିଙ୍କ ପାଇଁ ତ ସେ ମାର୍ଗଦର୍ଶୀ।

ବୟସାଧିକ୍ୟ ସତ୍ତ୍ୱେ ଧୋନି ଏବେ ବି ଆଇପିଏଲ୍‌ରେ ଖେଳୁଛନ୍ତି ଏବଂ ଅଧିନାୟକତ୍ୱ କରୁଛନ୍ତି। ତାଙ୍କ ସମସାମୟିକ ଅଧିକାଂଶ ଖେଳାଳି କାହିଁ କେତେଦିନୁ ଜର୍ସି ଓହ୍ଲାଇସାରିଲେଣି। କିନ୍ତୁ ସେ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିଥିଲେ ବି ଆଇପିଏଲ୍ ଜରିଆରେ ଖେଳ ଅବ୍ୟାହତ ରଖିଛନ୍ତି।

Advertisment

‘କ୍ୟାପ୍‌ଟେନ୍ କୁଲ୍’ ନାମରେ ଆଖ୍ୟାୟିତ ଏହି ୱିକେଟ୍‌କିପର୍-ବ୍ୟାଟରଙ୍କ ପଡ଼ିଆରେ ଶାନ୍ତ ସ୍ୱଭାବ ଓ ବାଉଣ୍ଡାରୀ ବାହାରେ ସ୍ମିତହସର ଯାଦୁ ଅତୁଟ ରହିଛି। ତାଙ୍କ ବ୍ୟାଟିଂ, ୱିକେଟ୍‌କିପିଂ ଓ ଅଧିନାୟକତ୍ୱ ଆଜି ବି ଅନେକଙ୍କୁ ପାଗଳ କରେ। ତାଙ୍କ ପ୍ରଶଂସକଙ୍କ ଅଭାବ ନାହାନ୍ତି। ତାଙ୍କର ଏମିତି ଅନେକ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କ ମ୍ୟାଚ୍ ଦେଖିବାକୁ ବିଭିନ୍ନ ଷ୍ଟାଡିୟମ୍‌ଏ ପହଞ୍ଚିଯାଉଛନ୍ତି।

ଉପଯୋଗୀ ବ୍ୟାଟିଂ ଓ ଦୃଢ଼ ନେତୃତ୍ୱ:

ଧୋନି ପୁଣି ଥରେ ଚର୍ଚ୍ଚାରେ ରହିବା ପଛରେ ଯେଉଁ କାରଣଟି ରହିଛି, ତାହା ହେଲା ମେ’ ୧୦ ତାରିଖରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ। ଏହି ମ୍ୟାଚ୍ ଜିତିବା ପରେ ଚେନ୍ନାଇ ଟିମ୍ ମୋଟ୍ ୧୫ ପଏଣ୍ଟ ପାଇ ପ୍ଲେ-ଅଫ୍‌ର ନିକଟତର ହୋଇଛି।

ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ଟିମ୍ ୮ ୱିକେଟ୍ ହରାଇ ୧୪୦ ରନ୍ କରିବାକୁ ସମର୍ଥ ହୋଇଥିଲା। ବିଜୟ ଲକ୍ଷ୍ୟ ସହଜ ଥିଲେ ହେଁ ଡେଭିଡ୍ ୱାର୍ଣ୍ଣରଙ୍କ ଟିମ୍ ୨୭ ରନ୍‌ରେ ହାରିଯାଇଥିଲା।

ସପ୍ତମ ୱିକେଟ୍ ପାଇଁ ଧୋନି ଓ ରବୀନ୍ଦ୍ର ଜାଡ଼େଜାଙ୍କ ମଧ୍ୟରେ ହୋଇଥିବା ୩୮ ରନ୍‌ର ଭାଗୀଦାରୀ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା, ଯାହା ମ୍ୟାଚ୍‌ରେ ବ୍ୟବଧାନ ସୃଷ୍ଟି କରିଥିଲା। ଟିମ୍‌ରେ ଶୀର୍ଷ ଓ ମଧ୍ୟକ୍ରମ ବ୍ୟାଟର୍ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲେ। ଜାଡ଼େଜା ୧୬ ବଲ୍‌ରୁ ୨୧ ଓ ଧୋନି ୯ ବଲ୍‌ରୁ ୨୦ ରନ୍ କରିଥିଲେ। ଧୋନିଙ୍କ ଇନିଂସ୍‌ରେ ଦୁଇଟି ଛକା ଓ ଗୋଟିଏ ଚୌକା ରହିଥିଲା। ସେ ୨୨୨.୨୨ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରିଥିଲେ। ଏହା ମ୍ୟାଚ୍‌ର ‘ଟର୍ଣ୍ଣିଂ ପଏଣ୍ଟ’ ଥିଲା। ଚେନ୍ନାଇ ମ୍ୟାଚ୍ ଜିତିବା ପରେ ଧୋନିଙ୍କୁ ପ୍ରଶଂସା କରାଯାଇଥିଲା।

ମେ’ ୧୩ ସୁଦ୍ଧା ଧୋନି ଏହି ସିଜନ୍‌ରେ ଆଠ ଇନିଂସ୍ ଖେଳି ୨୦୪.୨୫ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରିଛନ୍ତି। ଏହି ସମୟରେ ସେ ୧୦ଟି ଛକା ଓ ତିନିଟି ଚୌକା ଲଗାଇଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍ ଏଯାବତ ୧୨ଟିରୁ ସାତଟି ମ୍ୟାଚ୍ ଜିତିଛି।

ଧୋନି ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି। ଆଣ୍ଠୁ ଯନ୍ତ୍ରଣା ଭୋଗୁଛନ୍ତି। ଗୋଟିଏ ସମୟରେ ୱିକେଟ୍ ମଧ୍ୟରେ ଦୌଡ଼ିବାରେ ସବୁଠାରୁ କ୍ଷିପ୍ର ବ୍ୟାଟର୍ ବିବେଚିତ ହେଉଥିବା ଧୋନି ଏହି କାରଣରୁ ଦୌଡ଼ିକି ରନ୍ ନେବାକୁ ଚାହୁଁ ନାହାନ୍ତି। ଏହାସତ୍ତ୍ୱେ ରନ୍ ସଂଗ୍ରହ, ୱିକେଟ୍‌କିପିଂ ଓ ଅଧିନାୟକତ୍ୱ - ସବୁଥିରେ ନିଜ ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି।

ଚେନ୍ନାଇ ଟିମ୍‌ରେ ଦମଦାର ପ୍ରଦର୍ଶନ କରୁଥିବା ଅଧିକାଂଶ ଖେଳାଳି କହିସାରିଛନ୍ତି ଯେ ଧୋନି ସେମାନଙ୍କ ଉପରେ ଭରସା ରଖନ୍ତି। ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନରେ ଔଜ୍ଜ୍ୱଲ୍ୟ ଆସିଛି ଏବଂ ଟିମ୍‌କୁ ଏହାର ସିଧାସଳଖ ଫାଇଦା ହେଉଛି।

୨୦୨୩ ହୋଇପାରେ ଶେଷ ଆଇପିଏଲ୍ ସିଜନ୍:

ଧୋନି ୨୦୨୦ ଅଗଷ୍ଟରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହାର ଛଅ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୪ରେ ସେ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବ୍ୟାହତି ନେଇସାରିଥିଲେ। କିନ୍ତୁ ଆଇପିଏଲ୍‌ରେ ଚେନ୍ନାଇ ଟିମ୍‌ର ହଳଦିଆ ଜର୍ସି ତାଙ୍କୁ ବହୁତ ମାନୁଛି। ସେ ଟିମ୍‌କୁ ଚାରି ଥର ଟ୍ରଫି ଜିତାଇ ସାରିଛନ୍ତି ଏବଂ ଏଥର ବି ଟିମ୍ ମୁକୁଟର ଦାବିଦାରଙ୍କ ମଧ୍ୟରେ ରହିଛି।

ଧୋନି ଆଇପିଏଲ୍‌ର ପ୍ରଥମ ସିଜନ୍‌ରୁ ଖେଳିଆସୁଛନ୍ତି। ସେ କେବେ ଆଇପିଏଲ୍‌ରୁ ଅବସର ନେବେ, ତାହାକୁ ନେଇ ଅନେକ ଦିନ ହେଲା ଚର୍ଚ୍ଚା ହେଉଛି। ଗତ ବର୍ଷ ମଧ୍ୟ ଚର୍ଚ୍ଚା ହେଉଥିଲା। ଏଥର ବି ଚର୍ଚ୍ଚା ହେଉଛି।

ଧୋନିଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ପାଗଳ ହେଉଥିଲେ ମଧ୍ୟ ସେମାନେ ଏ କଥା ଜାଣିଛନ୍ତି, ମାହି ତାଙ୍କ କ୍ୟାରିଅର୍‌ର ଶେଷ ସୋପାନ ଦେଇ ଗତି କରୁଛନ୍ତି। ୨୦୨୩ ତାଙ୍କ ଶେଷ ଆଇପିଏଲ୍ ସିଜନ୍ ହୋଇପାରେ। ଧୋନି ମଧ୍ୟ ଏହାର ସଙ୍କେତ ଦେଇସାରିଛନ୍ତି।

ଭାରତୀୟ ଟିମ୍‌ରେ ବଡ଼ ଭୂମିକା ମିଳିବା ଆବଶ୍ୟକ:

ଧୋନି ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିସାରିଲେଣି, କିନ୍ତୁ ତାଙ୍କର କ୍ରେଜ୍ ଏବେ ବି ରହିଛି। ଭାରତୀୟ ଟିମ୍‌କୁ ସମସ୍ତ ଆଇସିସି ଟ୍ରଫି ଜିତାଇଥିବା ଧୋନି ବ୍ୟାଟର୍‌ଙ୍କୁ ନିର୍ଭୀକଭାବେ ଫ୍ରଣ୍ଟଫୁଟ୍‌ରେ ଖେଳିବା ଶିଖାଇଛନ୍ତି।

ପୂର୍ବ ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ହାରିବା ପରେ ଧୋନିଙ୍କୁ କ୍ଷୁଦ୍ରତମ ଫର୍ମାଟ୍ ବା ସୀମିତ ଓଭର୍ ଫର୍ମାଟ୍‌ରେ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା କି କୋଚ୍ ଦାୟିତ୍ୱ ଦିଆଯାଇପାରେ ବୋଲିଂ ଚର୍ଚ୍ଚା ହେଉଥିଲା। କିନ୍ତୁ ସେମିତି ହୋଇ ନ ଥିଲା। ରାହୁଲ ଦ୍ରାବିଡ ସବୁ ଫର୍ମାଟ୍‌ରେ ଟିମ୍‌ର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇ ଆସୁଛନ୍ତି।

ସମ୍ଭବତଃ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଯାଏଁ କୌଣସି ପରିବର୍ତ୍ତନ ହୋଇ ନ ପାରେ। କିନ୍ତୁ ଏହାପରେ ୨୦୨୪ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କିଛି ପରିବର୍ତ୍ତନ କରାଯିବା ଦରକାର। ଧୋନିଙ୍କୁ ଅନ୍ତତଃ ଟି-୨୦ ଟିମ୍‌ର ଗୁରୁଦାୟିତ୍ୱ ଦିଆଯିବାର ଆବଶ୍ୟକତା ଅଛି।

ଧୋନି ଯୁବ ଖେଳାଳିମାନଙ୍କୁ ଉଚିତ୍ ମାର୍ଗଦର୍ଶନ କରାଇପାରିବେ। ନିର୍ଭୀକ ମନୋଭାବ ନେଇ ଖେଳିବା ଶିଖାଇପାରିବେ। ଧୋନିଙ୍କ ପାଖରେ ନିଜସ୍ୱ ଟ୍ରାକ୍ ରେକର୍ଡ ରହିଛି। ଆଜି ବି ମାହିଙ୍କ ତୁଳନା ନାହିଁ। ସେ କ’ଣ କରିପାରିବେ, ଏ କଥା କ୍ରିକେଟ୍ ସମୀକ୍ଷକ ଓ ପ୍ରଶଂସକ ବେଶ ଭଲ ଭାବେ ଜାଣନ୍ତି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

CSK Mahendra Singh Dhoni
Advertisment
Advertisment