/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736523893.jpg)
ଅଲିମ୍ପିକ୍ସ ହକି: କେତେ ତୟାର ଓଡ଼ିଶା ?
ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ? ବିଶ୍ବର ଏହି ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ଭାରତ ପକ୍ଷରୁ ବିଡ୍ କରାଯାଇଛି । ତେବେ ଏହାକୁ କେବଳ ଅହମ୍ମଦାବାଦରେ ସୀମିତ ନ ରଖି ଭାରତର ବିଭିନ୍ନ ସହରରେ ଆୟୋଜନ ପାଇଁ ଯୋଜନା ହେଉଛି। ଆଉ ହକି ଆୟୋଜନ ନେଇ ସମସ୍ତ ଭିତ୍ତିଭୂମି ଥିବାରୁ ଅଲିମ୍ପିକ୍ସର ଏହି ଇଭେଣ୍ଟ ପାଇଁ ଭୁବନେଶ୍ବରକୁ ରଖାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏଣେ ଓଡ଼ିଶାରେ ଅଲିମ୍ପିକ୍ସ ହକି ଆୟୋଜନର ସମସ୍ତ କ୍ଷମତା ରହିଥିବା କହିଛନ୍ତି ପୂର୍ବତନ ଅଲିମ୍ପିଆନ୍ ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି।
୨୦୧୪ରେ ଚାମ୍ପିୟନ୍ସ ଟ୍ରଫି, ୨୦୧୮ ଆଉ ୨୦୨୩ରେ ବିଶ୍ବକପ୍ । ୨୦୨୧ରେ ଜୁନିୟର ବିଶ୍ବକପ୍ । ଆଗକୁ ଏହି ତାଲିକାରେ ଯୋଡ଼ି ହୋଇପାରେ ୨୦୩୬ ଅଲିମ୍ପିକ୍ସ ହକି ଇଭେଣ୍ଟ। ଯଦି ଭାରତର ଅଲିମ୍ପିକ୍ସ ବିଡ୍ ସଫଳ ହୁଏ ତେବେ ଭୁବନେଶ୍ବର କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଅଲିମ୍ପିକ୍ସ ଇଭେଣ୍ଟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୩୬ ଅଲିମ୍ପିକ୍ସ ଆୟୋଜନକୁ କେବଳ ଅହମ୍ମଦାବାଦରେ ସୀମିତ ନ ରଖି ଭାରତର ବିଭିନ୍ନ ସହରରେ କରିବାକୁ ଯୋଜନା ହୋଇଛି। ଅଲିମ୍ପିକ୍ସରେ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ଉପଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ହାତରୁ ଖସି ଯାଇପାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ, ଫ୍ରେବୃୟାରୀ ୧୨ରେ ଚୂଡାନ୍ତ ନିଷ୍ପତ୍ତି
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାଖାପାଖି ୧୬ ହଜାର କ୍ଷମତା ବିଶିଷ୍ଟ କଳିଙ୍ଗ ହକି ଷ୍ଟାଡିୟମ ପୂର୍ବରୁ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିସାରିଛି। ତେଣୁ ଏଠାରେ ଅଲିମ୍ପିକ୍ସ ହକି ଆୟୋଜନ ହୋଇପାରିବ ବୋଲି କୁହାଯାଉଛି । କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମଧ୍ୟ ବୁଧବାର ଭୁବନେଶ୍ବର ଆସିଥିବା ବେଳେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ । ତେଣୁ ଏହି ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଓଡ଼ିଶାରେ ଅଲିମ୍ପିକ୍ସ ହକି ଆୟୋଜନ ଯଦି ହୁଏ, ତାହା ଖୁସିର କଥା ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି।
ଭାରତ ପକ୍ଷରୁ ହୋଇଥିବା ୨୦୩୬ ଅଲିମ୍ପିକ୍ସ ବିଡିଂରେ ମୁଖ୍ୟ ଆୟୋଜକ ସହର ଅହମ୍ମଦାବାଦ ରହିଛି । ତେବେ ଅହମ୍ମଦାବାଦରେ ପ୍ରମୁଖ କ୍ରୀଡା ଇଭେଣ୍ଟଗୁଡି ଥିବା ବେଳେ ଭୁବନେଶ୍ବରରେ ହକି, ମୁମ୍ବାଇରେ କ୍ରିକେଟ, ପୁଣେରେ କାନୋଇଂ, ଭୋପାଳରେ ରୋଇଂ ଏବଂ ଚେନ୍ନାଇରେ ସେଲିଂ ଆୟୋଜନ ଲାଗି ଯୋଜନା ରହିଛି।.... ଭାରତରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ସବୁ ପ୍ରକାର ଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ୨୦୨୩ ଅକ୍ଟୋବର ୧୪ରେ ମୁମ୍ବାଇରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଅଧିବେଶନରେ କହିଥିଲେ। ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଭାରତୀୟ ଅଲିମ୍ପିକ୍ସ ମହାସଂଘ ଗତବର୍ଷ ଅକ୍ଟୋବରରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଲେଟର ଅଫ୍ ଇଣ୍ଟେଟ୍ ପଠାଇଥିଲା। ପୂର୍ବରୁ ଭାରତ କେବେ ବି ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରି ନାହିଁ । ତେବେ ୨୦୧୦ ମସିହାରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)